ମୁମ୍ବାଇ: କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ମଙ୍ଗଳବାର କହିଛନ୍ତି ଯେ, ପ୍ରତ୍ୟେକ ରାଜ୍ୟରେ କୋର୍ଟଗୁଡ଼ିକରେ ଆଞ୍ଚଳିକ ଭାଷା ବ୍ୟବହାର ହେବା ଆବଶ୍ୟକ। ମୁମ୍ବାଇଠାରେ ମହାରାଷ୍ଟ୍ର ଓ ଗୋଆ ବାର୍ କାଉନ୍ସିଲ ଦ୍ବାରା ଇ-ଫାଇଲିଂ ଓ ଇ-କୋର୍ଟର ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇ ରିଜିଜୁ କହିଲେ ଯେ, ମହାରାଷ୍ଟ୍ରରେ କୋର୍ଟଗୁଡ଼ିକରେ ମରାଠୀ ଭାଷା ବ୍ୟବହାର ହେବା ଉଚିତ। ଆମେ ଉପନିବେଶୀୟ ବ୍ୟବସ୍ଥାକୁ ତ୍ୟାଗ କରୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାହାନ୍ତି। କେବଳ ୫ଟି ରାଜ୍ୟରେ କୋର୍ଟରେ ହିନ୍ଦୀ ଭାଷା ବ୍ୟବହାର ଆରମ୍ଭ ହୋଇଛି। ଆମର ତତ୍କାଳ ଲିପ୍ୟନ୍ତର ଓ ଭାଷାନ୍ତର ବ୍ୟବସ୍ଥା ରହିଛି। ଆମ ପାଖରେ ବୈଷୟିକ ବିଦ୍ୟା ରହିଛି, କାହିଁକି ଆମେ ତା’ର ଉପଯୋଗ ନ କରିବା ବୋଲି ରିଜିଜୁ କହିଥିଲେ।
ରିଜିଜୁ କହିଥିଲେ, ଓକିଲମାନେ ଇଂରାଜିରେ କହୁଥିବାରୁ ମହକିଲଙ୍କଠାରୁ ବିପୁଳ ଟଙ୍କା ଦାବି କରୁଛନ୍ତି। ହିନ୍ଦୀ ଆମର ଅନ୍ୟତମ ସରକାରୀ ଭାଷା, ଆମେ ହିନ୍ଦୀରେ ବି କହିପାରିବା। ମୁଁ ଚାହେଁ କୋର୍ଟଗୁଡ଼ିକରେ ହିନ୍ଦୀ ଓ ଆଞ୍ଚଳିକ ଭାଷା ବ୍ୟବହାର ହେଉ। ୩୮୪ ବାର୍ ଆସୋସିଏସନକୁ ‘ଇ-ଫାଇଲିଂ ଓ ଫାସିଲିଟି ସେଣ୍ଟର’ ହସ୍ତାନ୍ତର ଅବସରରେ ରିଜିଜୁ ଏହା କହିଥିଲେ। ବମ୍ବେ ହାଇକୋର୍ଟ ଇ-ଫାଇଲିଂକୁ ବାଧ୍ୟତାମୁଳକ କରିଛନ୍ତି। ତେଣୁ ପ୍ରତ୍ୟେକ ଇ-ଫାଇଲିଂ କେନ୍ଦ୍ରକୁ କମ୍ପ୍ୟୁଟର, ସ୍କାନର ଓ ପ୍ରିଣ୍ଟର ଦିଆଯିବ ବୋଲି ରିଜିଜୁ କହିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ପ୍ରମୁଖ ଉପସ୍ଥିତ ଥିଲେ।