ନୂଆଦିଲ୍ଲୀ: ବିଶ୍ବରେ ରେକର୍ଡ କୋଭିଡ୍‌ ସଂକ୍ରମଣ ଚିହ୍ନଟ ହୋଇଛି । ବିଶ୍ବରେ ଗତକାଲି ଦିନକରେ ୧୦ ଲକ୍ଷ ୪୪ ହଜାର ସଂକ୍ରମଣ ମାମଲା ଚିହ୍ନଟ ‌ହୋଇଛି। ପୂର୍ବ ରେକର୍ଡକୁ ଏହା ଭାଙ୍ଗି ଦେଇଛି। ଅତ୍ୟନ୍ତ ସଂକ୍ରାମକ ଓମିକ୍ରନ୍‌ ପ୍ରଜାତି ଏବେ ବୈଶ୍ବିକ ସ୍ତରରେ ଏକ ପ୍ରଭାବଶାଳୀ ପ୍ରଜାତିରେ ପରିଣତ ହୋଇଛି। ପୂର୍ବ ପ୍ରଜାତି ତୁଳନାରେ ଓମିକ୍ରନ୍‌ ୭୦ ଗୁଣା ଅଧିକ ସଂକ୍ରାମକ। କିନ୍ତୁ ଅତ୍ୟଧିକ ସଂକ୍ରାମକ ହୋଇଥିଲେ ସୁଦ୍ଧା ଏହା ଏତେ ଆକ୍ରାନ୍ତଙ୍କୁ ଗୁରୁତର କରୁନାହିଁ। ବିଶେଷ କରି ଟିକା ନେଇଥିବା ବ୍ୟକ୍ତି ଏବଂ ବୁଷ୍ଟର ଡୋଜ୍‌ ନେଇଥିବା ବ୍ୟକ୍ତିଙ୍କର ଓମିକ୍ରନ୍‌ କିଛି କ୍ଷତି କରିବନାହିଁ। ଓମିକ୍ରନ୍‌ ଯୋଗୁଁ ସଂକ୍ରମଣ ବଢ଼ିଚାଲିଥିଲେ ବି ବିଶ୍ବରେ କରୋନା ମୃତ୍ୟୁ ବଢ଼ିନାହିଁ। ଅକ୍ଟୋବର ମଧ୍ୟଭାଗରୁ ବିଶ୍ବରେ ସାପ୍ତାହିକ ହାରାହାରି କରୋନା ମୃତ୍ୟୁ ୭ ହଜାର ରହୁଛି। ଓମିକ୍ରନ୍‌ ଆତଙ୍କ ମଧ୍ୟ‌ରେ ଏବେ ଫ୍ରାନ୍ସ, ବ୍ରିଟେନ୍‌ ଏବଂ ଇଟାଲିରେ ଲଗାତାର ସଂକ୍ରମଣ ବଢ଼ିବାରେ ଲାଗିଛି।

Advertisment

ଅନ୍ୟପକ୍ଷେ ଆମେରିକାରେ ଓମିକ୍ରନ୍‌ ଆତଙ୍କ ଖେଳାଇ ଦେଇଛି। ଓମିକ୍ରନ୍‌ ପାଇଁ ଆମେରିକାରେ ସଂକ୍ରମଣ ବଢ଼ିଚାଲିଛି। ଆମେରିକାରେ ମୋଟ୍‌ କରୋନା ପ୍ରଜାତିର ୫୮.୬ ପ୍ରତିଶତ ହେଉଛି ଓମିକ୍ରନ୍‌। ଅନ୍ୟପକ୍ଷେ ୪୧.୪ ପ୍ରତିଶତ ମାମଲା ହେଉଛି ଡେଲ୍‌ଟା। ଆମେରିକାର ସିଡିସି (ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର) ତଥ୍ୟରୁ ଏହା ଜଣାପଡ଼ିଛି। ଆମେରିକା‌ ଏବଂ ୟୁରୋପୀୟ ରାଷ୍ଟ୍ରରେ ସଂକ୍ରମଣ ବଢ଼ିଥିବାରୁ ଏନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ସତର୍କ କରିଛନ୍ତି। ଓମିକ୍ରନ୍‌ ଏତେ ଭୟଙ୍କର ନୁହେଁ ବୋଲି ପୂର୍ବ ଅଧ୍ୟୟନ‌ରେ କୁହାଯାଇଥିଲେ ସୁଦ୍ଧା ‘ହୁ’ ସତର୍କ ରହିବାପାଇଁ କହିଛନ୍ତି । ସଂକ୍ରମଣ ବଢ଼ିବାରୁ ଚୀନ୍‌, ଜର୍ମାନୀରେ କଟକଣା କଡ଼ାକଡ଼ି ହୋଇଛି। ‘ହୁ’ର ୟେୁରୋପ କୋଭିଡ୍‌ ମ୍ୟାନେଜର କ୍ୟାଥେରିନ ସ୍ମଲଉଡ୍‌ କହିଛନ୍ତି, ଓମିକ୍ରନ୍‌ ସଂକ୍ରମଣ ମାଡ଼ି ଚାଲିଥିବାରୁ ହସ୍ପିଟାଲ୍‌ରେ ରୋଗୀଙ୍କ ସଂଖ୍ୟା ବଢ଼ିପାରେ। ବିଶେଷ କରି ଟିକା ନେଇନଥିବା ଅଧିକାଂଶ ଲୋକ ହସ୍ପିଟାଲରେ ଆଡମିଟ୍‌ ହୋଇପାରନ୍ତି ବୋଲି କ୍ୟାଥେରିନ କହିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି, କିଛି ହସ୍ପିଟାଲ୍‌ରେ ବେଡ୍‌ ନାହିଁ। କିନ୍ତୁ ଦେଶ କୋଭିଡ୍‌ର ନୂଆ ଲହରର ମୁକାବିଲା ପାଇଁ ଭଲଭାବେ ‌ପ୍ରସ୍ତୁତ ରହିଛି। ବାଇଡେନ୍‌ କହିଛନ୍ତି, ଓମିକ୍ରନ୍‌ ଚିନ୍ତାର କାରଣ କିନ୍ତୁ ଏହାକୁ ନେଇ ଭୟ କରିବା ଉଚିତ୍‌ ନୁହେଁ।