କୋଲକାତା: କୋଲକାତାରେ ଗତକାଲି ରାତି ସାରା ପ୍ରବଳ ବର୍ଷା ହେତୁ ପାଣି ଜମି ରହିବା ସହିତ ସହରର ବିସ୍ତୃତ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଯାହା ଫଳରେ ଯାତାୟାତ ବ୍ୟବସ୍ଥା ଠପ୍ ହୋଇଯାଇଛି। ଦୁର୍ଗାପୂଜା ଉତ୍ସବ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ପୃଥକ ପୃଥକ ଘଟଣାରେ ଅତି କମରେ ସାତ ଜଣ ଲୋକ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛନ୍ତି। ଯାହା ବନ୍ୟାର ଗମ୍ଭୀର ପ୍ରଭାବକୁ ସ୍ପଷ୍ଟ କରିଛି। ତେବେ ସହରରେ ପ୍ରବଳ ବର୍ଷା ଯୋଗୁ କୋଲକାତା ବିମାନବନ୍ଦର ରନୱେ ଜଳପୂର୍ଣ୍ଣ ଥିବା ଦୃଶ୍ୟ ଦେଖାଯାଇଥିବାରୁ ଅତି କମରେ ୩୦ଟି ବିମାନ ଉଡ଼ାଣକୁ ବାତିଲ କରାଯାଇଛି।

Advertisment

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଅନୁଯାୟୀ, ସହରରେ ମାତ୍ର ତିନି ଘଣ୍ଟା ମଧ୍ୟରେ ୧୮୫ ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ବର୍ଷକ ମଧ୍ୟରେ ସର୍ବାଧିକ।

ମୋଟାମୋଟି ଭାବରେ, ଆଲିପୁରରେ ୨୪ ଘଣ୍ଟା ମଧ୍ୟରେ ୨୪୭.୫ ମିମି ବର୍ଷା ହୋଇଛି ଏବଂ ଅନେକ ପଡ଼ୋଶୀ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଯାହା ରାସ୍ତା, ଘର ଏବଂ ବଜାରକୁ ବୁଡ଼ାଇ ଦେଇଛି। ଏହି ବର୍ଷା ରେଳ ଏବଂ ମେଟ୍ରୋ ସେବାକୁ ବାଧାପ୍ରାପ୍ତ କରିଛି, ଅନେକ ଦୂରଗାମୀ ଟ୍ରେନର ସମୟସୂଚୀ ପରିବର୍ତ୍ତନ ହୋଇଛି ଓ ଏହି ବର୍ଷା ଦଶହରା ପ୍ରସ୍ତୁତିକୁ ବାଧା ଦେଇଛି।

କୋଲକାତାର ଅନେକ ମଣ୍ଡପରେ ପାଣି ଜମି ରହିବା ଯୋଗୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ତାଙ୍କର ନିର୍ଦ୍ଧାରିତ ଦୁର୍ଗାପୂଜା ଉଦଘାଟନକୁ ବାତିଲ କରିଛନ୍ତି। ସେ ତାଙ୍କର ସମସ୍ତ ଯୋଜନାବଦ୍ଧ ବୈଠକ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରିଛନ୍ତି।