ରାଜସ୍ଥାନ ବିଧାନସଭାରେ ନାଲି ଡାଏରି ଝଡ଼

ଜୟପୁର: ରାଜସ୍ଥାନର ବହିଷ୍କୃତ ମନ୍ତ୍ରୀ ରାଜେନ୍ଦ୍ର ଗୁଧା ସୋମବାର ବିଧାନସଭାରେ ଏକ ନାଲି ଡାଏରି ଦେଖାଇ ସେଥିରେ ବେଆଇନ ଆର୍ଥିକ କାରବାରର ବିବରଣୀ ରହିଛି ବୋଲି ଦାବି କରିବା ପରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା ଏବଂ ଗୃହକୁ ମୁଲତବୀ ରଖିବାକୁ ପଡ଼ିଥିଲା। ରାଜସ୍ଥାନର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଗେହଲଟଙ୍କ ୫୦ରୁ ଊର୍ଦ୍ଧ୍ବ ବିଧାୟକ ଆକ୍ରମଣ କରିଥିଲେ, ଗୋଇଠା ମାରିଥିଲେ ଏବଂ ଘୋଷାରି ଘୋଷାରି ଗୃହରୁ ବାହାର କରିଦେଇଥିଲେ। ସେ ପୁଣି ଅଭିଯୋଗ କରିଛନ୍ତି ଯେ ବାଚସ୍ପତି ତାଙ୍କୁ କହିବାକୁ ସୁଯୋଗ ଦେଇ ନ ଥିଲେ।

‘ଗେହଲଟଙ୍କ ବିଧାୟକମାନେ ମୋତେ ଗୋଇଠା ମାରିଛନ୍ତି’
ବହିଷ୍କୃତ ରାଜସ୍ଥାନ ମନ୍ତ୍ରୀ ଗୁଧାଙ୍କୁ ଗୃହରୁ ଘୋଷାରି ଘୋଷାରି ବାହାରେ ଛଡ଼ାଯାଇଥିଲା

‘ମୁଁ ବିଜେପି ସହ ହାତ ମିଳାଇଛି ବୋଲି ସେମାନେ ଅଭିଯୋଗ କରୁଛନ୍ତି। ମୁଁ ଜାଣିବାକୁ ଚାହେ ମୋର ଦୋଷ କ’ଣ’ ବୋଲି ଗୁଧା କହିଛନ୍ତି। ନିଜ କଂଗ୍ରେସ ସରକାରକୁ ଘେରିବା ପରେ ଶୁକ୍ରବାର ଗୁଧାଙ୍କୁ ମନ୍ତ୍ରିପଦରୁ ବହିଷ୍କାର କରାଯାଇଥିଲା। ସେ ଏକ ନାଲି ଡାଏରି ହାତରେ ଧରି ବାଚସ୍ପତି ସିପି ଯୋଶୀଙ୍କ ପାଖକୁ ଆସି ତାଙ୍କ ସହ ଯୁକ୍ତି କରିଥିଲେ। ସେ ନାଲି ଡାଏରି ହଲାଇବା ପରେ ତାଙ୍କୁ ବାଚସ୍ପତି ତାଙ୍କ ଚାମ୍ବରକୁ ଆସିବା ପାଇଁ କହିଥିଲେ। କିଛି ସମୟ ପରେ ଗୁଧା ସଂସଦୀୟ ବ୍ୟାପାର ମନ୍ତ୍ରୀ ଶାନ୍ତି ଧଡ଼ିୱାଲଙ୍କ ପାଖକୁ ଆସିଥିଲେ ଏବଂ ସେ କହିବାକୁ ଠିଆ ହେଲାବେଳେ ତାଙ୍କ ସହ ମୁହାଁମୁହିଁ ହୋଇଥିଲେ। ବିଜେପି ବିଧାୟକମାନେ ମଧ୍ୟ ଗୃହ ମଧ୍ୟଭାଗକୁ ଆସି ନାଲି ଡାଏରି ପ୍ରସଙ୍ଗରେ ହୋହଲ୍ଲା କରିଥିଲେ। ଏହାପରେ ବାଚସ୍ପତି ଗୃହକୁ ମୁଲତବି ରଖିଥିଲେ ଏବଂ ଅନୁଚିତ ବ୍ୟବହାର ପ୍ରଦର୍ଶନ ପାଇଁ ଗୁଧାଙ୍କୁ ଗୃହରୁ ନିଲମ୍ବନ କରିଥିଲେ।

ସକାଳେ ଗୃହକାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଗୁଧା କହିଥିଲେ ଯେ ସେ ନାଲି ଡାଏରିର ରହସ୍ୟ ଉନ୍ମୋଚନ କରିବେ ଯେଉଁଥିରେ ଆର୍ଥିକ ଅନିୟମିତତା ସମ୍ପର୍କରେ ଅନେକ ଗୁପ୍ତ ତଥ୍ୟ ରହିଛି।
ଗୁଧା କହିଛନ୍ତି, ସେ ମଙ୍ଗଳବାର ଲୋକଙ୍କ ପାଖକୁ ଯାଇ ନାଲି ଡାଏରିର ରହସ୍ୟ ଖୋଲିବେ। ସେ ପୁଣି କହିଛନ୍ତି ଯେ, ଆର୍‌ଟିଡିସି ଅଧ୍ୟକ୍ଷ ଧର୍ମେନ୍ଦ୍ର ରୋଠୋଡ଼ଙ୍କ ଘରେ ଆୟକର ବିଭାଗ ଚଢ଼ଉ କରିବା ସମୟରେ ସେ ଏହି ଡାଏରି ପାଇଥିଲେ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କୁଆଡ଼େ ତାଙ୍କୁ କହିଥିଲେ ଚଢ଼ଉ ସମୟରେ ରାଠୋଡ଼ଙ୍କ ଘରକୁ ଯାଇ ନାଲି ଡାଏରିଟି ଆଣିବା ପାଇଁ। ଏହି ଡାଏରିଟି ସ୍ବୟଂ ରାଠୋଡ଼ ଲେଖିଛନ୍ତି, ଯେଉଁଥିରେ ସେ ବିଧାୟକମାନଙ୍କୁ ଟଙ୍କା ଦେଇଥିବା ଉଳ୍ଲେଖ କରିଛନ୍ତି।

ସ୍ବୟଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କ ପୁଅ ବୈଭବ ଗେହଲଟଙ୍କ ନାମ ବି ଏହି ଡାଏରିରେ ରହିଛି। ବିରୋଧୀ ଦଳ ନେତା ରାଜେନ୍ଦ୍ର ରାଠୋଡ଼ କହିଛନ୍ତି, ଗୃହରେ ଯାହା ଘଟିଲା ତାହା ଲଜ୍ଜାଜନକ। ଗୁଧା କିଛି କହିବାକୁ ଚାହୁଥିଲେ ଏବଂ ସେଥିପାଇଁ ତାଙ୍କୁ ଅନୁମତି ଦେବା ଉଚିତ ଥିଲା। ରାଠୋଡ଼ ଏହି ଡାଏରି ପ୍ରସଙ୍ଗ ଉଠାଇବା ସହ ଶୂନ୍ୟକାଳରେ ହଟ୍ଟଗୋଳ ଆରମ୍ଭ କରିଥିଲେ।
ଇତିମଧ୍ୟରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଗଜେନ୍ଦ୍ର ସିଂହ ଶେଖାୱତ ଗୁଧାଙ୍କ ନାଲି ଡାଏରି ନେଇ କୌତୂହଳ ପ୍ରକାଶ କରିଛନ୍ତି। ସେ କହିଛନ୍ତି- ମୁଁ ଅଶୋକ ଗେହଲଟଙ୍କ ପଚାରିବାକୁ ଚାହେ, ଏ ନାଲି ଡାଏରି କ’ଣ? କାହିଁକି ଏହାକୁ ନେଇ ସରକାରରେ ଏତେ ଆଲୋଡନ? ପ୍ରଶ୍ନକାଳରେ ଗୃହରେ ଗୁଧା ଉପସ୍ଥିତ ନ ଥିଲେ।

ସମ୍ବନ୍ଧିତ ଖବର