ଅବସରପ୍ରାପ୍ତ ଅଧିକାରୀଙ୍କ ନିଯୁକ୍ତିରେ ସିଭିସି କଣ୍ଟା
ନିଯୁକ୍ତି ପୂର୍ବରୁ ଭିଜିଲାନ୍ସ କ୍ଳିୟରାନ୍ସ ଜରୁରୀ, ଆଳାପନ ବନ୍ଦୋପାଧ୍ୟାୟ ମାମଲାରୁ ଶିକ୍ଷା
ନୂଆଦିଲ୍ଲୀ : ଅବସରପ୍ରାପ୍ତ ସରକାରୀ ଅଧିକାରୀମାନଙ୍କୁ ଅବସର ପରେ ଠିକା ଭିତ୍ତିରେ ଉପଦେଷ୍ଟା ବା କନ୍ସଲଟାଣ୍ଟ୍ ଆଦି ଭାବେ ଠିକା ଭିତ୍ତିରେ ନିଯୁକ୍ତି ଦିଆଯାଉଛି। ଅବସର ପୂର୍ବରୁ ଏହି ଅଧିକାରୀମାନେ କାର୍ଯ୍ୟ କରୁଥିବା ସଂସ୍ଥାରୁ ସେମାନଙ୍କ ସଂପର୍କରେ ଭିଜିଲାନ୍ସ ତଥ୍ୟ ସଂଗ୍ରହ ପାଇଁ କୌଣସି ନିର୍ଧାରିତ ପଦ୍ଧତି ସ୍ଥିରୀକୃତ ହୋଇନାହିଁ। ଭିଜିଲାନ୍ସ କ୍ଲିୟରାନ୍ସ ଅନୁମତି ନେବା ପାଇଁ ନିର୍ଦ୍ଦିଷ୍ଟ ନିୟମ ନଥିବା ଯୋଗୁ ଅନେକ ଖରାପ ରେକର୍ଡ ଥିବା ସରକାରୀ ଅଧିକାରୀମାନେ ଅବସର ପରେ ନିଯୁକ୍ତି ପାଇଯାଉଛନ୍ତି। ଏହାଦ୍ବାରା ଉକ୍ତ ଅଧିକାରୀଙ୍କ ବିରୋଧରେ ନିଯୁକ୍ତିରେ ପ୍ରିୟାପ୍ରୀତି ଅଭିଯୋଗ ଆସୁଛି ବୋଲି କେନ୍ଦ୍ରୀୟ ସତର୍କତା ଆୟୋଗ (ସିଭିସି) କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସିଭିସି ସରକାରୀ ପ୍ରତିଷ୍ଠାନଗୁଡ଼ିକରେ ଅବସରପ୍ରାପ୍ତ ସରକାରୀ ଅଧିକାରୀମାନଙ୍କ ନିଯୁକ୍ତି ନେଇ ସିଭିସି କେତେକ ନିୟମ ପ୍ରସ୍ତୁତ କରିଛନ୍ତି। ସର୍ବଭାରତୀୟ ସେବାର ଅଧିକାରୀ, କେନ୍ଦ୍ର ସରକାର କିମ୍ବା କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଗ୍ରୁପ୍ ଏ ଅଧିକାରୀଙ୍କୁ ଠିକା ଭିତ୍ତିରେ ନିଯୁକ୍ତି ଦେବା ପୂର୍ବରୁ ସଂପୃକ୍ତ ଅଧିକାରୀମାନେ ଯେଉଁ ବିଭାଗରେ କାର୍ଯ୍ୟ କରୁଥିଲେ ସେଠାରୁ ଭିଜିଲାନ୍ସ କ୍ଲିୟରାନ୍ସ ନେବାକୁ ହେବ। ନିକଟରେ ପଶ୍ଚିମବଂଗ ମୁଖ୍ୟ ସଚିବ ପଦରେ ଥିବା ଆଳାପନ ବନ୍ଦୋପଧ୍ୟାୟ କେନ୍ଦ୍ର ସରକାରଙ୍କ ବଦଳି ଆଦେଶକୁ ବେଖାତିର କରି ଅବସର ପୂର୍ବରୁ ଚାକିରିରୁ ଇସ୍ତଫା ଦେଇ ରାତାରାତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରାମର୍ଶଦାତା ବନିଯିବା ପରେ କେନ୍ଦ୍ର ସରକାର ଏହି ମାମଲାରୁ ଶିକ୍ଷା ଗ୍ରହଣ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସିଭିସିର ନୂଆ ନିୟମ ଅୁନଯାୟୀ ଯଦି ଅବସରପ୍ରାପ୍ତ ଅଧିକାରୀଜଣକ ଏକାଧିକ ବିଭାଗରେ କାର୍ଯ୍ୟ କରିଥାନ୍ତି ସେ କ୍ଷେତ୍ରରେ ଅବସର ଗ୍ରହଣର ୧୦ ବର୍ଷ ପୂର୍ବରୁ ସଂପୃକ୍ତ ଅଧିକାରୀ ଯେଉଁସବୁ ବିଭାଗରେ କାର୍ଯ୍ୟ କରିଛନ୍ତି ସେସବୁ ସ୍ଥାନରୁ ଭିଜିଲାନ୍ସ କ୍ଲିୟରାନ୍ସ ଆଣିବାକୁ ହେବ। ତୃତୀୟତଃ ଏକସଙ୍ଗରେ କେନ୍ଦ୍ରୀୟ ସତର୍କତା ଆୟୋଗକୁ ମଧ୍ୟ ଏନେଇ ଭିଜିଲାନ୍ସ କ୍ଲିୟରାନ୍ସ ସଂପର୍କରେ ଯୋଗାଯୋଗ କରାଯାଇ ପାରିବ।
ଚତୁର୍ଥତଃ ପୂର୍ବତନ ନିଯୁକ୍ତିଦାତାଙ୍କ ନିକଟକୁ ସ୍ପିଡ୍ ପୋଷ୍ଟରେ ଅନୁମତି ମାଗିବାର ୧୫ ଦିନ ମଧ୍ୟରେ ଯଦି କୌଣସି ଉତ୍ତର ନମିଳେ ତାହେଲେ ସେମାନଙ୍କ ପାଖକୁ ଭିଜିଲାନ୍ସ କ୍ଲିୟରାନ୍ସ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ମନେ ପକାଇ ଦେବା ନେଇ ଏକ ଚିଠି କରାଯିବ। ଅନୁମତି ସଂକ୍ରାନ୍ତ ପ୍ରଥମ ଚିଠି ପଠାଯିବାର ୨୧ ଦିନ ମଧ୍ୟରେ ଯଦି ସଂପୃକ୍ତ ସଂସ୍ଥା କୌଣସି ଉତ୍ତର ନଦିଅନ୍ତି ତାହେଲେ ସଂପୃକ୍ତ ଅଧିକାରୀଙ୍କ ପାଇଁ ଭିଜିଲାନ୍ସ ସବୁଜସଂକେତ ମିଳିଥିବା ଧରି ନିଆଯିବ। କିନ୍ତୁ ଯଦି ପରେ ଜଣାପଡ଼େ ଯେ ସଂପୃକ୍ତ ଅଧିକାରୀଜଣକ ନାମରେ ଭିଜିଲାନ୍ସ ସଂପର୍କିତ ଅଭିଯୋଗ ରହିଛି କିମ୍ବା ଭିଜିଲାନ୍ସ ଦୃଷ୍ଟିରୁ ତାଙ୍କୁ ଅନୁମତି ଦିଆଯାଇ ନାହିଁ ସେହି ସମୟର ନିଯୁକ୍ତିଦାତା ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଦାୟୀ ରହିବେ। ଉପରୋକ୍ତ ପ୍ରଥମ ଚାରିଟି ଯାକ ସର୍ତ୍ତ ପୂରଣ କରିବା ସହିତ ଭିଜିଲାନ୍ସ ଅନୁମତି/ଭିଜିଲାନ୍ସ ସୂଚନା ମିଳିବା ପରେ ହିଁ ସେମାନଙ୍କୁ ଅବସର ପରବର୍ତ୍ତୀ ନିଯୁକ୍ତି ପାଇଁ ହିଁ କେବଳ ବିବେଚନା କରାଯିବ।
ସପ୍ତମ ବିଷୟ ହେଲା ଅବସରପରେ ଯେଉଁ ପଦବି ପାଇଁ ସରକାର ନିଯୁକ୍ତି ଦେବାକୁ ଯାଉଛନ୍ତି ସେହି ପଦପାଇଁ ଆଗ୍ରହୀ ବା ଇଚ୍ଛୁକ ବ୍ୟକ୍ତିମାନଙ୍କ ପାଇଁ ସମାନ ସୁଯୋଗ ଯେଭଳି ମିଳିବ ସେଥିପାଇଁ ସ୍ବଚ୍ଛ ପଦ୍ଧତି ଅବଲମ୍ବନ କରାଯିବ। ଯେଉଁ ପଦବି ପାଇଁ ନିଯୁକ୍ତି ଦିଆଯିବ ସେଥିପାଇଁ ଅତିକମରେ ସଂପୃକ୍ତ ସଂସ୍ଥାର ୱେବସାଇଟ୍ର ଉପଯୁକ୍ତ ସ୍ଥାନରେ ବିଜ୍ଞାପନ ଦିଆଯିବ ଏବଂ ଏହି ବିଜ୍ଞାପନ ସର୍ବସାଧାରଣରେ ମଧ୍ୟ ଉପଲବ୍ଧ ହେବା ଆବଶ୍ୟକ।
ଏଥିସହିତ ଘରୋଇ କ୍ଷେତ୍ରରେ ମଧ୍ୟ ସରକାରୀ ଅଧିକାରୀମାନେ ଅବସର ନେବା ପରେ ପରେ ନିଯୁକ୍ତ ହେଉଛନ୍ତି। ଅଧିକାଂଶ କ୍ଷେତ୍ରରେ ଦେଖାଯାଉଛି ଘରୋଇ ସଂସ୍ଥାରେ ନିଯୁକ୍ତ ହେବା ପୂର୍ବରୁ ସେମାନେ ‘କୁଲିଂ ଅଫ୍ ପିରିୟଡ’ ମଧ୍ୟ ପାଳନ କରୁନାହାନ୍ତି। ତେଣୁ ସବୁ ସରକାରୀ ସଂସ୍ଥା ସେମାନଙ୍କ କର୍ମଚାରୀଙ୍କ ପାଇଁ କୁଲିଂ ଅଫ୍ ପିରିୟଡ ନିମନ୍ତେ ଉପଯୁକ୍ତ ନିୟମ/ନିର୍ଦ୍ଦେଶାବଳି ପ୍ରସ୍ତୁତକୁ ନିଶ୍ଚିତ କରିବେ। ଏହି ମର୍ମରେ ଭାରତ ସରକାରଙ୍କ ସବୁ ମନ୍ତ୍ରାଳୟ/ବିଭାଗ, କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ରାଷ୍ଟ୍ରାୟତ୍ତ ବୀମା କମ୍ପାନି, ସ୍ବଂୟଶାସିତ ସଂସ୍ଥା, ଏସବୁ ମନ୍ତ୍ରାଳୟ ଓ ବିଭାଗର ସିଭିଓଙ୍କୁ ଅବଗତ କରାଯାଇଛି।