ନୂଆଦିଲ୍ଲୀ: ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ (ଏନ୍ସିଇଆର୍ଟି)ର ଏକ ୭ ଜଣିଆ କମିଟିର ବିଦ୍ୟାଳୟ ପାଠ୍ୟପୁସ୍ତକରେ ରାମାୟଣ ଓ ମହାଭାରତକୁ ଅନ୍ତର୍ଭୁକ୍ତ କରିବା ପାଇଁ ସୁପାରିସ କରିଛି। ଏହା ସହିତ ଶ୍ରେଣୀଗୃହ କାନ୍ଥରେ ସମ୍ବିଧାନର ମୁଖବନ୍ଧ ମଧ୍ୟ ଲେଖାଯିବାକୁ ପରାମର୍ଶ ଦିଆଯାଇଛି ବୋଲି କମିଟିର ଅଧ୍ୟକ୍ଷ ସି ଆଇ ଆଇଜାକ୍ ମଙ୍ଗଳବାର କହିଛନ୍ତି। ଗତ ବର୍ଷ ଗଠିତ ଏହି ସାତଜଣିଆ କମିଟି ସାମାଜିକ ବିଜ୍ଞାନ ଉପରେ ଏହାର ଚୂଡ଼ାନ୍ତ ପାଠ୍ୟକ୍ରମ ନେଇ ଅନେକ ସୁପାରିସ କରିଛି, ଯାହାକି ନୂତନ ଏନସିଇଆର୍ଟି ପାଠ୍ୟପୁସ୍ତକର ବିକାଶ ପାଇଁ ମୂଳଦୁଆ ପକାଇବା ନିମନ୍ତେ ଏକ ପ୍ରମୁଖ ଦସ୍ତାବିଜ ସାବ୍ୟସ୍ତ ହୋଇପାରିବ। ୭ ଜଣିଆ କମିଟିର ସୁପାରିସକୁ ଏବେ ଜାତୀୟ ସିଲାବସ ଏବଂ ଶିକ୍ଷାଦାନ-ଶିକ୍ଷା ସାମଗ୍ରୀର ବିକାଶ ପାଇଁ ଗଠିତ ୧୯ ଜଣିଆ କମିଟି ନିକଟକୁ ପଠାଯିବ। କମିଟି ଦ୍ବାରା ପୁନଃ ସମୀକ୍ଷା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
ସପ୍ତମରୁ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ରାମାୟଣ ଏବଂ ମହାଭାରତ ଶିକ୍ଷା ଦେବା ଗୁରୁତ୍ବପୂର୍ଣ୍ଣ ବୋଲି କମିଟି ଅଧ୍ୟକ୍ଷ ଆଇଜାକ୍ କହିଛନ୍ତି। ରାମାୟଣ ଏବଂ ମହାଭାରତ ଭଳି ମହାନ ଗ୍ରନ୍ଥର ବିଷୟବସ୍ତୁକୁ ସାମାଜିକ ବିଜ୍ଞାନ ସିଲାବସରେ ସ୍ଥାନିତ କରାଗଲେଏହା ଅତ୍ୟନ୍ତ ଫଳପ୍ରଦ ହୋଇପାରିବ ବୋଲି କମିଟି ଗୁରୁତ୍ବାରୋପ କରିଛି। କିଶୋର ଅବସ୍ଥାରେ ଛାତ୍ରମାନେ ସେମାନଙ୍କର ଆତ୍ମସମ୍ମାନ, ଦେଶପ୍ରେମ ଏବଂ ନିଜ ଦେଶ ପାଇଁ ଗର୍ବ ଅନୁଭବ କରିବାର କାରଣକୁ ବିକଶିତ କରନ୍ତି। ଦେଶପ୍ରେମର ଅଭାବ ହେତୁ ପ୍ରତିବର୍ଷ ହଜାର ହଜାର ଛାତ୍ର ଦେଶ ଛାଡି ଅନ୍ୟ ଦେଶରେ ନାଗରିକତ୍ୱ ଚାହୁଛନ୍ତି। ତେଣୁ ଛାତ୍ରଛାତ୍ରୀମାନଙ୍କୁ ନିଜ ଦେଶ ତଥା ସଂସ୍କୃତି ପ୍ରତି ଭଲପାଇବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ବୋଲି ଆଇଜାକ୍ କହିଛନ୍ତି।