ନୂଆଦିଲ୍ଲୀ: ଅପରାଧିକ ମାମଲାରେ ଦଣ୍ଡିତ ସାଂସଦ ଓ ବିଧାୟକମାନଙ୍କୁ ସ୍ଥାୟୀ ରୂପେ ଅଯୋଗ୍ୟ ଘୋଷିତ କରିବା ପାଇଁ ସୁପ୍ରିମକୋର୍ଟ ନିଯୁକ୍ତ ଆମିକସ କ୍ୟୁରି ବିଜୟ ହଂସାରିଆ ତାଙ୍କର ଉନ୍ନବିଂଶତମ ରିପୋର୍ଟରେ ସମର୍ଥନ କରିଛନ୍ତି। ସୁପାରିସରେ ଆମିକସ କ୍ୟୁରି ଅପରାଧିକ ମାମଲାରେ ଦଣ୍ଡିତ ସାଂସଦ ଓ ବିଧାୟକମାନଙ୍କୁ ନିର୍ବାଚନ ଲଢ଼ିବାର ଅଯୋଗ୍ୟତାକୁ ୬ ବର୍ଷରେ ସୀମିତ ରଖିବା ସ୍ପଷ୍ଟ ରୂପେ ମନମୁଖୀ ଏବଂ ଏହା ସମ୍ବିଧାନର ଅନୁଚ୍ଛେଦ ୧୪କୁ ଉଲ୍ଲଂଘନ କରୁଛି ବୋଲି କହିଛନ୍ତି। ଆଇନ ପ୍ରଣେତାମାନଙ୍କୁ ଅଧିକ ପବିତ୍ର ହେବାର ଆବଶ୍ୟକତା ଅଛି । ସାଂସଦ ଓ ବିଧାୟକଙ୍କ ଦ୍ବାରା ସଂଘଟିତ ଅପରାଧ ଯାହା ନୈତିକ ଭ୍ରଷ୍ଟତାରେ ସାମିଲ ଏଭଳି ଅପରାଧ ପାଇଁ ସେମାନଙ୍କୁ ସ୍ଥାୟୀ ରୂପେ ଅଯୋଗ୍ୟ ଘୋଷିତ କରିବା ପାଇଁ ଆମିକସ କ୍ୟୁରି ସୁପାରିସ କରିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ଅଶ୍ବିନୀ ଉପାଧ୍ୟାୟଙ୍କ ଦ୍ବାରା ଆଗତ ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ରହିଥିବା ଅପରାଧିକ ମାମଲା ସଂପର୍କିତ ରିଟ୍‌ ପିଟିସନର ଶୁଣାଣି ୨୦୧୬ରୁ ସୁପ୍ରିମକୋର୍ଟରେ ଚାଲିଛି। ଆବେଦନକାରୀଙ୍କ ପକ୍ଷରୁ ଦାଖଲ ରିଟ୍‌ ପିଟିସନରେ ଜନ ପ୍ରତିନିଧି ଆଇନ ୧୯୫୭ର ସେକସନ ୮ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଂଜ କରାଯାଇଛି। ଏହି ମାମଲାରେ ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ ବିଜୟ ହଂସାରିଆଙ୍କୁ କୋର୍ଟକୁ ସହାୟତା କରିବା ପାଇଁ ଆମିକସ କ୍ୟୁରି ରୂପେ ନିଯୁକ୍ତ କରିଛନ୍ତି। ଆମିକସ କ୍ୟୁରିଙ୍କ ଦ୍ବାରା ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୧୯ଟି ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରାଯିବା ସହିତ ରିପୋର୍ଟରେ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଗୁରୁତ୍ବପୁର୍ଣ୍ଣ ସୁପାରିସ ମଧ୍ୟ କରାଯାଇଛି। ମାମଲାଗୁଡ଼ିକର ତୁରନ୍ତ ଫଇସଲା ପାଇଁ ଅଧସ୍ତନ ଅଦାଲତଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରିବା ପାଇଁ ଆମିକସ କ୍ୟୁରି ସୁପାରିସରେ କହିଛନ୍ତି। ଗତକାଲି ସୁପ୍ରିମ‌କୋର୍ଟରେ ଦାଖଲ କରାଯାଇଥିବା ଉକ୍ତ ରିପୋର୍ଟରେ ଓଡ଼ିଶା ସମେତ ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରୁ ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ନଭେମ୍ବର ୨୦୨୨ ସୁଦ୍ଧା ବିଚାରାଧୀନ ଥିବା ଅପରାଧିକ ମାମଲାର ତଥ୍ୟ ପ୍ରଦାନ କରାଯାଇଛି। ସୁପ୍ରିମକୋର୍ଟ ଅକ୍ଟୋବର ୧୦,୨୦୨୨ର ଆଦେଶରେ ରାଜ୍ୟମାନଙ୍କ ଠାରୁ ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ବିଚାରାଧୀନ ମାମଲା ଗୁଡ଼ିକର ସଂଖ୍ୟା ,୫ ବର୍ଷରୁ ଅଧିକ ସମୟ ଧରି ବିଚାରାଧୀନ ମାମଲା, ବିଚାରପତିଙ୍କ ପିଛା ମାମଲାର ଭାର(କେସ ଲୋଡ ପର ଜଜ୍) ଭଳି ତଥ୍ୟ ରାଜ୍ୟର ହାଇକୋର୍ଟମାନଙ୍କୁ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟମାନଙ୍କ ଠାରୁ ହାସଲ କରାଯାଇଥିବା ତଥ୍ୟ ଅନୁସାରେ ଆମିକସ କ୍ୟୁରି ରିପୋର୍ଟ ପ୍ରସ୍ତୁତ କରିଥିଲେ। ଆମିକସ କ୍ୟୁରିଙ୍କ ରିପୋର୍ଟ ଅନୁସାରେ ଓଡ଼ିଶା‌ରେ ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ଡିସେମ୍ବର ୨୦୧୮ ସୁଦ୍ଧା ୩୩୧, ଡିସେମ୍ବର ୨୦୧୨ ସୁଦ୍ଧା ୩୬୦ ଓ ନଭେମ୍ବର ୨୦୨୨ ସୁଦ୍ଧା ୪୫୪ଟି ଅପରାଧିକ ମାମଲା ବିଚାରାଧୀନ ରହିଛି।

ଏଥିମଧ୍ୟରୁ ୩୨୩ଟି ମାମଲା ୫ ବର୍ଷରୁ ଅଧିକ ସମୟ ଧରି ବିଚାରା‌ଧୀନ ରହିଛି। ବିଚାରାଧୀନ ଥିବା ଅପରାଧିକ ମାମଲାରେ ଓଡ଼ିଶା ଦେଶରେ ଚତୁର୍ଥ ସ୍ଥାନରେ ରହିଛି। ସର୍ବାଧିକ ୧୩୭୭ଟି ମାମଲା ଉତ୍ତର ପ୍ରଦେଶରେ ରହିଛି। ୫୪୬ଟି ମାମଲା ସହ ବିହାର ଦ୍ବିତୀୟ, ମହାରାଷ୍ଟ୍ର ୪୮୨ଟି ମାମଲା ସହ ତୃତୀୟ ସ୍ଥାନରେ ରହିଛି। ସେହିଭଳି ୫ ବର୍ଷରୁ ଅଧିକ ସମୟ ଧରି ବିଚାରାଧୀନ ଥିବା ମାମଲାରେ ଓଡ଼ିଶା ଦେଶରେ ତୃତୀୟ ସ୍ଥାନରେ ରହିଛି। ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ମୋଟ ୫୧୭୫ଟି ଅପରାଧିକ ମାମଲା ବିଚାରାଧୀନ ରହିଛି, ଯେଉଁଥିରେ ୨୧୧୬ଟି ମାମଲା ୫ ବର୍ଷରୁ ଅଧିକ ସମୟ ଧରି ଅଦାଲତରେ ଗଡ଼ି ଚାଲିଛି। ବିଚାରାଧୀନ ମାମଲାଗୁଡ଼ିକର ଫଇସଲା ପାଇଁ ତ୍ବରିତ ଏବଂ ଦୃଢ଼ ପଦକ୍ଷେପ ନେବାର ଆବଶ୍ୟକତା ଜରୁରି ହୋଇପଡ଼ିଛି ବୋଲି ଆମିକସ କ୍ୟୁରି ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ମାମଲାର ଶୁଣାଣି ଆସନ୍ତାକାଲି ସୁପ୍ରିମ‌କୋର୍ଟରେ ହେବ।