ନୂଆଦିଲ୍ଲୀ: ୨୦୧୯ରେ ଦେଶରେ ଅଧାରୁ ଅଧିକ ଫାଶୀ ଦଣ୍ଡାଦେଶ ଦୁଷ୍କର୍ମଜନିତ ବୋଲି ଜଣାପଡ଼ିଛି। ୨୦୧୯ରେ ସମଗ୍ର ଦେଶର ବିଭିନ୍ନ କୋର୍ଟ ସର୍ବମୋଟ ୧୦୨ଟି ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ରାଜସ୍ଥାନରେ ସର୍ବାଧିକ ସଂଖ୍ୟକ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। ଯଦିଓ ଗତ ୪ ବର୍ଷ ତୁଳନାରେ ୨୦୧୯ରେ ମୃତ୍ୟୁଦଣ୍ଡାଦେଶ ସଂଖ୍ୟା କମ୍ ଅଛି, ମାତ୍ର ମୃତ୍ୟୁ ଦଣ୍ଡାଦେଶର ୫୨ ଶତକଡ଼ା ଅର୍ଥାତ୍ ଅଧାରୁ ଅଧିକ କେବଳ ଦୁଷ୍କର୍ମଜନିତ ବୋଲି ଜଣାପଡ଼ିଛି। ୨୦୧୯ରେ ରାଜସ୍ଥାନରେ ସର୍ବାଧିକ ୧୩ ଜଣଙ୍କୁ ଫାଶୀ ଦଣ୍ଡ ମିଳିଥିବାବେଳେ ଉତ୍ତରପ୍ରଦେଶରେ ୧୨, ମଧ୍ୟପ୍ରଦେଶରେ ୧୧, କର୍ଣ୍ଣାଟକରେ ୧୦, ପଶ୍ଚିମବଙ୍ଗରେ ୮, ଝାଡ଼ଖଣ୍ଡରେ ୮, ବିହାରରେ ୭, ଓଡ଼ିଶାରେ ୭, କେରଳରେ ୫, ଆସାମରେ ୪, ତାମିଲନାଡୁରେ ୪ ଏବଂ ତ୍ରିପୁରାରେ ସର୍ବନିମ୍ନ ଜଣେ ଦୋଷୀକୁ ଫାଶୀ ଦଣ୍ଡାଦେଶ ମିଳିଛି। ତେବେ ବିଭିନ୍ନ କୋର୍ଟ ଶୁଣାଇଥିବା ସମୁଦାୟ ଫାଶୀ ଦଣ୍ଡ ମଧ୍ୟରୁ ଶତକଡ଼ା ୫୨.୯୪ ପ୍ରତିଶତ କେବଳ ଦୁଷ୍କର୍ମଜନିତ ବୋଲି ଜଣାଯାଇଛି। ୨୦୧୬ରେ ବିଭିନ୍ନ କୋର୍ଟ ଦେଇଥିବା ଫାଶୀ ଦଣ୍ଡାଦେଶର ଶତକଡ଼ା ୧୮ ପ୍ରତିଶତ ଦୁଷ୍କର୍ମଜନିତ ହୋଇଥିବାବେଳେ ୨୦୧୯ରେ ଏହା ୫୨.୯୪ ପ୍ରତିଶତରେ ପହଞ୍ଚିଛି। ୨୦୧୨ରେ ପୋକ୍ସୋ ଆଇନରେ ପରିବର୍ତ୍ତନ ହେବା ପରେ ଅଧାରୁ ଅଧିକ ଫାଶୀ ଦଣ୍ଡାଦେଶ ଦୁଷ୍କର୍ମଜନିତ ମାମଲା ହୋଇପାରିଛି ବୋଲି କୁହାଯାଉଛି।
ସେହିଭଳି ୨୦୧୯ରେ ଘଟିଥିବା ହତ୍ୟାକାଣ୍ଡ ମଧ୍ୟରୁ ସର୍ବାଧିକ ଦୁଷ୍କର୍ମଜନିତ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି। ୨୦୧୯ରେ ଶତକଡ଼ା ୫୪ ପ୍ରତିଶତ ଦୁଷ୍କର୍ମଜନିତ ହତ୍ୟାକାଣ୍ଡ ଘଟିଥିବାବେଳେ ୨୮ ପ୍ରତିଶତ ସାଧାରଣ ହତ୍ୟାକାଣ୍ଡ, ୯ ପ୍ରତିଶତ ଆତଙ୍କଜନିତ ହତ୍ୟାକାଣ୍ଡ, ୬ ପ୍ରତିଶତ ଚୋରି ଓ ଡକାୟତି ଜନିତ ହତ୍ୟାକାଣ୍ଡ ଏବଂ ୫ ପ୍ରତିଶତ ଦଙ୍ଗାଜନିତ ହତ୍ୟାକାଣ୍ଡ ଘଟଣା ଘଟିଛି। ମୃତ୍ୟୁ ଦଣ୍ଡାଦେଶ ଓ ଦୁଷ୍କର୍ମଜନିତ ମୃତ୍ୟୁ ଦଣ୍ଡାଦେଶ ଅନୁପାତ ମଧ୍ୟ ସାରା ଦେଶରେ ବୃଦ୍ଧି ପାଇବାରେ ଲାଗିଛି। ଏହି ଅନୁପାତ ୨୦୧୯ରେ ସର୍ବାଧିକ ୫୨.୯ ପ୍ରତିଶତ ଥିଲାବେଳେ ୨୦୧୮ରେ ୪୧.୪, ୨୦୧୭ରେ ୩୯.୮, ୨୦୧୬ରେ ୧୮ ପ୍ରତିଶତ ଥିଲା। ସେହିଭଳି ୨୦୧୯ରେ ମିଳିଥିବା ଫାଶୀ ଦଣ୍ଡାଦେଶ ମଧ୍ୟରେ ନାବାଳକ ଓ ଯୁବ ଅପରାଧୀଙ୍କ ସଂଖ୍ୟା ସର୍ବାଧିକ ରହିଛି। ୨୦୧୯ରେ ମୋଟ ୧୦୨ ଜଣଙ୍କୁ ଫାଶୀ ଦଣ୍ଡାଦେଶ ମିଳିଥିବାବେଳେ ସେମାନଙ୍କ ମଧ୍ୟରୁ ୪୦ ଜଣଙ୍କ ବୟସ ୧୨ ବର୍ଷରୁ କମ୍ ବୋଲି ଜଣାଡ଼ିଛି।