ଚୀନ୍‌ର ଜିରୋ-କୋଭିଡ୍ ନୀତି ବିରୋଧରେ କହିବା ଓ ଲେଖିବା ମନା

ବେଜିଂ : ଚୀନ୍‌ର ବେଜିଂ-ସ୍ଥିତ ଏକ ଗବେଷଣା କେନ୍ଦ୍ର ରିପୋର୍ଟ କରିଥିଲା ଯେ ଜିରୋ-କୋଭିଡ୍ ନୀତି ଯୋଗୁ ଦେଶର ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପ ଉତ୍ପାଦନ ବାଧାପ୍ରାପ୍ତ ହେବା ସହ ଅର୍ଥନୀତି ସଂକୁଚିତ ହେଉଛି। ସଂଗେ ସଂଗେ ଚୀନ୍ ଏହି ରିପୋର୍ଟକୁ ନିଷିଦ୍ଧ କରିଦେଲା। ଏଥିରୁ ସୂଚନା ମିଳୁଛି ଯେ ଚୀନ୍ ଚାହୁଛି ଏହାର ଜିରୋ-କୋଭିଡ୍ ନୀତି ବିରୋଧରେ କେହି ପତ୍ରପତ୍ରିକାରେ କୌଣସି ନିବନ୍ଧ ନ ଲେଖନ୍ତୁ ବା କୌଣସି ଥିଙ୍କ୍‌ଟ୍ୟାଙ୍କ୍ ଏହା ଉପରେ କିଛି ନ କୁହନ୍ତୁ।

ଚୀନ୍‌ର ଜିରୋ-କୋଭିଡ୍ ନୀତି ଯୋଗୁ ଯେଉଁଠି ଟିକେ ସଂକ୍ରମଣ ବଢ଼ିଲା ସେଠାରେ ଲକ୍‌ଡାଉନ୍ କରାଯାଉଛି। ବ୍ୟାପକ ପରୀକ୍ଷଣ କରାଯାଉଛି। ଯଦି କିଏ ପଜିଟିଭ୍ ଚିହ୍ନଟ ହେଲା, ତାଙ୍କ ସଂସ୍ପର୍ଶରେ କେଉଁମାନେ ଆସିଥିଲେ ତାହା ବି ଖୋଜାଯାଇ କ୍ବାରେଣ୍ଟାଇନ୍‌ରେ ରଖାଯାଉଛି। ଯେତେ କଡ଼ାକଡ଼ି ନିୟମ କଲେ ମଧ୍ୟ ଚୀନ୍‌ର ବ୍ୟାପକ ଅଞ୍ଚରେ ଓମିକ୍ରନ୍ ସଂକ୍ରମିତ ହେବା ଦେଖାଯାଉଛି। ଓମିକ୍ରନ୍ ଯେପରି ପ୍ରତିଜ୍ଞା କରିଛି ଦେଶର ଅର୍ଥନୀତିକୁ ଧ୍ବସ୍ତ ନ କରି ଛାଡ଼ିବ ନାହିଁ।

ଅନ୍ୟ ଦେଶଗୁଡ଼ିକ ତୁଳନାରେ ଚୀନ୍‌ରେ ସଂକ୍ରମଣ ଓ ମୃତ୍ୟୁହାର ଯଥେଷ୍ଟ କମ୍ ରହିଥିଲେ ମଧ୍ୟ କେଉଁଠି ଗୋଟିଏ ଦୁଇଟି ସଂକ୍ରମଣ କି ମୃତ୍ୟୁ ହେଲେ ଏହାର ମୁଣ୍ଡବ୍ୟଥା ବଢ଼ିଯାଉଛି। କାରଣ ଦେଶର ଜିରୋ-କୋଭିଡ୍ ନୀତିକୁ ତାହା ସୁହାଉନି। ଭୂତାଣୁକୁ ଜନ୍ମ ଦେଇଥିବା ଦେଶକୁ ଭୂତାଣୁ ସମୟକୁ ସମୟ ଡରାଇବାରେ ଲାଗିଛି।

ଚୀନ୍‌ର ଆନ୍‌ବାଉଣ୍ଡ ଗବେଷଣା କେନ୍ଦ୍ର ଦେଶର ମଙ୍ଗଳ ପାଇଁ ଚୀନ୍‌ ସରକାରଙ୍କୁ ନୀତି ବଦଳାଇବାକୁ ପରାମର୍ଶ ଦେଇଥିବା ବେଳେ ଏଭଳି ପରାମର୍ଶମୂଳକ ରିପୋର୍ଟ ସି ଜିନ୍‌ପିଙ୍ଗ ସରକାରକୁ କ୍ଷୁବ୍ଧ କରିଛି। ନିବନ୍ଧଟି ‘ସନ୍‌ଡେ’ରେ ପ୍ରକାଶ ପାଇଥିବା ବେଳେ ୨୪ ଘଣ୍ଟା ଭିତରେ ତାକୁ ସମସ୍ତ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରୁ ଅପସାରିତ କରାଯାଇଥିଲା। ମୂଳ ରିପୋର୍ଟ ଦେବାକୁ ଆନ୍‌ବାଉଣ୍ଡ କର୍ମକର୍ତ୍ତାମାନେ ମନା କରିଦେଇଛନ୍ତି, କାରଣ ସେମାନଙ୍କୁ ଏହା କାହାକୁ ସେୟାର କରିବାକୁ ବାରଣ କରାଯାଇଛି। ଏହି ନିବନ୍ଧ ପ୍ରକାଶ ପାଇବାରୁ ଗବେଷଣା କେନ୍ଦ୍ରର ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲକୁ ବନ୍ଦ କରିଦିଆଯାଇଛି। ଚାଇନିଜ୍ ଇଣ୍ଟରନେଟ୍‌ରେ ଏହା ଆଉ ଉପଲବ୍ଧ ନୁହେଁ।

ସମ୍ବନ୍ଧିତ ଖବର