ନୂଆଦିଲ୍ଲୀ: ଦେଶର ବିଭିନ୍ନ ଜେଲରେ ନିର୍ଦ୍ଧାରିତ କ୍ଷମତାରୁ ଅଧିକ ସଂଖ୍ୟକ ବିଚାରାଧୀନ କଏଦୀମାନଙ୍କ ସଂଖ୍ୟା ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏଭଳି ସ୍ଥିତିରେ ଜେଲରେ ବିଚାରାଧୀନ କଏଦୀମାନଙ୍କ ଭିଡ଼ କମ୍ କରିବା ପାଇଁ ଗୃହ ବ୍ୟାପାର ସଂପର୍କିତି ସଂସଦୀୟ ଷ୍ଟାଣ୍ଡିଂ କମିଟି ବିଚାରାଧୀନ କଏଦୀମାନଙ୍କ ପାଇଁ ବ୍ରେସଲେଟ୍/ଆଙ୍କଲେଟ୍ ଟ୍ରାକର ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସୁପାରିସ କରିଛି। ବିଜେପି ସାଂସଦ ବ୍ରିଜ୍ ଲାଲଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ ବ୍ୟାପାର ସଂପର୍କିତ ଷ୍ଟାଣ୍ଡିଂ କମିଟିର ୨୪୫ତମ ରିପୋର୍ଟକୁ ନିକଟରେ ସଂସଦର ସ୍ବତନ୍ତ୍ର ଅଧିବେଶନରେ ଉପସ୍ଥାପନ କରାଯାଇଛି।
ଜେଲ୍ର ଅବସ୍ଥା, ଭିତ୍ତିଭୂମି ଏବଂ ସଂସ୍କାର ଶୀର୍ଷକ ୯୮ ପୃଷ୍ଠାର ରିପୋର୍ଟରେ ବ୍ରେସଲେଟ୍/ଆଙ୍କଲେଟ୍ ଟ୍ରାକର୍ ଯୋଜନା କାର୍ଯ୍ୟକାରୀ କରିବା ସମେତ ଦେଶରେ ଜେଲ ସଂସ୍କାରକୁ ନେଇ ଏକାଧିକ ସୁପାରିସ କରାଯାଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଜେଲଗୁଡ଼ିକରେ ବିଚାରାଧୀନ କଏଦୀଙ୍କ ଅଧିକ ସଂଖ୍ୟାକୁ ହ୍ରାସ କରିବାକୁ ଦୃଷ୍ଟିରେ ରଖାଯାଇ ଓଡ଼ିଶାର ଜେଲ ବିଭାଗ ପକ୍ଷରୁ ଅଭ୍ୟାସଗତ ଅପରାଧରେ ଲିପ୍ତ କଏଦୀମାନଙ୍କୁ ବ୍ରେସଲେଟ୍/ଆଙ୍କଲେଟ୍ ଟ୍ରାକିଂ ଟେକ୍ନୋଲଜିର ଉପଯୋଗ କରାଯାଇ ଜାମିନରେ ଖଲାସ କରିବାର ପ୍ରସ୍ତାବ ସଂପର୍କରେ ସଂସଦୀୟ କମିଟି ଅବଗତ ହୋଇଛନ୍ତି। ଏହାପରେ ଏହାର ଉପଯୋଗିତାକୁ ନେଇ କମିଟି ପକ୍ଷରୁ ତତ୍ପରତା ପ୍ରକାଶ କରାଯିବା ସହିତ ଗୁରୁତ୍ବପୂର୍ଣ୍ଣ ସୁପାରିସ କରାଯାଇଛି।
କମିଟି ପକ୍ଷରୁ ସୁପାରିସରେ କୁହାଯାଇଛି ଜେଲରୁ ଜାମିନ ପାଇଥିବା ବ୍ୟକ୍ତି ଅଥବା ସାମୟିକଭାବେ ଜେଲ୍ରୁ ଜାମିନ ପାଇ ମୁକ୍ତ ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ କଷ୍ଟ୍ ଇଫେକଟିଭ୍ ଆଙ୍କଲ ଟ୍ରାକର୍ସ ଓ ବ୍ରେସଲେଟ୍ର ଆବଶ୍ୟକତା ରହିଛି। ଅଧିକାଂଶ ସମୟରେ କଏଦୀମାନଙ୍କ ଜାମିନକୁ ଅଗ୍ରାହ୍ୟ କରିଦିଆଯାଇଥାଏ। ଏହାର ତିନିଟି ପ୍ରମୁଖ କାରଣ ରହିଛି। ସେଗୁଡ଼ିକ ହେଲା ବିଚାରାଧୀନ କଏଦୀ ସମ୍ଭବତଃ ସାକ୍ଷୀମାନଙ୍କୁ ପ୍ରଭାବିତ କରିବା ସହିତ ଧମକ ମଧ୍ୟ ଦେଇପାରନ୍ତି। ଏଥି ସହିତ କଏଦୀମାନେ ଦେଶ ଛାଡ଼ି ଚାଲିଯିବାର ଏବଂ ଅତିରିକ୍ତ ଅପରାଧ ଘଟାବାର ସମ୍ଭାବନା ରହିଥାଏ ।ଏହି ଟେକ୍ନୋଲଜିର ବ୍ୟବହାର ଦ୍ବାରା ମାନବ ଅଧିକାରର ଯେଭଳି ଉଲ୍ଲଂଘନ ନ ହୁଏ ସେନେଇ ବିଚାରାଧୀନ କଏଦୀଙ୍କ ସହମତି ଆଧାରରେ ଟେକ୍ନୋଲୋଜିକୁ ସ୍ବେଚ୍ଛାକୃତଭାବେ ଗ୍ରହଣ କରାଯାଇପାରିବ। କେବଳ ସେତିକି ନୁହେଁ, ଏଭଳି ଟ୍ରାକର୍ସର ଉପଯୋଗ ମାଧ୍ୟମରେ ଜେଲରୁ ଜାମିନ ପାଇ ଖଲାସ ହୋଇଥିବା କଏଦୀ ମାନଙ୍କ ଉପରେ ନଜର ରଖିବାରେ ସାମିଲ ପ୍ରଶାସନିକ କଳ ଅଥବା ମାନବ ସମ୍ବଳ ଅଧିକାରୀଙ୍କ ସଂଖ୍ୟାକୁ ମଧ୍ୟ ହ୍ରାସ କରାଯାଇପାରିବ। ସ୍ବଳ୍ପ ଖର୍ଚ୍ଚରେ ଏବଂ କମ୍ କର୍ମଚାରୀରେ କଏଦୀମାନଙ୍କ ଉପରେ ନଜର ରଖାଯିବାରେ ଏହି ବ୍ୟବସ୍ଥା ପ୍ରଭାବୀ ହୋଇପାରିବ ବୋଲି କମିଟି କହିଛି। ଫଳରେ ଏଭଳି ଟେକ୍ନୋଲୋଜି ଜେଲରେ ବିଚାରାଧୀନ କଏଦୀଙ୍କ ଭିଡ଼କୁ କିଛି ମାତ୍ରାରେ କମ୍ କରିପାରିବ ବୋଲି ସଂସଦୀୟ କମିଟି ଆଶା ପ୍ରକାଶ କରିଛି।
ସୂଚନାଯୋଗ୍ୟ, ଅଭ୍ୟାସଗତ ଅପରାଧ କାରଣରୁ ଜେଲରେ ଥିବା ବିଚାରାଧୀନ କଏଦୀମାନଙ୍କୁ ଜାମିନ ପ୍ରଦାନ କରି ଜେଲରେ ଭିଡ କମାଇବା ପାଇଁ ଓଡ଼ିଶା ଜେଲ୍ ବିଭାଗ ପକ୍ଷରୁ ଜିପିଏସ୍-ଏନାବେଲ୍ଡ ଟ୍ରାକିଂ ଡିଭାଇସ ବିଚାରାଧୀନ କଏଦୀଙ୍କ ପାଦର ଗଣ୍ଠି(ଆଙ୍କଲ)ରେ ଖଞ୍ଜିବାର ପ୍ରସ୍ତାବ ରହିଛି। କଏଦୀ କୁଆଡ଼େ ଯାଉଛି, କ’ଣ କରୁଛି ଏହା ଉପରେ ପୁଲିସର ଅହରହ ନଜର ରହିବ । ଏଭଳି ବ୍ୟବସ୍ଥା ଲାଗୁ ହେଲେ ଓଡ଼ିଶାର ଜେଲଗୁଡ଼ିକରେ କଏଦୀଙ୍କ ସଂଖ୍ୟାରେ ହ୍ରାସ ଘଟିବ ବୋଲି ଓଡ଼ିଶା ଜେଲ ବିଭାଗ ଆଶା ରଖିଛି। ଛୋଟ ଛୋଟ ଅଭ୍ୟାସଗତ ଅପରାଧରେ ଲିପ୍ତ ଓଡ଼ିଶାର ବିଭିନ୍ନ ଜେଲରେ ୬୫ ପ୍ରତିଶତ ବିଚାରାଧୀନ କଏଦୀ ରହିଛନ୍ତି ଯେଉଁମାନଙ୍କର ଦଣ୍ଡାଦେଶ ୭ ବର୍ଷରୁ କମ ରହିଥାଏ। ଓଡ଼ିଶା ପୁଲିସ ବିଭାଗ ଦ୍ବାରା ପୂର୍ବରୁ ଆଙ୍କଲ ଟ୍ରାକିଂ ସିଷ୍ଟମ ସଂପର୍କରେ ଗୃହ ବ୍ୟାପାର ସଂସଦୀୟ ଷ୍ଟାଣ୍ଡିଂ କମିଟି ନିକଟରେ ସ୍ବତନ୍ତ୍ର ଉପସ୍ଥାପନ କରାଯାଇଥିଲା। ଟେକ୍ନୋଲୋଜିକୁ ବ୍ୟବହାର କରି ଏହି ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ଉପରେ ମୋହର ଲାଗିଲେ ଏଭଳି ବ୍ୟବସ୍ଥା ଲାଗୁ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟଭାବେ ପରିଗଣିତ ହେବ।