ଗୋଆ : ୫୩ତମ ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଗୋଆର ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଇନଡୋର ଷ୍ଟାଡିୟମରେ ଏକ ଭବ୍ୟ ସମାରୋହ ମଧ୍ୟରେ ଉଦ୍‌ଯାପିତ ହୋଇଛି। ଚିତ୍ତାକର୍ଷକ ଉଦଯାପନୀ ସମାରୋହରେ ଅତିଥିମାନଙ୍କୁ ସ୍ୱାଗତ କରି କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ଯୁବ ବ୍ୟାପାର ତଥା କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ଆଇଏଫ୍‌ଏଫ୍‌ଆଇ ସମସ୍ତଙ୍କ ପାଇଁ ସିନେମାର ଏକ ନୂତନ ଦୁନିଆ ଖୋଲିଛି। ଆଇଏଫ୍‍ଏଫ୍‍ଆଇ କେବଳ ମନୋରଞ୍ଜନ ନୁହେଁ ବରଂ ଆମକୁ ଶିକ୍ଷା ମଧ୍ୟ ଦେଇଛି।

Advertisment

ଗତ ନଅ ଦିନ ମଧ୍ୟରେ, ଆଇଏଫ୍‍ଏଫ୍‍ଆଇ ୩୫୦୦ ମିନିଟ୍‍ ସମୟ ମଧ୍ୟରେ ୨୮୨ ଚଳଚ୍ଚିତ୍ରର ପ୍ରଦର୍ଶନ କରିଥିଲା। ଏହି ଉତ୍ସବରେ ବିଶ୍ୱର ୭୮ଟି ଦେଶରୁ ୬୫ଟି ଅନ୍ତର୍ଜାତୀୟ ଏବଂ ୧୫ଟି ଭାରତୀୟ ଭାଷାରେ ୧୮୩ଟି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଏବଂ ୯୭ଟି ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ୨୦ରୁ ଅଧିକ ମାଷ୍ଟରକ୍ଲାସ୍‌, ଆନ୍ତଃବାର୍ତ୍ତାଳାପ ଅଧିବେଶନ ଏବଂ ସେଲିବ୍ରିଟିମାନଙ୍କୁ ନେଇ ଏକ ଲମ୍ବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେଥିମଧ୍ୟରୁ ଅନେକ ଅଧିବେଶନ କେବଳ ଭୌତିକ ନୁହେଁ, ଭର୍ଚୁଆଲ ଭାବେ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଅନୁରାଗ ଠାକୁର ଆହୁରି ମଧ୍ୟ କହିଛନ୍ତି ଯେ ଏହି ଉତ୍ସବରେ ପ୍ରଦର୍ଶିତ ହୋଇଥିବା ବିବିଧତା ହେଉଛି ‘ବସୁଧୈବ କୁଟୁମ୍ବକମ୍‌’ର ଜୀବନ୍ତ ପ୍ରତୀକ ଯାହାକି ସୃଜନଶୀଳ ଚିନ୍ତକ, ଚଳଚ୍ଚିତ୍ର ନିର୍ମାତା, ସିନେମାପ୍ରେମୀ ଏବଂ ସଂସ୍କୃତିପ୍ରେମୀଙ୍କୁ ଗୋଟିଏ ଛାତ ତଳେ ଏକାଠି କରିଥିଲା।

କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ୫୩ତମ ଆଇଏଫ୍‍ଏଫ୍‍ଆଇ ଅନେକ ନୂତନତ୍ୱ ସହିତ ସମାପ୍ତ ହୋଇଛି। ‘କଣ୍ଟ୍ରି ଅଫ୍‍ ଫୋକସ’ ଭାବେ ଫ୍ରାନ୍ସକୁ ବାଛିବା, ବୈଷୟିକ ପାର୍କରେ ସିନେମା ଜଗତର ନୂତନତମ ଉଦ୍ଭାବନ ପ୍ରଦର୍ଶନ, ଆଗାମୀ ଦିନର ୭୫ କ୍ରିଏଟିଭ୍ ମାଇଣ୍ଡସ୍ ପାଇଁ ୫୩ ଘଣ୍ଟାର ଆହ୍ୱାନ, ମଣିପୁରୀ ସିନେମା ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଆଦି ସ୍ଥାନ ପାଇଥିବା ସେ କହିଥିଲେ। ପ୍ରଥମ ଥର ପାଇଁ କାନାଡାର ଚଳଚ୍ଚିତ୍ର ବିଦ୍ୟାଳୟ, ଓଟିଟି ପ୍ଲେୟାର ଏବଂ ମାକ ଓସବର୍ଣ୍ଣର ନିର୍ଦ୍ଦେଶକ କୁଙ୍ଗ ଫୁ ପଣ୍ଡାଙ୍କ ଭଳି ଓସ୍କାର ପ୍ରତିନିଧିଙ୍କ ସହଭାଗିତାରେ ମାଷ୍ଟରକ୍ଲାସ ଅନୁଷ୍ଠିତ ହୋଇଥିଲା। ଆଞ୍ଚଳିକ ସିନେମାକୁ ଅଧିକ ଗୁରୁତ୍ୱ ଦେବା ଏବଂ ଏହାର ଅଭିବୃଦ୍ଧି ପାଇଁ ଏକ ପ୍ଲାଟଫର୍ମ ଯୋଗାଇବା ସକାଶେ କେନ୍ଦ୍ରମନ୍ତ୍ରୀ ନିଜର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଆଞ୍ଚଳିକ ସିନେମା ଆଉ ଆଞ୍ଚଳିକ ହୋଇ ରହିନାହିଁ, ଏହା ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରକୁ ଯାଇଛି ବୋଲି ସେ କହିଛନ୍ତି।