ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ବିଭିନ୍ନ ରାଜ୍ୟରେ ଚମକପ୍ରଦ ପ୍ରଦର୍ଶନ ଦେଖିବାକୁ ମିଳିଛି। ବିଜେପି ନେତୃତ୍ୱାଧୀନ ଶାସକ ଏନ୍‌ଡିଏ ପାଇଁ ଅନେକ ବଡ଼ ରାଜ୍ୟ ନୈରାଶ୍ୟଜନକ ପରିଣାମ ଆଣିଛି। ଅନ୍ୟପକ୍ଷରେ ଇଣ୍ଡି ମେଣ୍ଟ ଅନେକ ରାଜ୍ୟରେ ନିଜର ଦମ୍‌ଦାର ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଦେଇଛି। ଯଦି ଏହି ଧାରା ଜାରି ରହେ, ତେବେ ଜାତୀୟ ଦୃଶ୍ୟପଟରେ ଆଞ୍ଚଳିକ ଦଳଗୁଡ଼ିକର ପ୍ରତ୍ୟାବର୍ତ୍ତନ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହେବ। ଏକ୍‌ଜିଟ୍ ପୋଲ୍‌ର ପୂର୍ବାନୁମାନ ଆଞ୍ଚଳିକ ଦଳମାନଙ୍କ କ୍ଷେତ୍ରରେ ଭୁଲ୍ ପ୍ରମାଣିତ ହେବାକୁ ଯାଉଛି। ଏନ୍‌ଡିଏ ୩୫୦ ଓ ୪୦୦ ଛୁଇଁବାକୁ ଯାଉଥିବା ନେଇ ଯାହା କୁହାଯାଇଥିଲା ତାହା ସଂପୂର୍ଣ୍ଣ ଭୁଲ୍‌ ପ୍ରମାଣିତ ହୋଇଛି। ସର୍ବୋପରି ଏହି ଧାରାରୁ ସ୍ପଷ୍ଟ ହେଉଛି, ଏହି ନିର୍ବାଚନକୁ ‘ଆଞ୍ଚଳିକ ଦଳଗୁଡ଼ିକର ପ୍ରତ୍ୟାବର୍ତ୍ତନ ଓ ଉତ୍ଥାନ’ ଭାବରେ ବର୍ଣ୍ଣନା କରାଯାଇପାରେ। ମହାରାଷ୍ଟ୍ରଠାରୁ ଆରମ୍ଭ କରି ଆନ୍ଧ୍ରପ୍ରଦେଶ, ୟୁପି ଓ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଆଞ୍ଚଳିକ ଦଳଗୁଡ଼ିକ ଭଲ ପ୍ରଦର୍ଶନ କରୁଛନ୍ତି। କେବେଳ ଓଡ଼ିଶାରେ ବିଜେଡିକୁ ହରାଇ ବିଜେପି ସରକାର ଗଢ଼ିବାକୁ ଯାଉଛି।

Advertisment

ଉତ୍ତରପ୍ରଦେଶ: ଚଳିତ ଲୋକସଭା ନିର୍ବାଚନର ସବୁଠାରୁ ବଡ଼ କାହାଣୀ ଭାବେ ସାମ୍ନାକୁ ଆସିଛି ଉତ୍ତରପ୍ରଦେଶ। ଏକ୍‌ଜିଟ୍ ପୋଲ୍‌ର ପୂର୍ବାନୁମାନ ତୁଳନାରେ ସମାଜବାଦୀ ପାର୍ଟି ଓ କଂଗ୍ରେସ ଭଲ ପ୍ରଦର୍ଶନ କରୁଛନ୍ତି। ଅଖିଳେଶ ଯାଦବ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିବା ସହ ରାଜ୍ୟରେ କଂଗ୍ରେସର ପ୍ରଦର୍ଶନରେ ଉନ୍ନତି ଆଣିବାରେ ମଧ୍ୟ ସାହାଯ୍ୟ କରିଛନ୍ତି। ରାହୁଲ ଗାନ୍ଧୀଙ୍କୁ ପରାସ୍ତ କରିବା ପରେ ୨୦୧୯ ନିର୍ବାଚନରେ ହଇଚଇ ସୃଷ୍ଟି କରିଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଆମେଥିର ସମ୍ମାନଜନକ ଆସନରୁ ହାରିଛନ୍ତି। ଅଯୋଧ୍ୟା ସମେତ ଫୈଜାବାଦରେ ମଧ୍ୟ ବିଜେପି ପଛରେ ରହିବା ସମସ୍ତଙ୍କୁ ବିସ୍ମିତ କରିଛି। ଏଥିରୁ ସ୍ପଷ୍ଟ ଯେ, ରାମମନ୍ଦିର ରାଜ୍ୟରେ ବିଜେପିକୁ ବିଶେଷ ଫାଇଦା ଦେଉନାହିଁ।

ମହାରାଷ୍ଟ୍ର: ମହାରାଷ୍ଟ୍ର ମଧ୍ୟ ଏକ ରୋଚକ ପର୍ଯ୍ୟାୟରେ ପହଞ୍ଚିଛି। ଉଦ୍ଧବ ଠାକରେଙ୍କ ଶିବସେନା (ୟୁବିଟି) ଏବଂ ଶରଦ ପାୱାରଙ୍କ ଏନ୍‌ସିପି ଆଶାଠାରୁ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ବାସ୍ତବରେ କଂଗ୍ରେସ ସମେତ ବିରୋଧୀ ମେଣ୍ଟ ଏବେ ରାଜ୍ୟରେ ଏନ୍‌ଡିଏଠାରୁ ଯଥେଷ୍ଟ ଆଗରେ ରହିଛି। ବିଜେପି ସହ ମେଣ୍ଟ କରିଥିବା ଉଭୟ ଶିବସେନା ଓ ଏନ୍‌ସିପିର ବିଚ୍ଛିନ୍ନ ଗୋଷ୍ଠୀ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇ ଏନ୍‌ଡିଏର ସଂଖ୍ୟା ହ୍ରାସର କାରଣ ହୋଇଛନ୍ତି।
ବିହାର: ବିହାରରେ ବିଜେପି ଜେଡିୟୁଠାରୁ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଥିଲା, କିନ୍ତୁ ନୀତୀଶ କୁମାରଙ୍କ ଦଳ ବିଜେପି ତୁଳନାରେ ଭଲ ପ୍ରଦର୍ଶନ କରିଛି । ଏନ୍‌ଡିଏର ଏକ ଶକ୍ତିଶାଳୀ ଅଂଶୀଦାର ଭାବେ ଜେଡିୟୁ ନିଜକୁ ସାବ୍ୟସ୍ତ କରିଥିବା ବେଳେ ଆଗକୁ ଏହି ଦଳର ଆଭିମୁଖ୍ୟ କ’ଣ ‌ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଚଳିତ ନିର୍ବାଚନରେ ଟିଏମ୍‌ସିର ଲୋକସଭା ଆସନ ସଂଖ୍ୟା ବଢ଼ାଇବାରେ ସଫଳ ହୋଇଛନ୍ତି। ଟିଏମ୍‌ସି ସମସ୍ତ ପୂର୍ବାନୁମାନକୁ ଭୁଲ୍‌ ପ୍ରମାଣିତ କରି ରାଜ୍ୟରେ ସବୁଠାରୁ ବଡ଼ ଶକ୍ତିଭାବେ ନିଜକୁ ପୁଣି ଥରେ ପ୍ରତିପାଦିତ କରିଛି।

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ଟିଡିପି ବିଧାନସଭା ନିର୍ବାଚନ ଜିତିବା ସହ ଲୋକସଭା ନିର୍ବାଚନରେ ବଡ଼ ସଫଳତା ହାସଲ କରିଛି। ଟିଡିପି ରାଜ୍ୟରେ ଏନ୍‌ଡିଏ ମେଣ୍ଟକୁ ସୁଦୃଢ଼ କରିବାରେ ନିର୍ଣ୍ଣାୟକ ଭୂମିକା ନେଇଛି।