ନୂଆଦିଲ୍ଲୀ: ଗତ ସପ୍ତାହ ମଧ୍ୟରେ ୨୫ ରୁ ୩୦ଟି ସାମଗ୍ରୀ ଉପରେ ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ହ୍ରାସ କରାଇବା ନିମନ୍ତେ କ୍ଷେତ୍ର ପ୍ରସ୍ତୁତ କରାଯାଇଛି। ଏୟାର୍‌ କଣ୍ଡିସନର୍‌, ବାସନମଜା ସାବୁନ ଓ ଡିଜିଟାଲ୍‌ କ୍ୟାମେରା ଆଦି ସାମଗ୍ରୀ ଏଥିରେ ଅନ୍ତର୍ଭୁକ୍ତ। କେବଳ ବିଳାସମୟ ସାମଗ୍ରୀ ସବୁ ଜିଏସ୍‌ଟିର ସର୍ବୋଚ୍ଚ ସ୍ଲାବ୍‌ ୨୮%ରେ ରହୁଛି ଏବଂ ବାକି ୯୯% ଉତ୍ପାଦ ଏବଂ ସେବା ଜିଏସ୍‌ଟିର ନିମ୍ନସ୍ତର ୧୮%ରେ ରହିବା କଥା ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।

Advertisment

ସରକାର ବାରମ୍ବାର କହିଛନ୍ତି ଯେ ଟିକସ ସଂଗ୍ରହରେ ଅଗ୍ରଗତି ଏବଂ ନିୟମ ପାଳନ କ୍ଷେତ୍ରରେ ଉନ୍ନତି ଘଟିଲେ ଦର ହ୍ରାସ କଥା ବିଚାର କରିବେ। ମଙ୍ଗଳବାର ଦିନ ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ମୋଦି କହିଛନ୍ତି: ଆଜି ଜିଏସ୍‌ଟି ସିଷ୍ଟମ୍‌ ବୃହତ୍ତର କ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରିଛି ଏବଂ ଆମେ ଏ ଭଳି ଏକ କ୍ଷେତ୍ର ନିମନ୍ତେ ପ୍ରସ୍ତୁତି କରୁଛୁ ଯେଉଁଥିରେ ୯୯% ସାମଗ୍ରୀ ଜିଏସ୍‌ଟି ସ୍ଲାବ୍‌ର ନିମ୍ନ ସ୍ତର ୧୮%ରେ ରହିବ।

publive-image

ଶନିବାର ଦିନ ଜିଏସ୍‌ଟି ପରିଷଦର ବୈଠକ ବସିଲେ ସେଥିରେ କୃଷି ସମ୍ବନ୍ଧୀୟ ସାମଗ୍ରୀର ମୂଲ୍ୟ ହ୍ରାସ ପାଇବ। ଜୁଲାଇ ୨୦୧୭ରେ ଜିଏସ୍‌ଟି ପ୍ରଚଳନ ହେବା ସମୟରେ ସର୍ବୋଚ୍ଚ ସ୍ଲାବ୍‌ରେ ଥିବା ୨୨୬ଟି ସାମଗ୍ରୀର ସଂଖ୍ୟା ଏବେ ୩୫ରେ ପହଞ୍ଚିଲାଣି।

ଜିଏସ୍‌ଟିର ସର୍ବୋଚ୍ଚ ସ୍ତରରେ ଥିଲା ଅଟୋମୋବାଇଲ୍‌, ମୃଦୁ ପାନୀୟ, ସିଗାରେଟ୍‌, ପାନ ମସଲା, ତମାଖୁ, ୟାଚ୍‌ ଡଙ୍ଗା, ବ୍ୟକ୍ତିଗତ ବ୍ୟବହାର ନିମନ୍ତେ ବିମାନ, ରିଭଲ୍‌ଭର ଓ ପିସ୍ତଲ ଆଦି ସାମଗ୍ରୀ।

ଏବେ ସିମେଣ୍ଟ୍‌, ଟାୟାର୍‌ ଏବଂ ମଟର ଯନ୍ତ୍ରାଂଶ ଉପରେ ଦର ହ୍ରାସ ପାଇବ ବୋଲି ସୂଚନା ମିଳୁଛି।

ଜିଏସ୍‌ଟି ଲାଗୁ ହେବାର ୧୭ ମାସ ମଧ୍ୟରେ ସରକାର ପ୍ରାୟ ୩୨୦ଟି ସାମଗ୍ରୀ ଉପରୁ ଟିକସ ହ୍ରାସ କରାଇ ସାରିଲେଣି।