ନୂଆଦିଲ୍ଲୀ/କଟକ: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ବିଶିଷ୍ଟ ଆଇନଜୀବୀ ଶିବ ଶଙ୍କର ମିଶ୍ର ଓ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ନିଯୁକ୍ତି ମିଳିବାକୁ ଯାଉଛି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ, ଜଷ୍ଟିସ ଏସ.କେ.କୌଲ ଓ ଜଷ୍ଟିସ ସଂଜୀବ ଖାନ୍ନାଙ୍କୁ ନେଇ ଗଠିତ କଲେଜିୟମ ଶ୍ରୀ ମିଶ୍ର ଓ ଶ୍ରୀ ବେହେରାଙ୍କ ନାଁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ କରିଛି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଦୁଇ ବରିଷ୍ଠତମ ବିଚାରପତିଙ୍କ ସହିତ ପରାମର୍ଶ କରି ୨୦୨୩, ଜାନୁଆରି ୧୭ରେ ଶ୍ରୀ ମିଶ୍ର ଓ ଶ୍ରୀ ବେହେରାଙ୍କ ନାଁ ସୁପାରିସ କରିଥିଲେ। ଏହି ସୁପାରିସକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ସମ୍ମତି ପ୍ରଦାନ କରିଥିଲେ। ଏହାପରେ ଶ୍ରୀ ମିଶ୍ର ଓ ଶ୍ରୀ ବେହେରାଙ୍କ ନିଯୁକ୍ତି ସଂପର୍କିତ ପ୍ରସ୍ତାବକୁ ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଗ୍ରହଣ କରାଯାଇଛି।
ଶିବଶଙ୍କର ମିଶ୍ର ଜୟପୁର ଠାରେ ୧୯୬୮, ମେ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସ୍ବର୍ଗତ ଅନଙ୍ଗଭୀମ ମିଶ୍ର ଓ ସ୍ବର୍ଗତ ଶଶିରେଖା ମିଶ୍ରଙ୍କ ପୁଅ ଶିବଶଙ୍କର କୋରାପୁଟର ଜୟପୁର ଲ କଲେଜରୁ ଏଲଏଲବି ଡିଗ୍ରି ହାସଲ କରିଥିଲେ। କୋରାପୁଟ ଜିଲ୍ଲାର ପ୍ରଥମ ବ୍ୟକ୍ତିଭାବେ ସେ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ଶ୍ରୀ ମିଶ୍ର ୧୯୯୧, ଡିସେମ୍ବର ୭ରେ ଆଇନଜୀବୀ ଭାବେ ପଞ୍ଜୀକୃତ ହୋଇଥିବା ବେଳେ ତାଙ୍କର ଏହି ପେଶାରେ ୩୦ ବର୍ଷର ଅନୁଭବ ରହିଛି। ଦେୱାନୀ, ଫୌଜଦାରୀ ଓ ଚାକିରି ସଂପର୍କିତ ଆଇନରେ ତାଙ୍କ ବିଶେଷ ଦକ୍ଷତା ରହିଛି। ସୁପ୍ରିମକୋର୍ଟରେ ସେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଡଭୋକେଟ ଅନ୍ ରେକର୍ଡ ଅଛନ୍ତି। ସେ ଓଡ଼ିଶା ହାଇକୋର୍ଟ ଓ େକନ୍ଦ୍ର ସରକାରଙ୍କ ପାଇଁ ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି।
ଆନନ୍ଦଚନ୍ଦ୍ର ବେହେରା ୧୯୬୪, ମେ ୨୩ରେ ଜନ୍ମଗ୍ରହଣ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ସେ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ଶ୍ରୀ ବେହେରା ରାଜ୍ୟ ଭିଜିଲାନ୍ସରେ ଲିଗାଲ ଆଡଭାଇଜର ଭାବେ କାର୍ଯ୍ୟରତ। ଓଡ଼ିଶା ହାଇକୋର୍ଟ କଲେଜିୟମ ଅନ୍ୟ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀଙ୍କ ନାଁ ଅନୁମୋଦନ ନ କରି ବିଚାରପତି ଭାବେ ନିଯୁକ୍ତି ପାଇଁ ଶ୍ରୀ ବେହେରାଙ୍କ ନାଁ ପ୍ରସ୍ତାବ ଦେଇଥିଲେ। ଓଡ଼ିଶା ହାଇକୋର୍ଟ କଲେଜିୟମରେ ଗ୍ରହଣ କରାଯାଇଥିବା ଏ ସଂପର୍କିତ ପ୍ରସ୍ତାବରେ ଏ ନେଇ କେତେକ କାରଣ ଉଲ୍ଲେଖ କରାଯାଇଥିଲା। ହାଇକୋର୍ଟ କଲେଜିୟମ ମତ ସହିତ ସୁପ୍ରିମକୋର୍ଟ କଲେଜିୟମ ସହମତ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ବିଚାରପତି ପଦ ୩୩ ହୋଇଥିବା ବେଳେ ବର୍ତ୍ତମାନ ମୁଖ୍ୟ ବିଚାରପତିଙ୍କ ସମେତ ୨୦ଜଣ ବିଚାରପତି ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/4f4h65fh4f65hf.jpg)