ନୂଆଦିଲ୍ଲୀ : ସାର୍ବଜନୀନ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଭାରତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିଛି। ଦେଶରେ ମାତୃ ମୃତ୍ୟୁହାର (ଏମ୍‌ଏମ୍‌ଆର୍‌) ଅନୁପାତରେ ଉଲ୍ଲେଖନୀୟ ହ୍ରାସ ଦେଖିବାକୁ ମିଳିଛି। ଏହି ଉପଲବ୍ଧି ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବୀୟ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମାତୃ ମୃତ୍ୟୁହାରକୁ ଉଲ୍ଲେଖନୀୟ ଭାବେ ହ୍ରାସ କରିବାରେ ଦେଶ ସଫଳ ହୋଇଥିବାରୁ ଡକ୍ଟର ମାଣ୍ଡବୀୟ ଏକ ଟୁଇଟରେ କହିଛନ୍ତି ଯେ, ପ୍ରତି ଏକ ଲକ୍ଷ ଜୀବିତ ସନ୍ତାନ ପ୍ରସବ ମାମଲାରେ ଏମ୍‌ଏମ୍‌ଆର୍‌ ହାର ୨୦୧୪-୧୬ରେ ୧୩୦ ଥିଲା, ଯାହାକି ୨୦୧୮-୨୦ ଅବଧିରେ ୯୭କୁ ହ୍ରାସ ପାଇଛି। ଉନ୍ନତ ମାନର ମାତୃ ଓ ପ୍ରଜନନ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବିଭିନ୍ନ ସ୍ୱାସ୍ଥ୍ୟସେବା ଯୋଜନା କାର୍ଯ୍ୟକାରୀ କରିଥିବାରୁ ଏମ୍‌ଏମ୍‌ଆର୍‌ ସ୍ତର ହ୍ରାସ ପାଇଛି।

Advertisment

ରେଜିଷ୍ଟ୍ରାର ଜେନେରାଲ ଅଫ୍‌ ଇଣ୍ଡିଆ (ଆରଜିଆଇ) ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ସ୍ୱତନ୍ତ୍ର ଏମ୍‌ଏମ୍‌ଆର୍‌ ବୁଲେଟିନରୁ ଜଣାପଡ଼ିଛି ଯେ, ଭାରତରେ ମାତୃ ମୃତ୍ୟୁହାରରେ ଉଲ୍ଲେଖନୀୟ ସୁଧାର ଆସିଛି। ଏମ୍‌ଏମ୍‌ଆର୍‌ ଅନୁପାତରେ ୬ ପଏଣ୍ଟ ସୁଧାର ସହିତ ବର୍ତ୍ତମାନ ପ୍ରତି ୧ ଲକ୍ଷ ଜୀବନ୍ତ ସନ୍ତାନ ପ୍ରସବ ମାମଲାରେ ପ୍ରସୂତୀ ମା’ଙ୍କ ମୃତ୍ୟୁ ହାର ୯୭କୁ ହ୍ରାସ ପାଇଛି। ପ୍ରତି ୧ ଲକ୍ଷ ଜୀବିତ ସନ୍ତାନ ପ୍ରସବ ଅବଧି ସମୟରେ ମା’ମାନଙ୍କର ମୃତ୍ୟୁ ଅନୁପାତକୁ ନେଇ ମାତୃ ମୃତ୍ୟୁହାର ଗଣନା କରାଯାଇଥାଏ।

ନମୁନା ପଞ୍ଜୀକରଣ ପ୍ରଣାଳୀ (ଏସ୍‌ଆର୍‌ଏସ୍‌)ରୁ ମିଳିଥିବା ପରିସଂଖ୍ୟାନ ଅନୁଯାୟୀ, ଦେଶରେ ମାତୃ ମୃତ୍ୟୁହାର ୨୦୧୪-୨୦୧୬ରେ ୧୩୦ ଥିବାବେଳେ ଏହା ୨୦୧୫-୧୭ରେ ୧୨୨କୁ ହ୍ରାସ ପାଇଥିଲା। ପରେ ଏହା ୨୦୧୬-୧୮ରେ ୧୧୩, ୨୦୧୭-୧୯ରେ ୧୦୩ ଏବଂ ୨୦୧୮-୨୦ରେ ୯୭କୁ ହ୍ରାସ ପାଇଥିଲା।