ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ କଡ଼ା ଟକ୍କର ଦେଇଥିବା ଇଣ୍ଡି ମେଣ୍ଟ ୭ଟି ରାଜ୍ୟର ୧୩ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି। ଇଣ୍ଡି ମେଣ୍ଟ ପ୍ରାର୍ଥୀମାନେ ୧୩ରୁ ୧୦ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ମାତ୍ର ୨ଟି ଆସନରେ ବିଜୟ ହାସଲ କରିବାକୁ ସକ୍ଷମ ହୋଇଛି। ବିହାରର ଗୋଟିଏ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ନୀତୀଶଙ୍କ ଜେଡିୟୁ ପ୍ରାର୍ଥୀଙ୍କୁ ହରାଇ ସ୍ବାଧୀନ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି।

Advertisment

ପଞ୍ଜାବ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ବିହାର ଓ ତାମିଲନାଡୁରେ ବୁଧବାର ଅନୁଷ୍ଠିତ ହୋଇଥିଲା ଉପନିର୍ବାଚନ। ଇଣ୍ଡି ମେଣ୍ଟର ଅଂଶୀଦାର କଂଗ୍ରେସ, ତୃଣମୂଳ କଂଗ୍ରେସ (ଟିଏମ୍‌ସି), ଆପ୍ ଏବଂ ଡିଏମ୍‌କେ ପ୍ରାର୍ଥୀ ଦେଇଥିଲେ। ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀମାନେ ୪ଟି ଆସନରେ ବିଜୟୀ ହୋଇଥିବା ବେଳେ ଟିଏମ୍‌ସିକୁ ମଧ୍ୟ ୪ଟି ଆସନ ମିଳିଛି। ମେଣ୍ଟର ଅନ୍ୟତମ ସହଯୋଗୀ ଡିଏମ୍‌କେ ଏବଂ ଆପ୍‌କୁ ଗୋଟିଏ ଲେଖାଏଁ ଆସନ ମିଳିଛି। ପଶ୍ଚିମବଙ୍ଗର ସମସ୍ତ ୪ ଆସନ ମମତାଙ୍କ ଟିଏମ୍‌ସି ପୋଛି ନେଇଥିବା ବେଳେ ପଞ୍ଜାବରେ ଆପ୍ ପ୍ରାର୍ଥୀ ମୋହିନ୍ଦର ଭଗତ ଜଳନ୍ଧର ପଶ୍ଚିମ ଆସନରୁ ୨୩ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ପତ୍ନୀ କମଲେଶ ଠାକୁର ଡେରାଡୁନ ଆସନରୁ ବିଜୟୀ ହୋଇଛନ୍ତି।

ରାଜ୍ୟରେ ନାଲାଗଡ଼ ଆସନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ହମିରପୁର ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଆଶିଷ ଶର୍ମା ବିଜୟୀ ହୋଇଛନ୍ତି। ତାମିଲନାଡୁର ବିକ୍ରାଭାଣ୍ଡି ବିଧାନସଭା ଆସନରେ ଡିଏମକେ ପ୍ରାର୍ଥୀ ଅନିୟୁର ଶିବା ବହୁତ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଉତ୍ତରାଖଣ୍ଡରେ ଉଭୟ ବଦ୍ରିନାଥ ଓ ମଙ୍ଗଲୌର ଆସନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିବା ଥିବା ବେଳେ ମଧ୍ୟପ୍ରଦେଶର ଅମରୱାଡ଼ା ଆସନରେ ବିଜେପିର କମଲେଶ ପ୍ରତାପ ବିଜୟୀ ହୋଇଛନ୍ତି। ବିହାରରେ ଜେଡିୟୁର କଳାଧର ପ୍ରସାଦ ମଣ୍ଡଳ ରୁପାଉଲି ଆସନରେ ସ୍ୱାଧୀନ ପ୍ରାର୍ଥୀଙ୍କ ଠାରୁ ହାରିଯାଇଛନ୍ତି। ସୂଚନ‌ାଯୋଗ୍ୟ ଯେ ଗତ ଲୋକସଭା ନିର୍ବାଚନ ପରେ ଏହାଥିଲା ପ୍ରଥମ ବିଧାନସଭା ଉପନିର୍ବାଚନ। ଏହାର ଫଳାଫଳ ଉପରେ ସମସ୍ତଙ୍କର ନଜର ରହିଥିଲା।