ନୂଆଦିଲ୍ଲୀ : ଏମ୍ଏସ୍ପି ପ୍ରସଙ୍ଗରେ ସ୍ବାମୀନାଥନ୍ କମିଟି ରିପୋର୍ଟକୁ ପୂର୍ଣ୍ଣ ରୂପରେ ଲାଗୁ କରାଯାଉ। ସୋମବାର ଲୋକସଭାରେ ବିଜେଡି ପକ୍ଷରୁ ଏହି ଦାବି କରାଯାଇଛି। ସ୍ବାମୀନାଥନ କମିଟି ସୁପାରିସଗୁଡିକ ଲାଗୁ କରିବାପାଇଁ ପୂର୍ବରୁ ଓଡ଼ିଶା ବିଧାନସଭାରେ ସଂକଳ୍ପ ପାରିତ କରାଯାଇଥିବା ଦଳପକ୍ଷରୁ ଗୃହକୁ ଅବଗତ କରାଯାଇଛି।
ସୋମବାର ଲୋକସଭାରେ ବିଜେଡି ସାଂସଦ ପିନାକୀ ମିଶ୍ର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗନେଇ ସ୍ବାମୀନାଥନ୍ କମିଟି ସୁପାରିସ ଓ କୃଷି ଆନ୍ଦୋଳନ ସମ୍ପର୍କରେ ଉତ୍ଥାପନ କରିଥିଲେ। ସେ କହିଥିଲେ ଯେ, ଦିଲ୍ଲୀରେ ଜାରି ରହିଥିବା କୃଷକ ଆନ୍ଦୋଳନର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସରକାର ଓ କୃଷକ ମାନଙ୍କମଧ୍ୟରେ ଆଲୋଚନା ହେବାର ଆବଶ୍ୟକତା ରହିଛି। ଏଥିସହିତ ସାଂସଦ ଶ୍ରୀ ମିଶ୍ର ଅନ୍ୟ ପ୍ରସଙ୍ଗମାନ ଉତ୍ଥାପନ କରିବା ସହିତ ଚଳିତ ବଜେଟ ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍କୁ ଲୋକସଭାରେ ଗୃହୀତ କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ। ଚଳିତ ରେଳବଜେଟ୍ରେ ଗତବର୍ଷ ତୁଳନାରେ ବ୍ୟୟବରାଦ ୨୭ ପ୍ରତିଶତ ହ୍ରାସ କରାଯାଇଛି। ରାଜ୍ୟ ରେଳବାଇକୁ ଯଥେଷ୍ଟ ଅନୁଦାନ ଦେଉଥିବାବେଳେ ଓଡ଼ିଶାକୁ ଅନୁଦାନ କମିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ।
ଏହି ଅବସରରେ ସାଂସଦ ଶ୍ରୀ ମିଶ୍ର ସୁନ୍ଦରଗଡରେ ଦ୍ବିତୀୟ ଏଆଇଆଇଏମ୍ଏସ୍ର ତଥା ପୁରୀରେ ନିମ୍ହାନ୍ସ ଖୋଲିବାକୁ ଦାବି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/pinaki-mishra.jpg)