ଟୋକିଓ: ଆଜିକାଲି ଭିନ୍ନ ଭିନ୍ନ କୌଶଳ ପ୍ରଦର୍ଶନ କରି ନୂଆ ନୂଆ ବିଶ୍ବ ରେକର୍ଡ ସୃଷ୍ଟି କରିବା ଏକ ପ୍ରଥାରେ ପରିଣତ ହୋଇଗଲାଣି। ସାଧାରଣ ଲୋକ ଅବଗତ ନଥିବା ଅନେକ କାର୍ଯ୍ୟକଳାପରେ ରେକର୍ଡପ୍ରେମୀମାନେ ନିଜର କରାମତି ଦେଖାଇବାରେ ଆଗଭର। ସେଭଳି ଅନାମଧ୍ୟେୟ କଳାରେ କେହି କେହି ନିଜ ରେକର୍ଡକୁ ନିଜେ ଭାଙ୍ଗିବାର ଗୌରବ ଅର୍ଜନ କରୁଛନ୍ତି। ଏହି କ୍ରମରେ ଜାପାନର ଜଣେ ଯୁବକ ଥଣ୍ଡା ପାନୀୟ ରହୁଥିବା ୧୧ଟି ଖାଲି ଟିଣଡବାକୁ ମୁହଁରେ ଶୋଷି ରଖିବାରେ ବିଶ୍ବ ରେକର୍ଡ ସ୍ଥାପନ କରିଛନ୍ତି।
ସୁଚିନୋ କାନୋ ନାମକ ଏହି ୩୧ ବର୍ଷୀୟ ଯୁବକ ଏଥି ସହିତ ନିଜର ପୂର୍ବ ରେକର୍ଡକୁ ଭାଙ୍ଗିଛନ୍ତି। ପୂର୍ବରୁ ସେ ୨୦୦୯ ମସିହାରେ ମୁହଁରେ ୯ଟି ଟିଣଡବା ଧରିରଖି ଗିନିସ୍ ବିଶ୍ବ ରେକର୍ଡ କରିଥିଲେ। ତାଙ୍କ ପରେ ଜାମି କିତୋଁ ନାମ୍ନୀ ଅନ୍ୟତମ ଯୁବକ ୧୦ଟି ଟିଣଡବା ରଖି ନୂଆ ରେକର୍ଡ କରିଥିଲେ। ତେବେ ଏଥର ସୁଚିନୋ ସେଇ ରେକର୍ଡକୁ ଟପିଯାଇଛନ୍ତି। ଖାଲି ଡବାକୁ ଶୋଷି ରଖିବା ଏକ ସ୍ବତନ୍ତ୍ର କଳାକୌଶଳ ବୋଲି ସେ କହିଛନ୍ତି। ଏପରି ରେକର୍ଡ ସଂଖ୍ୟକ ଡବା ଚାପି ରଖିବାରେ ତାଙ୍କ ବିଶାଳ କପାଳ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ସୁଚିନୋ କହିଛନ୍ତି। ଏହି ଡବା ଶୋଷି ରଖିବା କରାମତି ତାଙ୍କୁ ନୂଆ ପରିଚୟ ଦେଇଛି ଏବଂ ସେ ଟୋକିଓର ବାର୍କୁ ଗଲେ ଅନ୍ୟମାନେ ତାଙ୍କର ଏହି କଳାକୌଶଳ ଦେଖିବାକୁ ବ୍ୟଗ୍ର ହୋଇଥା’ନ୍ତି।