ଗାନ୍ଧୀନଗର: ଆଜିକାଲିର ଯୁବପିଢିଙ୍କୁ ବାୟା କରିଛି ରିଲ୍ । ସ୍ଥାନ କାଳ ପାତ୍ର ସବୁ ଭୁଲିଯାଉଛନ୍ତି ରିଲ୍ କରିବା ଲାଗି । କିଏ କେତେ ରିଲ୍ କରିବ, କାହାର କେତେ କମେଣ୍ଟ ଆସିବ ସେନେଇ ଜୋରଦାର ଚର୍ଚ୍ଚା ବି ହେଉଛି । ଏହାରି ଭିତରେ ଗୁଜୁରାଟର ଅହମ୍ମଦାବାଦ୍ ସହରରୁ ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । କାରଣ ରାସ୍ତାରେ ରିଲ୍ କରୁଥିବା ସମୟରେ ସ୍କର୍ପିଓ ଗାଡ଼ି ନିୟନ୍ତ୍ରଣ ହରାଇ ବସିଥିଲା । ଆଉ ସେହି ଗାଡ଼ିରେ ଥିବା ୩ ଯୁବକ ଏବେ ନିଖୋଜ ଅଛନ୍ତି । କେନାଲରେ ଗାଡ଼ି ପଡ଼ିଥିବା ବେଳେ ଯୁବକମାନେ କୁଆଡ଼େ ଗଲେ ସେନେଇ ତଦନ୍ତ କରୁଛି ସ୍ଥାନୀୟ ପୋଲିସ୍ ।
ସୂଚନା ଅନୁସାରେ, ସ୍କର୍ପିଓ ଗାଡ଼ିରେ ୩ ଜଣ ଯୁବକ ରିଲ୍ କରୁଥିଲେ । ଅତ୍ୟଧିକ ସ୍ପିଡ୍ ଥିବାରୁ ଗାଡିରୁ ନିୟନ୍ତ୍ରଣ ହରାଇ ବସିଥିଲେ ସେମାନେ । ତେଣୁ ଭାରସାମ୍ୟ ହରାଇ ରାସ୍ତା ପାଖରେ ଥିବା କେନାଲରେ ପଶିଯାଇଥିଲେ । ପରେ ପରେ ସେମାନଙ୍କୁ ଉଦ୍ଧାର କରିବାକୁ ଅନ୍ୟ ସାଙ୍ଗମାନେ ଦଉଡ଼ି ପକାଇଥିଲେ । ହେଲେ ସେଥିରେ ଅସଫଳ ହେଲେ । ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ଉଦ୍ଧାର କାର୍ୟ୍ୟକୁ ତ୍ବରାନ୍ବିତ କରିଥିଲେ । ପରେ ଅଗ୍ନିଶମବାହିନୀ ଓ ପୋଲିସ କେନାଲ ଭିତରୁ ସ୍କର୍ପିଓ ଗାଡ଼ିକୁ ବାହାରକୁ ଆଣିଥିଲେ । ସେମାନଙ୍କ ଭିତରୁ ୨ ଜଣଙ୍କ ଶବ ଉଦ୍ଧାର କରାଯାଇଥିବା ବେଳେ ଜଣେ ଏବେବି ନିଖୋଜ ।
ସେପଟେ ଟ୍ରାଫିକ୍ ପୋଲିସ କହିଛି, ସ୍କର୍ପିଓ ଗାଡ଼ିକୁ ଭଡ଼ାରେ ଅଣାଯାଇଥିଲା ରିଲ୍ କରିବା ଲାଗି । ତାହା ପୁଣି ୩୫ ଶହ ଟଙ୍କାରେ ମାତ୍ର ୪ ଘଂଟା ଲାଗି । ୩ ଯୁବକ ଗାଡ଼ି ନେଇ ପହଞ୍ଚିବା ପୂର୍ବରୁ ସେଠାରେ ୪ ସାଙ୍ଗ ଉପସ୍ଥିତ ଥିଲେ । ସେପଟେ ପୋଲିସ କହିଛି ଗାଡ଼ି ଚଳାଇବା ବେଳେ ରିଲ୍ କରାଯାଉଥିଲା । ଯେଉଁଥି ଲାଗି ଗାଡ଼ି ନିୟନ୍ତ୍ରଣ ବାହାରକୁ ପଳାଇଥିଲା । ଆଉ ସିଧା ଯାଇ ରାସ୍ତା ପାଖ କେନାଲରେ ପଶିଥିଲା । କେବଳ ଗୁଜୁରାଟରେ ଏହି ଘଟଣା ହେଲା ତାହା ନୁହେଁ ବରଂ ରିଲ୍ କରିବା ବେଳେ କେତେ ଯେ ଜୀବନ ଗଲାଣି ତାହାର ହିସାବ ନାହିଁ ।