ଟ୍ରମ୍ପ୍‌ଙ୍କ ଗସ୍ତ ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତୁତିକୁ ‘ଦାସତ୍ୱ ମାନସିକତା’ କହିଲା ଶିବସେନା

ମୁମ୍ବାଇ: ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ଗସ୍ତ ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତୁତିକୁ ଶିବସେନା ‘ଦାସତ୍ୱ ମାନସିକତା’ର ପ୍ରତିଫଳନ ବୋଲି କହିଛି।

ଶିବସେନାର ମୁଖପତ୍ର ‘ସାମନା’ର ସମ୍ପାଦକୀୟରେ ଟ୍ରମ୍ପ୍‌ଙ୍କ ଗସ୍ତକୁ ଜଣେ ବାଦଶାହଙ୍କ ଗସ୍ତ ସହ ତୁଳନା କରାଯାଇଛି। ଗୁଜରାଟ ସରକାରଙ୍କୁ ମଧ୍ୟ ଶିବସେନା ସମାଲୋଚନା କରିଛି। ଯେଉଁ ରାସ୍ତା ଦେଇ ଟ୍ରମ୍ପ୍‌ ମୋଟେରା ଷ୍ଟାଡିୟମ୍‌ ଉଦ୍‌ଘାଟନ କରିବାକୁ ଯିବେ, ସେ ରାସ୍ତା ପାଖରେ ଗୁଡ଼ାଏ ବସ୍ତି ଅଛି। ସେଗୁଡ଼ିକୁ ଲୁଚାଇବା ନିମନ୍ତେ ଗୁଜରାଟ ସରକାର ରାସ୍ତା କଡ଼ରେ ପାଚେରି ନିର୍ମାଣ କରୁଛନ୍ତି।

Image Source: Zee News

‘ସାମ୍‌ନା’ ଆହୁରି ମଧ୍ୟ ଲେଖିଛି ଯେ ସ୍ୱାଧୀନତା ପୂର୍ବରୁ ବ୍ରିଟେନ୍‌ର ରାଜା ବା ରାଣୀ ଭାରତ ଭଳି କେତେକ ‘ଦାସ’ ଦେଶକୁ ଗସ୍ତ କରୁଥିଲେ। ଦେଶର ନାଗରିକମାନେ ଦେଉଥିବା ଟିକସ ଅର୍ଥରେ ଟ୍ରମ୍ପ୍‌ଙ୍କ ଗସ୍ତ ଲାଗି ସେମିତି ପ୍ରସ୍ତୁତି ଚାଲିଛି। ଏହା ଭାରତୀୟଙ୍କ ଦାସତ୍ୱ ମନୋଭାବର ପ୍ରତିଫଳନ।

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ‘ଗରିବି ହଟାଓ’ ସ୍ଲୋଗାନ୍‌ ଦେଇଥିଲେ। ମୋଦୀ ‘ଗରିବି ଛୁପାଓ’ ଯୋଜନା କରୁଛନ୍ତି। ଦେଶ ସାରା ପାଚେରି ନିର୍ମାଣ କରିବାକୁ ଆମେରିକା କ’ଣ ଭାରତକୁ ଋଣ ଦେଉଛି?

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ ଟ୍ରମ୍ପ୍‌ ଗୁଜରାଟକୁ ମାତ୍ର ତିନି ଘଣ୍ଟା ପାଇଁ ଯିବେ। ସେଥିପାଇଁ ଦେଶର ରାଜକୋଷରୁ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ।

ସମ୍ବନ୍ଧିତ ଖବର