ନୂଆଦିଲ୍ଲୀ: ନୂଆ ଆଇନ ସ୍ନାତକମାନେ ନ୍ୟାୟିକ ସେବା ପରୀକ୍ଷା ଦେଇପାରିବେ ନାହିଁ ବୋଲି ସୁପ୍ରିମ୍କୋର୍ଟ ମଙ୍ଗଳବାର କହିଛନ୍ତି। ପ୍ରବେଶସ୍ତରୀୟ ପଦବି ଲାଗି ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଇଁ ଏଣିକି ସର୍ବନିମ୍ନ ତିନିବର୍ଷର ଆଇନଗତ ଅଭ୍ୟାସକୁ ବାଧ୍ୟତାମୂଳକ କରାଯାଇଛି। ସୁପ୍ରିମକୋର୍ଟଙ୍କ ଏହି ରାୟ ନ୍ୟାୟିକ ସେବା ଆଶାୟୀଙ୍କ ଉପରେ ସୁଦୂରପ୍ରସାରୀ ପ୍ରଭାବ ପକାଇବ। ପ୍ରଧାନ ବିଚାରପତି ଜଷ୍ଟିସ୍ ବିଆର୍ ଗୱାଇ ଓ ଜଷ୍ଟିସ୍ ଅଗଷ୍ଟିନ୍ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ସମ୍ଭାବ୍ୟ ବିଚାରପତିମାନଙ୍କ ପାଇଁ କୋର୍ଟ ରୁମ୍ ଅଭିଜ୍ଞତାର ଗୁରୁତ୍ୱକୁ ଦୋହରାଇଛନ୍ତି।
ଅଦାଲତରେ ୩ ବର୍ଷର ଆଇନ ଅଭ୍ୟାସ ଜରୁରି
ଏକାଧିକ ଉଚ୍ଚ ନ୍ୟାୟାଳୟଙ୍କ କହିବା ଅନୁଯାୟୀ, ନୂଆ ଆଇନ ସ୍ନାତକଙ୍କ ନିଯୁକ୍ତି ଅନେକ ଅସୁବିଧାର କାରଣ ପାଲଟିଛି। ନ୍ୟାୟିକ ଦକ୍ଷତା ସୁନିଶ୍ଚିତ କରିବା ପାଇଁ ଅଦାଲତରେ ବ୍ୟାବହାରିକ ଅଭିଜ୍ଞତା ଜରୁରି ବୋଲି ପ୍ରଧାନ ବିଚାରପତି ରାୟ ଶୁଣାଇ କହିଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ନିମ୍ନ ଡିଭିଜନ୍ କ୍ୟାଡର୍ ଥିବା ଏଣ୍ଟ୍ରି ଲେଭେଲ୍ ସିଭିଲ ଜଜ୍ ପଦବି ପାଇଁ ନ୍ୟାୟିକ ସେବା ପରୀକ୍ଷାରେ ବସିବା ଲାଗି ସର୍ବନିମ୍ନ ୩ ବର୍ଷର ଆଇନ ଅଭ୍ୟାସ ବାଧ୍ୟତାମୂଳକ। ସର୍ବଭାରତୀୟ ବିଚାରପତି ସଂଘ ପକ୍ଷରୁ ଦାୟର ଏକ ଆବେଦନ ଉପରେ ଶୁଣାଣି କରି ଏହି ରାୟ ଦିଆଯାଇଛି।