୩୦ରେ ମୁମ୍ବାଇ ଫେରିବେ ବିଦ୍ରୋହୀ! ବିଧାନସଭାରେ ଶକ୍ତି ପରୀକ୍ଷା ପାଇଁ ସଜବାଜ

ଶିବସେନାର ଦାବି : ୨୦ ବିଦ୍ରୋହୀ ବିଧାୟକ ଆମ ସହ ଯୋଗାଯୋଗରେ ଅଛନ୍ତି

ଗୌହାଟୀ : ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଆଜି ଗଣମାଧ୍ୟମକୁ କହିଛନ୍ତି, ଆମେ ସମସ୍ତେ ଶିବସେନାରେ ଅଛୁ ଏବଂ ଆମେ ଖୁବଶୀଘ୍ର ମୁମ୍ବାଇ ଫେରିବୁ। ଜୁନ୍‌ ୨୨ ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମରେ ବିବୃତି ରଖି ସିନ୍ଦେ କହିଛନ୍ତି, ସମସ୍ତ ବିଧାୟକ ଖୁବ୍‌ ଶୀଘ୍ର ମୁମ୍ବାଇ ଯିବେ। ସିନ୍ଦେଙ୍କ ଏହି ବୟାନ ପରେ ବିଧାୟକମାନେ ୩୦ ତାରିଖ ଦିନ ମୁମ୍ବାଇରେ ପହଞ୍ଚିବେ ଏବଂ ସେହିଦିନ ହିଁ ବିଧାନସଭାରେ ଶକ୍ତି ପରୀକ୍ଷା ହେବ ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି। ବି‌ଦ୍ରୋହୀ ଗୋଷ୍ଠୀର ୨୦ ବିଧାୟକ ଠାକ୍‌ରେ ଗୋଷ୍ଠୀ ସହ ଯୋଗାଯୋଗରେ ଥିବା ଦାବିକୁ ସିନ୍ଦେ ଖଣ୍ଡନ କରିଛନ୍ତି। ଗୌହାଟୀ ହୋଟେଲ ବାହାରେ ସାମ୍ବାଦିକଙ୍କୁ ସୂଚନା ଦେଇ ସିନ୍ଦେ କହିଛନ୍ତି, ଏଠାରେ ଶିବସେନା ବିଧାୟକମାନେ ଅଛନ୍ତି। ସେମାନେ ସମସ୍ତେ ଖୁସି ଅଛନ୍ତି ଏବଂ ଏକାଠି ଅଛନ୍ତି। ହିନ୍ଦୁତ୍ବକୁ ଆଗକୁ ନେବାପାଇଁ ନିଜ ଇଚ୍ଛା‌ରେ ଏଠାକୁ ଆସିଛନ୍ତି। କେହି ସେମାନଙ୍କୁ ବଳପୂର୍ବକ ଆଣିନାହାନ୍ତି। ବରିଷ୍ଠ ସେନା ନେତାମାନେ ଦାବି କରୁଛନ୍ତି ଯେ ଗୌହାଟୀ ହୋଟେଲରେ ଥିବା ୨୦ ବିଧାୟକ ‌ସେମାନଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ସେମାନେ ମହାରାଷ୍ଟ୍ର ଫେରିଯିବାକୁ ଚାହୁଛନ୍ତି। ତେବେ କେଉଁ ବିଧାୟକମାନେ ଠାକରେ ଗୋଷ୍ଠୀ ସହ ଯୋଗାଯୋଗରେ ଅଛନ୍ତି ସେମାନଙ୍କ ନାଁ ସେ ପ୍ରଘଟ କରନ୍ତୁ ବୋଲି ସିନ୍ଦେ କହିଛନ୍ତି। ସିନ୍ଦେ ମଧ୍ୟ ତାଙ୍କ ସହ ୫୦ ବିଧାୟକଙ୍କ ସମର୍ଥନ ଥିବା କହିଛନ୍ତି। ସିନ୍ଦେ କହିଛନ୍ତି, ଚିନ୍ତା କରିବାର କିଛି ନାହିଁ। ଆମେମାନେ ଖୁବ୍‌ଶୀଘ୍ର ମୁମ୍ବାଇ ଯିବୁ ଏବଂ ଏକାଠି ଯିବୁ।

ବିଦ୍ରୋହୀଙ୍କ ସମର୍ଥନରେ ସରକାର ଗଠନ ପାଇଁ ବିଜେପିର ମନ୍ଥନ

୩୦ରେ ହିଁ ବିଧାନସଭାରେ ଶକ୍ତି ପରୀକ୍ଷା ହୋଇପାରେ ଏବଂ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଇସ୍ତଫା ଦେଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିବା ବେଳେ ବିଜେପି ମଧ୍ୟ ସରକାର ଗଠନ ପାଇଁ ଭିତିରିଆ ତତ୍ପର ହୋଇଉଠିଛି । ବିଦ୍ରୋହୀ ବିଧାୟକମାନେ ବିଜେପି ସହ ମିଶି ସରକାର ଗଠନ ପାଇଁ କେତେକ ସର୍ତ୍ତ ରଖିଛନ୍ତି ଏବଂ ବିଜେପି ତାହା ଉପରେ ଏବେ ଦିଲ୍ଲୀରେ ମନ୍ଥନ କରୁଛି। ଯଦି ବିଦ୍ରୋହୀ ବିଧାୟକଙ୍କ ସମର୍ଥନରେ ସରକାର ଗଠନ ହୁଏ ତା’ହେଲେ ସିନ୍ଧେଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବା ସହ ୮ଟି କ୍ୟାବିନେଟ୍‌ ମନ୍ତ୍ରୀ ଏବଂ ୫ଟି ରାଷ୍ଟ୍ରମନ୍ତ୍ରୀ ପଦ ଦେବାକୁ ବିଚାରବିମର୍ଶ ଚାଲିଛି।

ସମ୍ବନ୍ଧିତ ଖବର