ନୂଆଦିଲ୍ଲୀ: ଦକ୍ଷିଣ ଓ ପଶ୍ଚିମ ଭାରତରେ ମୌସୁମୀ ଆଗମନ ପରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଦେଶର ପୂର୍ବ ଭାଗରେ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୀଘ୍ର ଆଗମନ ଯୋଗୁଁ କେରଳରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁଁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୯ଟି ଘର ସମ୍ପୂର୍ଣ୍ଣ ଓ ୮୬୮ଟି ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷକରି ୱାୟନାଡ, ଇଡୁକ୍କି ଓ କୋଝିକୋଡ଼ରେ କ୍ଷତିଗ୍ରସ୍ତ ବାସିନ୍ଦାଙ୍କୁ ଆଶ୍ରୟ ଦେବା ପାଇଁ ଏକାଧିକ ରିଲିଫ୍ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। କର୍ଣ୍ଣାଟକର ଉପକୂଳବର୍ତ୍ତୀ ଅଞ୍ଚଳରେ ଲଗାତାର ଚତୁର୍ଥ ଦିନ ପାଇଁ ପ୍ରବଳ ବର୍ଷା ହୋଇଛି, ବିଶେଷକରି ଦକ୍ଷିଣ କନ୍ନଡରେ, ଯେଉଁଠାରେ ରାସ୍ତା, ଘର ଓ ଚାଷ ଜମି ଜଳମଗ୍ନ ହୋଇଛି। ମହାରାଷ୍ଟ୍ରରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପ୍ରଭାବିତ ଅଞ୍ଚଳରୁ ୪୮ ଜଣଙ୍କୁ ଉଦ୍ଧାର କରାଯାଇଛି। ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସହରର ବନ୍ୟା ପାଇଁ ମୌସୁମୀର ଶୀଘ୍ର ଆଗମନକୁ ଦାୟୀ କରିଥିବା ବେଳେ ବିରୋଧୀ ଦଳମାନେ ସରକାରଙ୍କ ଅବ୍ୟବସ୍ଥା ଓ ଉଦାସୀନତାକୁ ଦାୟୀ କରିଛନ୍ତି।
କୋଲକାତା ଓ ଦକ୍ଷିଣବଙ୍ଗରେ ସୋମବାର ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି, ଯାହାକୁ ଆଇଏମ୍ଡି ଅଧିକାରୀମାନେ ପ୍ରାକ୍ ମୌସୁମୀ ବର୍ଷା ବୋଲି କହିଛନ୍ତି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ୨୮ ତାରିଖରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ତ୍ରିପୁରା, ମଣିପୁର, ନାଗାଲାଣ୍ଡ ଓ ଅରୁଣାଚଳ ପ୍ରଦେଶ ସମେତ ଉତ୍ତର-ପୂର୍ବର ବିଶାଳ ଅଞ୍ଚଳକୁ ଅଗ୍ରସର ହୋଇସାରିଛି। ଆଇଏମ୍ଡିର ସାପ୍ତାହିକ ପୂର୍ବାନୁମାନ ଅନୁଯାୟୀ, ମେ ଶେଷ ସପ୍ତାହରେ ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳରେ ବଜ୍ରପାତ ସହ ବର୍ଷା ହେବା ଓ ପବନ ବହିବାର ସମ୍ଭାବନା ରହିଛି। ଘଣ୍ଟାପ୍ରତି ୬୦ କିଲୋମିଟର ବେଗରେ ପବନ ବହିବା ସହ ତାପମାତ୍ରା ୨୫ରୁ ୩୭ ଡିଗ୍ରି ମଧ୍ୟରେ ରହିବ। ରାଜଧାନୀରେ ୧୯୦୧ ମସିହା ପରଠାରୁ ମେ ମାସରେ ସର୍ବାଧିକ ୧୮୬.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା କି ୨୦୦୮ର ୧୬୫ ମିଲିମିଟର ରେକର୍ଡକୁ ଅତିକ୍ରମ କରିଛି। ହିମାଚଳ ପ୍ରଦେଶ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ଯେ ମେ ୨୭ରୁ ଏକାଧିକ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଓ କୁଆପଥର ବର୍ଷା ହେବ। ଜୁନ୍ ପହିଲା ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ବେଳେ ୨୯ ଓ ୩୦ ତାରିଖରେ ୧୨ଟି ଜିଲ୍ଲାରେ ପବନ ଓ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।