ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା ପାଇଁ ସୁପାରିସ

ସ୍ବରାଷ୍ଟ୍ର ମନ୍ତ୍ରାଳୟ ସଂସଦୀୟ କମିଟି ରିପୋର୍ଟ ଉପସ୍ଥାପିତ
ଓଡ଼ିଶାରେ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ଆଶ୍ରୟସ୍ଥଳୀ ନିର୍ମାଣ
କେନ୍ଦ୍ରୀୟ ବାହିନୀ ମୁତୟନ ଖର୍ଚ୍ଚ ଛାଡ଼ ପାଇଁ ଓଡ଼ିଶାର ଦାବି

ନୂଆଦିଲ୍ଲୀ : ଜାତୀୟ ବାତ୍ୟା ବିପଦ ପ୍ରଶମନ ପ୍ରକଳ୍ପ (ଏନ୍‌ସିଆର୍‌ଏମ୍‌ପି) ଅଧୀନରେ ପ୍ରଥମ ପର୍ଯ୍ୟାୟ ଆଶ୍ରୟସ୍ଥଳୀ ନିର୍ମାଣ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶରେ ଶେଷ ହୋଇଛି। ଆଶ୍ରୟସ୍ଥଳୀ ନିର୍ମାଣ ନିମନ୍ତେ ଉଭୟ ରାଜ୍ୟ ପାଇଁ ୨୫୪୧.୬୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଥିଲା। କଂଗ୍ରେସ ସାଂସଦ ଆନନ୍ଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ବରାଷ୍ଟ୍ର ମନ୍ତ୍ରାଳୟ ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ରିପୋର୍ଟକୁ ସଂସଦରେ ଉପସ୍ଥାପନ କରାଯାଇଛି।

ରିପୋର୍ଟରେ ପ୍ରଦତ୍ତ ତଥ୍ୟ ଅନୁସାରେ, ବାତ୍ୟା ଦୃଷ୍ଟିରୁ ଦେଶର ପୂର୍ବତଟ ଅତ୍ୟଧିକ ସମ୍ବେଦନଶୀଳ। ଉପକୂଳ ଅଂଚଳରେ ବସବାସ କରୁଥିବା ଲୋକମାନଙ୍କର ସୁରକ୍ଷା ପାଇଁ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ, ସଡ଼କ, ସେତୁ ଓ ଲୁଣା ଆଡ଼ି ବନ୍ଧ ନିର୍ମାଣ ଉପରେ କମିଟି ଗୁରୁତ୍ବାରୋପ କରିଛନ୍ତି। ଏହି ପ୍ରକଳ୍ପ ଅଧୀନରେ ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ଆଉ ଅଧିକ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ନିମନ୍ତେ ସଦ୍ୟ ଆକଳନର ଆବଶ୍ୟକତା ରହିଥିବା କମିଟି କହିଛନ୍ତି।

କମିଟି ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା ସହ ପୀଡ଼ିତ ପରିବାରଙ୍କୁ ରିଲିଫ୍‌ ଓ କ୍ଷତିପୂରଣ ପାଇଁ ମାର୍ଗଦର୍ଶିକା ଜାରି କରିବାକୁ ସୁପାରିସ କରିଛନ୍ତି। କେନ୍ଦ୍ରୀୟ ବାହିନୀ ମୁତୟନ ପାଇଁ ଖର୍ଚ୍ଚ ହେଉଥିବା ଅର୍ଥରାଶିକୁ ଛାଡ଼ କରିବା ପାଇଁ ଓଡ଼ିଶା ସମେତ ୫ ରାଜ୍ୟ କେନ୍ଦ୍ରକୁ ଅନୁରୋଧ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଅବିକଶିତ ଜିଲ୍ଲାଗୁଡ଼ିକୁ ନକ୍ସଲ ଉପଦ୍ରୁତ ଅଂଚଳ ତାଲିକାରୁ ସିଧାସଳଖ ହଟାଇଦେବା ନିଷ୍ପତ୍ତିର ପୁନଃ ସମୀକ୍ଷା ପାଇଁ ସୁପାରିସ କରାଯାଇଛି। ଏହି ସବୁ ଜିଲ୍ଲାକୁ ‘ଡିଷ୍ଟ୍ରିକ୍ଟ ଅଫ କନ୍‌ସର୍ଣ୍ଣ’ ତାଲିକାରେ ରଖାଯାଉ। ଯାହାଦ୍ବାରା ଜିଲ୍ଲାମାନଙ୍କୁ କେନ୍ଦ୍ରୀୟ ସହାୟତା ମିଳିପାରିବ ଓ ଅଞ୍ଚଳରେ ସଡ଼କ ନିର୍ମାଣ ଓ ଭିତ୍ତିଭୂମି ପ୍ରତିଷ୍ଠା କରାଯାଇପାରିବ ବୋଲି କମିଟି ସୁପାରିସରେ କହିଛନ୍ତି।

ସମ୍ବନ୍ଧିତ ଖବର