ନୂଆଦିଲ୍ଲୀ : ଆସନ୍ତା ଆର୍ଥିକ ବର୍ଷ (୨୦୨୩-୨୪) ବଜେଟ୍‌ରେ ପୁଞ୍ଜି ବ୍ୟୟ ବଢ଼ାଇବା ଏବଂ ବେତନଭୋଗୀ ବର୍ଗଙ୍କ ଲାଗି ଆୟକରରେ ହ୍ରାସ କରିବାକୁ ଶିଳ୍ପ ଜଗତର ପ୍ରତିନିଧିମାନେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପ୍ରସ୍ତାବ ଦେଇଛନ୍ତି। ସୋମବାରଠାରୁ ଆରମ୍ଭ ହୋଇଥିବା ପ୍ରାକ୍ ବଜେଟ୍ ଆଲୋଚନାରେ ସେମାନେ ଏହି ସୁପାରିସ କରିଛନ୍ତି। ସବୁଜ ଶକ୍ତି ଏବଂ ନିରନ୍ତର ଭିତ୍ତିଭୂମି ପାଇଁ ପାଣ୍ଠିର ବ୍ୟବସ୍ଥା କରିବା ଲାଗି ବଜେଟ୍‌ରେ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ କହିଛନ୍ତି। ସିଆଇଆଇ, ପିଏଚ୍‌ଡି ଚାମ୍ବର ଅଫ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି ଓ ଆସୋଚାମ୍ ଭଳି ଶିଳ୍ପ ସଂଘର ପ୍ରତିନିଧିମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ।

Advertisment

ଆସନ୍ତା ଶୁକ୍ରବାର ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ରାଜ୍ୟର ଅର୍ଥମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ। ଆଜି ସେ କୃଷି, ଆର୍ଥିକ ଏବଂ ପୁଞ୍ଜି ବଜାର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ। ନଭେମ୍ବର ୨୪ରେ ସେବା, ସ୍ବାସ୍ଥ୍ୟ, ଶିକ୍ଷା, ଜଳ ଓ ପରିମଳ କ୍ଷେତ୍ର ସହ ବୈଠକରେ ଅଂଶଗ୍ରହଣ କରିବେ। ୨୦୨୩ ଫେବ୍ରୁଆରି ୧ରେ ଶ୍ରୀମତୀ ସୀତାରମଣ ନିଜର ପଞ୍ଚମ ବଜେଟ୍ ଉପସ୍ଥାପନ କରିବେ। ୨୦୨୪ ଏପ୍ରିଲ୍-ମେ’ରେ ଲୋକସଭା ନିର୍ବାଚନ ହେବାର ଥିବାରୁ ଏହି ବଜେଟ୍ ବେଶ ମହତ୍ବପୂର୍ଣ୍ଣ ହେବ ବୋଲି କୁହାଯାଉଛି।