ଭାରତରେ ଚୀନ୍ କମ୍ପାନି ସାମଗ୍ରୀର ବିକ୍ରିରେ ବୃଦ୍ଧି

ନୂଆଦିଲ୍ଲୀ: ୨୦୨୦ ଜୁନରେ ଭାରତ ଓ ଚୀନ୍ ମଧ୍ୟରେ ହିଂସାତ୍ମକ ଝଗଡା ପରେ ରାଷ୍ଟ୍ରବାଦର ଯେଉଁ ନିଆଁ ଜଳିଥିଲା ତାହାର ତୀବ୍ରତା ବ୍ୟବସାୟ କ୍ଷେତ୍ରରେ ଏତେ ଅଧିକ ନଥିବାର ପ୍ରମାଣ ମିଳୁଛି। ଏହାର ପ୍ରମାଣ ଭାରତରେ ବଢୁଥିବା ଚୀନୀ ସାମଗ୍ରୀର ବିକ୍ରିରୁ ଜଣା ପଡିଛି।

ଭାରତରେ ଚୀନର ତିନି ପ୍ରମୁଖ ଇଲେକ୍ଟ୍ରୋନିକ୍ କମ୍ପାନି ସାଓମି, ଭିଭୋ ଓ ଲେନୋଭୋ କମ୍ପାନିର ସାମଗ୍ରୀର ବିକ୍ରି ଉପରେ କୌଣସି ପ୍ରଭାବ ପଡିନାହିଁ। ଏହି କମ୍ପାନିଗୁଡିକ ‘ରେଜିଷ୍ଟ୍ରାର୍ ଅଫ୍ କମ୍ପାନିଜ୍’କୁ ଜଣାଇଛନ୍ତି ଯେ ୨୦୨୦-୨୧ରେ କମ୍ପ୍ୟୁଟର୍ କମ୍ପାନି ଲେନୋଭୋର ବିକ୍ରି ଭାରତରେ ବଢିଛି। ତେବେ ଫୋନ୍ ନିର୍ମାତା ସିଓମି ଓ ଭିଭୋର ବିକ୍ରିରେ ସାମାନ୍ୟ ହ୍ରାସ ଘଟିଛି। ରିପୋର୍ଟ ଅନୁସାରେ, ୨୦୨୦ର କୋଭିଡ୍ କାରଣରୁ ଲକ୍-ଡାଉନ୍ ଯୋଗୁଁ ଓ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଲାଗି ତିଆରି ହେଉଥିବା ଉତ୍ପାଦର ଅଭାବ ଯୋଗୁଁ ସିଓମି ଓ ଲେନୋଭୋର ବିକ୍ରି ପ୍ରଭାବିତ ହୋଇଥିଲା।

ରେଜିଷ୍ଟ୍ରାର୍ ଅଫ୍ କମ୍ପୀନିଜ୍ ଫାଇଲିଂ ଅନୁସାରେ, ୨୦୨୧ ରେ ଦେଶର ସବୁଠାରୁ ବଡ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନି ସାଓମି ଇଣ୍ଡିଆ ଟେକ୍ନୋଲୋଜିର ଆୟରେ ୬ପ୍ରତିଶତ ହ୍ରାସ ଘଟି ୩୫,୫୦୪ କୋଟି ଟଙ୍କା ହୋଇଛି। ଭିଭୋ ମୋବାଇଲ୍ ଇଣ୍ଡିଆର ଆୟରେ ୧ ପ୍ରତିଶତ ହ୍ରାସ ଘଟି ୨୪,୨୭୪ କୋଟି ଟଙ୍କା ହୋଇଛି। ଲେନୋଭୋ ଇଣ୍ଡିଆର ମୋଟ ଆୟ ୨୦୨୧ରେ ୧୪ ପ୍ରତିଶତ ବଢି ୧୦,୩୮୯ କୋଟି ଥିଲା। ଅପ୍ପୋ କେତେ ଟଙ୍କା ଆୟ କରିଛି ସେ ବିଷୟରେ କୌଣସି ସୂଚନା ଅପ୍ପୋ ଦେଇନାହିଁ।

ସିଓମି କହିଛି ଆଗାମୀ ବର୍ଷରେ ଆୟ ବୃଦ୍ଧି କରିବା ପାଇଁ ପ୍ରୟାସ କରାଯିବ। ୨୦୨୧ ଆର୍ଥିକ ବର୍ଷରେ ଭିଭୋ ୫୫୨ କୋଟି ଟଙ୍କା ଶୁଦ୍ଧ ଲାଭ କରିଥିଲା। ୨୦୨୦ରେ ଭିଭୋର ୩୪୮ କୋଟି ଟଙ୍କାର ଶୁଦ୍ଧ କ୍ଷତି ହୋଇଥିଲା। ସିଓମିର ଶୁଦ୍ଧ ଲାଭ ୨୦୨୧ରେ ୩୧ ପ୍ରତିଶତ ହ୍ରାସ ହୋଇ ୨୭୫ କୋଟି ଥିଲା। ଲୋନୋଭୋ ଇଣ୍ଡିଆର ଶୁଦ୍ଧ ଲାଭ ୨୦୨୧ରେ ୧୭ ପ୍ରତିଶତ ହ୍ରାସ ପାଇ ୫୯ କୋଟି ହୋଇଥିଲା।

ସମ୍ବନ୍ଧିତ ଖବର