ନୂଆଦିଲ୍ଲୀ: ଐତିହାସିକ ଲାଲକିଲ୍ଲା ଉପରେ ବି ପ୍ରଦୂଷଣର ପ୍ରଭାବ ପଡ଼ିବାରେ ଲାଗିଲାଣି। ଦିଲ୍ଲୀର ବିଷାକ୍ତ ବାୟୁ ଲାଲକିଲ୍ଲାକୁ କ୍ଷତି ପହଞ୍ଚାଉଥିବା ଗ‌ବେଷଣାରୁ ଜଣାପଡ଼ିଛି।

Advertisment

ନିକଟରେ କରାଯାଇଥିବା ଗବେଷଣା ରିପୋର୍ଟରେ ଦାବି କରାଯାଇଛି ଯେ ୧୭ ଶତାବ୍ଦୀର ସ୍ମାରକୀ ଥିବା ଲାଲକିଲ୍ଲାର ଲାଲବାଲିପଥର କାନ୍ଥରେ କଳାରଙ୍ଗର ଏକ ସ୍ତର କ୍ରମାଗତ ଭାବେ ଜମା ହେବାରେ ଲାଗିଛି। ଯାହା ଏହାର ଗଠନ ଏବଂ ସୌନ୍ଦର୍ଯ୍ୟକୁ ବିପଦରେ ପକାଇଛି।

ଭାରତର ବିଜ୍ଞାନ ଏବଂ ପ୍ରଯୁକ୍ତି ବିଭାଗ ଏବଂ ଇଟାଲୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟରେ ଏକ ସହଯୋଗର ଅଂଶ ଭାବରେ ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ-ରୁରକି, ଭାରତୀୟ ପ୍ରଯୁକ୍ତି ସଂସ୍ଥାନ-କାନପୁର, ଫୋସ୍କାରି ବିଶ୍ୱବିଦ୍ୟାଳୟ ଭେନିସ୍ ଏବଂ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର ବୈଜ୍ଞାନିକମାନେ ଏହି ବର୍ଷ ଲାଲକିଲ୍ଲାର କାନ୍ଥକୁ ନେଇ ଗବେଷଣା କରିଥିଲେ।

ଫଳାଫଳରୁ ଜଣାପଡିଛି ଯେ କଳା ମାଟିର ଘନତା ଆବାସିକ ଅଞ୍ଚଳରେ ପ୍ରାୟ ୦.୦୫ମିଲିମିଟର ପତଳା ଜମାଠାରୁ ଆରମ୍ଭ କରି ଅଧିକ ଯାତାୟାତ ଥିବା ଅଞ୍ଚଳର କାନ୍ଥରେ ୦.୫ ମିଲିମିଟର ଘନ ସ୍ତର ଜମା ହୋଇଛି। ଯାହାକି କାନ୍ଥରେ ଥିବା ଜଟିଳ କାରୁକାର୍ଯ୍ୟକୁ ନଷ୍ଟ କରି ଦେବାର ଆଶଙ୍କା ସୃଷ୍ଟି କରୁଛି।