ପୁନଃନିର୍ମାଣ ପାଇଁ କଂଗ୍ରେସ ସୁଯୋଗ ଦେଇନଥିଲା

କେଦାରନାଥରେ ମୋଦି

କେଦାରନାଥ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେଦାରନାଥ ପୀଠ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ୨୦୧୩ରେ କେଦାରନାଥରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ପରେ ସେ ଏହାର ପୁନଃନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ। ସେହି ସମୟରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ତାଙ୍କର ଏହି ପ୍ରସ୍ତାବକୁ ତତ୍କାଳୀନ କଂଗ୍ରେସ ସରକାର ପ୍ରତ୍ୟାଖ୍ୟାନ କରିଥିଲା ବୋଲି ମୋଦି କହିଛନ୍ତି। ତେବେ ଏହି ପ୍ରକଳ୍ପର କାର୍ଯ୍ୟ ତାଙ୍କ ଦ୍ୱାରା ହିଁ ଆରମ୍ଭ ହେବା ବିଧିର ବିଧାନ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ବନ୍ୟାରେ ୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଏବଂ ବ୍ୟାପକ କ୍ଷୟକ୍ଷତି ପରେ ଏହି ପୀଠ ଓ ସଂଲଗ୍ନ ଅଂଚଳରେ ବ୍ୟାପକ ନିର୍ମାଣ କାର୍ଯ୍ୟ ପାଇଁ ଗୁଜରାଟ ସରକାର ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ତତ୍କାଳୀନ କଂଗ୍ରେସ ମୁଖ୍ୟମନ୍ତ୍ରୀ ବିଜୟ ବହୁଗୁଣାଙ୍କୁ ସେ ପ୍ରସ୍ତାବ ଦେଇଥିଲେ। କିନ୍ତୁ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ତଥା ୟୁପିଏ ସରକାର ଏଥିପାଇଁ ତାଙ୍କୁ ଅନୁମତି ଦେଇନଥିଲା ବୋଲି ମୋଦି କହିଛନ୍ତି। କେଦାରନାଥ ପୀଠର ବ୍ୟାପକ ବିକାଶ ଯୋଜନା ହାତକୁ ନିଆଯାଇଛି ଏବଂ ଏହାକୁ ବିଶ୍ୱସ୍ତରୀୟ କରିବା ପାଇଁ ସମସ୍ତ ଯୋଜନା ସରିଛି। ଏହି ପ୍ରକଳ୍ପ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର