ରେକର୍ଡ କଲେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠ, ୧୦ ଘଣ୍ଟାରେ ଶୁଣାଣି ହେଲା ୭୫ଟି ମାମଲା

ନୂଆଦିଲ୍ଲୀ: ପାଖାପାଖି ୧୦ ଘଣ୍ଟା ପର୍ଯ୍ୟନ୍ତ ବିଭିନ୍ନ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ସବୁ ପୁରୁଣା ରେକର୍ଡକୁ ଭାଙ୍ଗିଦେଇଛନ୍ତି ଜଷ୍ଟିସ ଚନ୍ଦ୍ରଚୂଡ ଓ ଜଷ୍ଟିସ ହିମା କୋହଲୀଙ୍କ ଖଣ୍ଡପୀଠ | ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ଦିନ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଡି ଚନ୍ଦ୍ରଚୂଡ ଏବଂ ଜଷ୍ଟିସ୍ ହିମା କୋହଲିଙ୍କ ଖଣ୍ଡପୀଠ ସକାଳୁ କାର୍ଯ୍ୟାରମ୍ଭ କରି ରାତି ପ୍ରାୟ ୯.୧୫ ପର୍ଯ୍ୟନ୍ତ  ଅନେକ ମାମଲାର ଶୁଣାଣି କରିଛନ୍ତି । ଏହି ସମୟରେ ପ୍ରାୟ ୭୫ଟି ମାମଲାର ଶୁଣାଣି ହୋଇଥିଲା। ସାଧାରଣ ଦିନରେ ନ୍ୟାୟିକ ପ୍ରକ୍ରିୟା ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ଶେଷ ହେଉଥିବା ବେଳେ ଜଷ୍ଟିସ୍ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ୍ କୋହଲିଙ୍କ ବେଞ୍ଚ ଦୁର୍ଗା ପୂଜା ଛୁଟି ପୂର୍ବରୁ ରାତି ୯:୧୦ ପର୍ଯ୍ୟନ୍ତ ଶୁଣାଣି କରିଥିଲେ | ମାମଲାର ଶୁଣାଣି ଶେଷ ହେବା ପରେ ଜଷ୍ଟିସ୍ ଡି ଚନ୍ଦ୍ରଚୂଡ ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଶୁକ୍ରବାର ଦିନ ଖଣ୍ଡପୀଠ ୧୦ ଘଣ୍ଟା ୪୦ ମିନିଟ୍ ପର୍ଯ୍ୟନ୍ତ ବିଭିନ୍ନ ମାମଲାର ଶୁଣାଣି କରିଥିଲେ । ଦଶହରା ଛୁଟି ପୂର୍ବରୁ ଶୁକ୍ରବାର ଶେଷ କାର୍ଯ୍ୟ ଦିବସ ଥିଲା | ଶୁଣାଣି ସ୍ଥଗିତ ରଖିବା ଅର୍ଥ ବହୁତ ଦିନ ଧରି ଅପେକ୍ଷା କରିବାକୁ ପଡିଥାନ୍ତା | ଗତ ମାସରେ ଅଗଷ୍ଟ ୧୬ରେ ଶେଷ ଥର ପାଇଁ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ସନ୍ଧ୍ୟା ୭.୪୫ ପର୍ଯ୍ୟନ୍ତ ଶୁଣାଣି କରିଥିଲା। ଚଳିତ ବର୍ଷ ଜୁଲାଇରେ ବର୍ତ୍ତମାନର ପ୍ରଧାନ ବିଚାରପତି ୟୁୟୁ ଲଲିତ ସକାଳ ୯.୩୦ ରେ ପରୀକ୍ଷାମୂଳକ ଭିତ୍ତିରେ ତାଙ୍କ କୋର୍ଟରେ ତାଲିକାଭୁକ୍ତ ମାମଲାଗୁଡ଼ିକର ଶୁଣାଣି ଆରମ୍ଭ କରିଥିଲେ। ସେ କହିଥିଲେ ଯେ ଯେତେବେଳେ ପିଲାମାନେ ପ୍ରସ୍ତୁତ ହୋଇ ସକାଳ ୭ଟାରେ ବିଦ୍ୟାଳୟକୁ ଯାଇପାରିବେ, ତେବେ ଆମେ କାହିଁକି ଶୀଘ୍ର କୋର୍ଟକୁ ଆସିପାରିବା ନାହିଁ ?

ସମ୍ବନ୍ଧିତ ଖବର