ନୂଆଦିଲ୍ଲୀ: ସଂପ୍ରତି କେରଳ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିର୍ଦ୍ଦେଶକ, ଅଭିନେତା, ପ୍ରଯୋଜକଙ୍କ ଦ୍ବାରା ଅଭିନେତ୍ରୀଙ୍କୁ ଯୌନ ଶୋଷଣ କରାଯାଉଥିବା ତଦନ୍ତ ରିପୋର୍ଟକୁ ନେଇ ଝଡ଼ ସୃଷ୍ଟି ହୋଇଥିବା ବେଳେ ଆଜି ବିଜେପି ସାଂସଦ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ ମଧ୍ୟ ‘ବଲିଉଡ୍‌’ରେ ଅନୁରୂପ ଘଟଣା ଘଟୁଥିବା ନେଇ ଅଭିଯୋଗ କରିଛନ୍ତି। 

Advertisment

ଗତକାଲି ଦିଲ୍ଲୀରେ ଏକ ଟିଭି କାର୍ଯ୍ୟକ୍ରମରେ ଯୋଗଦେଇ କଙ୍ଗନା କହିଛନ୍ତି, ଆଣପମାନେ ଜାଣିଛନ୍ତି ଯେ  କିଭଳି ଏଠାର ଅଭିନେତା (ହିରୋ)ମାନେ ମହିଳାଙ୍କୁ ଶୋଷଣ କରନ୍ତି? ସେମାନେ ନୈଶ୍ୟ ଭୋଜି ପାଇଁ ନିମନ୍ତ୍ରଣ କରନ୍ତି। ସେମାନଙ୍କୁ ମୋବାଇଲ୍‌ରେ ମେସେଜ୍‌ ପଠାନ୍ତି। ସେମାନଙ୍କୁ ଘରକୁ ଡାକନ୍ତି। କୋଲକତା ଦୁଷ୍କର୍ମ ଓ ହତ୍ୟା ଘଟଣା ସମ୍ପର୍କରେ ଉଲ୍ଲେଖ କରି କଙ୍ଗନା କହିଛନ୍ତି, କୋଲକତା ଘଟଣା, ତାଙ୍କୁ ଦିଆଯାଉଥିବା ଦୁଷ୍କର୍ମ ଧମକ ଆଦିରୁ ଜଣାଯାଉଛି ଯେ ସେମାନେ ମହିଳାଙ୍କୁ ସମ୍ମାନ ଦିଅନ୍ତି ନାହିଁ। ଚଳଚ୍ଚିତ୍ର ଜଗତ ଏହି ପରିସରରୁ ଭିନ୍ନ ନୁହେଁ। କଲେଜ ଛାତ୍ରମାନେ ନିଜର ମହିଳା ସହପାଠୀଙ୍କୁ ଅଶ୍ଳୀଳ ଇଙ୍ଗିତ କରନ୍ତି, ହିରୋମାନେ ମଧ୍ୟ ସେମାନଙ୍କ ଠାରୁ ଭିନ୍ନ ନୁହନ୍ତି। ଅତୀତରେ ନୃତ୍ୟ ନିର୍ଦ୍ଦେଶିକା ସରୋଜ ଖାନ୍‌ ଦେଇଥିବା ମନ୍ତବ୍ୟର ସ୍ମୃତିଚାରଣ କରି  କଙ୍ଗନା କହିଛନ୍ତି, କର୍ମକ୍ଷେତ୍ରରେ  ଯୌନ ଶୋଷଣ ସମ୍ପର୍କରେ ସରୋଜ ଖାନ୍‌ କହିଥିଲେ ଯେ ‘ରେପ୍‌ ତୋ କରତେ ହେଁ ପର ରୋଟି ଭି ଦେତେ ହେଁ (ଦୁଷ୍କର୍ମ ତ କରନ୍ତି, କିନ୍ତୁ ଖାଇବାକୁ ମଧ୍ୟ ଦିଅନ୍ତି)।’ ଚଳଚ୍ଚିତ୍ର‌ ଜଗତରେ  ଆମ ଝିଅମାନଙ୍କ ସ୍ଥିତି ଏଭଳି ବୋଲି କଙ୍ଗନା କହିଛନ୍ତି।