ଆଞ୍ଚଳିକ ଦଳଙ୍କ ପ୍ରଭାବ ବଢ଼ୁଛି:୨୦୧୫ରୁ ହିଁ ସଙ୍କେତ ମିଳି ସାରିଥିଲା

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ‌େ‌ତଲେଙ୍ଗାନା ଓ ମିଜୋରାମରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଥିଲା ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳ ପାଇଁ ଶେଷ ଶକ୍ତି ପରୀକ୍ଷା। ଏହି ନିର୍ବ‌ାଚନ ଫଳାଫଳ କେବଳ ସ୍ଥାନୀୟ ରାଜନୀତି ନୁହେଁ, ଜାତୀୟ ରାଜନୀତିକୁ ମଧ୍ୟ ଚକିତ କରିଛି। ନିର୍ବାଚନ ଫଳାଫଳକୁ ନେଇ ରାଜନୈତିକ ପଣ୍ଡିତମାନେ ଯେଉଁ ଅନୁମାନ ଓ ଆକଳନ କରିଥିଲେ ତାହା ଓଲଟପାଲଟ ହୋଇଯାଇଛି। ନିର୍ବାଚନ ପୂର୍ବ ସର୍ଭେ ଓ ଭୋଟ ପରବର୍ତୀ ସର୍ଭେ ରିପୋର୍ଟର ମଧ୍ୟ ସମାନ ଦଶା। ନିର୍ବାଚନ ଫଳାଫଳ ଏମିତି ହେବ ବୋଲି କେହି କଳ୍ପନା ବି କରିନଥିଲେ। ‌େତବେ ଏହି ନିର୍ବାଚନ ଯେତେ ଚକିତ କରିଛି, ତାହାଠାରୁ ବେଶି ଶିକ୍ଷଣୀୟ ‌େହାଇଛି।
୨୦୧୪ ନିର୍ବାଚନରେ ମୋଦୀଙ୍କ ନେତୃତ୍ବାଧୀନ ବିଜେପିର ବିପୁଳ ବିଜୟ ପାଇଁ ମୋଦୀ ହାୱା ଯେତିକି ଦାୟୀ. ତ‌ାଠାରୁ ଅଧିକ ଦାୟୀ ଥିଲା କଂଗ୍ରେସ ବିରୋଧରେ ଲୋକଙ୍କ କ୍ରୋଧ। ଯେହେତୁ ସେତେବେ‌େଳ ଅଣ ବିଜେପି ଏବଂ ଅଣ କଂଗ୍ରେସ ମେଣ୍ଟ ସେତେ ସୁସଂଗଠିତ ଏବଂ ପ୍ରଭାବୀ ନଥିଲା, ଏହାର ଲାଭ ମିଳିଥିଲା ବିଜେପିକୁ। ଏହାଛଡ଼ା କଳାଧନ ଏବଂ ବେକାରୀ ସମସ୍ୟା ଦୂର କରିବା ଲାଗି ବି‌େ‌ଜପି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା ଲୋକଙ୍କ ମନକୁ ଛୁଇଁଥିଲା। ଲୋକମାନଙ୍କ ଆଶା ଥିଲା ମୋଦୀ ସେମାନଙ୍କ ଆଶା ପୂରଣ କରିବେ। ଖାସ୍ ଏହି କାରଣରୁ ସେମାନଙ୍କୁ ବିମୁଦ୍ରୀକରଣ ଯନ୍ତ୍ରଣା ମଧ୍ୟ ବାଧିନଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଏକ ରକମର ପରାଜୟ ସ୍ବୀକାର କରି ନେଇଥିଲେ।
କିନ୍ତୁ ମଧ୍ୟ ପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନ ପଳାଫଳ ବିଜେପିକୁ ଯେତେ ନିରାଶ କରିଛି, ତାହାଠାରୁ ଅଧିକ ଉତ୍ସାହିତ କରିଛି କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଙ୍କୁ। ତେଲେଙ୍ଗାନାରେ ଟିଆରଏସ ଏବଂ ମିଜୋରାମରେ ଏମଏନଏଫ୍ ଭଳି ଆଞ୍ଚଳିକ ଦଳ ଜିତିବେ ବୋଲି ପୂର୍ବାନୁମାନ ସତ ହେଲା। କିନ୍ତୁ ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରିଛି ମଧ୍ୟ ପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଭଳି ତିନିଟି ହିନ୍ଦୀଭାଷୀ ରାଜ୍ୟ। ଏହା ବିଜେପି ପାଇଁ ଥିଲା ଗୁରୁତର ଝଟକା।
ଏହି ତିନିଟି ରାଜ୍ୟରେ ବିଜେପିର ସରକାର ଥିଲା। ବିଜେପିର ଦାବି ଯେ ଏହି ରାଜ୍ୟମାନଙ୍କରେ ତାଙ୍କ ସରକାର ଯାହା କରିଛି ତାହା ଅକଳ୍ପନୀୟ। ତଥାପି କାହିଁକି ହାରିଲା ବିଜେପି। ଏହାର ଆତ୍ମସମୀକ୍ଷା କରିବାର ବେଳ ଆସିଛି। ବିଜେପି ଏହାର ଆଭ୍ୟନ୍ତରୀଣ ସର୍ଭେରୁ ଆଭାସ ପାଇଥିଲା‌‌ ଯେ ଏହି ତିନିଟି ରାଜ୍ୟରେ ଦଳର ପରିସ୍ଥିତି ଭଲ ନୁହେଁ। ଏହି କାରଣରୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତାରକା ପ୍ରଚାରକ କରି ଅଯୋାଧ୍ୟା ଏବଂ ନାମ ପରିବର୍ତନ ଭଳି ବିବାଦୀୟ ପ୍ରସଙ୍ଗ ଉଠାଇଲା। କିନ୍ତୁ ପ୍ରଚାର ଅଭିଯାନରେ ବିକାଶ ଅପେକ୍ଷା ନକରାତ୍ମକ ବୟାନବାଜି ଜୋର ଧରିଲା। ଏହା କାମ ଦେଲାନି। ଲୋକମାନେ କାହିଁକି ଏହାକୁ ପସନ୍ଦ କଲେନି? ଏହାକୁ ପ୍ରତ୍ୟାଖ୍ୟାନ କଲେ କାହିଁକି? ଲୋକେ ଯାହା ଚାହୁଁଛନ୍ତି ତାହାକୁ ପୂରଣ କରିବାରେ ବିଜେପି ବିଫଳ ହୋଇଛି କି? ବିଜେପି ଏବେ ଏହା ଉପରେ ଚିନ୍ତା କରିବା ଦରକାର।
ତେବେ ୨୦୧୫ରୁ ହିଁ ସଙ୍କେତ ମିଳିବା ଆରମ୍ଭ ହୋଇଯାଇଥିଲା। ୨୦୧୪ର ବିପୁଳ ବିଜୟରେ ମସଗୁଲ ଥିବା ବିଜେପିକୁ ମଧ୍ୟପ୍ରଦେଶର ରତଲାମ ଲୋକସଭା ଉପନିର୍ବାଚନରେ ଝଟକା ମିଳିଥିଲା। ଏହି ଆସନକୁ ବିଜେପିଠାରୁ ଛଡ଼ାଇ ନେଇଥିଲା କଂଗ୍ରେସ। ଏହା ପରେ ପରେ ୨୦୧୭ରେ ପଞ୍ଜାବର ଗୁରୁଦାସପୁର, ୨୦୧୮ରେ ରାଜସ୍ଥାନର ଅଲୱାର ଓ ଅଜମିର, ୟୁପିର ଗୋରଖପୁର, ଫୁଲପୁର ଓ କୈନାରା ଲୋକସଭା ଆସନଗୁଡ଼ିକୁ ମଧ୍ୟ ବିଜେପି ହାତରୁ ବିରୋଧୀ ଛଡ଼ାଇ ନେଇଥିଲେ। ୨୦୧୪ରୁ ୨୭ଟି ଲୋକସଭା ଆସନ ପାଇଁ ଉପନିର୍ବାଚନ ହୋଇଥିଲା। ସେଥିମଧ୍ୟରୁ ଗୋଟିଏ ଆସନକୁ ମଧ୍ୟ ବିରୋଧୀ ହାତରୁ ଛଡ଼ାଇ ପାରିନଥିଲା ବିଜେପି। ଅନ୍ୟପକ୍ଷରେ ୧୩ଟି ମଧ୍ୟରୁ ୮ଟି ଆସନ ହାତଛଡ଼ା କରିଥିଲା। କେବଳ ଏତିକି ନୁହେଁ, ୨୦୧୭ରେ ମୋଦୀଙ୍କ ରାଜ୍ୟ ଗୁଜରାଟରେ ହୋଇଥିବା ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ଅଳ୍ପକେ ବର୍ତିଯାଇଥିଲା। ପୂର୍ବ ନିର୍ବାଚନ ତୁଳନାରେ ଦଳ ୧୬ଟି ଆସନ ହରାଇଥିଲା।
ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ‌େଲାକେ ବିଜେପି ଉପରୁ ସଂପୂର୍ଣ୍ଣ ରୂ‌େପ ଆସ୍ଥା ହରାଇ ନାହାନ୍ତି। କଂଗ୍ରେସ ଉପରେ ମଧ୍ୟ ସଂପୂର୍ଣ୍ଣ ବିଶ୍ବାସ କରି ପାରୁ ନାହାନ୍ତି। ଯେଉଁ ରାଜ୍ୟରେ ଆଞ୍ଚଳିକ ଦଳ ସେଠାରେ ଲୋକେ ତାକୁ ହିଁ ପସନ୍ଦ କରୁଛନ୍ତି। ୫ଟି ରାଜ୍ୟରେ ଅନୁଷ୍ଠିତ ନିର୍ବାଚନର ଫଳାଫଳରୁ ଏଭଳି ସୂଚନା ମିଳିଛି।
ଯେଉଁ କଂଗ୍ରେସ ୨୦୧୪ ପରେ କେବଳ ପରାଜୟ ଓ ପରାଜୟକୁ ହିଁ ନିଜର ଭାଗ୍ୟ ଭାବି ଏହାକୁ ଆଦରି ନେଇଥିଲା, ତାହା ପାଇଁ ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ଉପହାର ନୂଆ ଜନ୍ମ ଦେଇଛି। ତେବେ କଂଗ୍ରେସ ମଧ୍ୟ ଏଥିରେ ଅଧିକ ଉଲ୍ଲସିତ ହେବା ଉଚିତ ନୁହେଁ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମତ ଦେଇଛନ୍ତି। ଅତୀତ‌େର ଦଳ ଏମିତି କି ଭୁଲ କରିଥିଲା ଯେ ଲୋକେ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଏବେ କେଉଁ କାରଣରୁ ଏହାକୁ ବିଶ୍ବାସ କରି‌େବ, ତ‌ାହା ଉପରେ କଂଗ୍ରେସ ନେତାମାନେ ଚିନ୍ତା କରନ୍ତୁ। ଅତୀତରେ କରିଥିବା ଭୁଲକୁ ସଜାଡ଼ିବା ପାଇଁ ପଦକ୍ଷେପ ନିଅନ୍ତୁ। କାରଣ ଏହି ଦଳକୁ ଗତବର୍ଷ କର୍ଣ୍ଣାଟକରେ ଏବଂ ଏବର୍ଷ ମିଜୋରାମରେ ମଧ୍ୟ ଝଟକା ଲାଗିଛି।
ଉଭୟ ବିଜେପି ଏବଂ କଂଗ୍ରେସ ପାଇଁ ଏହି ନିର୍ବାଚନ ଶିକ୍ଷଣୀୟ ହୋଇଛି। ‌େ‌ତବେ ଏଥିରେ ସେମାନେ କେତେ ଶିକ୍ଷା ପାଇଁ ନିଜକୁ ସଜାଡ଼ି ପାରିଛନ୍ତି ତାହା କେବଳ ୨୦୧୯ ଲୋକସଭା ନିର୍ବାଚନ ହିଁ କହିପାରିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମତ ଦେଇଛନ୍ତି। କିନ୍ତୁ ଏହା ନିଶ୍ଚିତ ଯେ ଏଥର ବିଜେଡି, ଟିଏମସି, ଟିଆରଏସ, ଡିଏମକେ. ଆରଜେଡି, ଟିଡିପି ଭଳି ଆଞ୍ଚଳିକ ଦଳ ଅଧିକ ପ୍ରଭାବୀ ହେବେ। ଏଥିରେ ସନ୍ଦେହ ନାହିଁ।

ସମ୍ବନ୍ଧିତ ଖବର