ପେଗାସସ୍‌ ଚର୍ଚ୍ଚା ଦାବିକୁ ପ୍ରତ୍ୟାଖ୍ୟାନ

ପେଗାସସ୍‌ ଏକ ପ୍ରସଙ୍ଗ ନୁହେଁ: ସରକାର
ଦ୍ବିତୀୟ ସପ୍ତାହ ବି ହଟ୍ଟଗୋଳରେ ଗଲା
ସଂସଦ ସୋମବାର ପର୍ଯ୍ୟନ୍ତ ମୁଲତବୀ

ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନର ଦ୍ବିତୀୟ ସପ୍ତାହ ମଧ୍ୟ ପ୍ରବଳ ହଙ୍ଗାମା ଓ ହଟ୍ଟଗୋଳ ଭିତରେ ବଳି ପଡ଼ିଯାଇଛି। ଆଜି ମଧ୍ୟ ପେଗାସସ୍‌ ସ୍ପାଏୱେର୍‌ ପ୍ରସଙ୍ଗରେ ବିରୋଧୀ ଦଳ ସାଂସଦଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ଲୋକସଭା ଓ ରାଜ୍ୟସଭାରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଉଭୟ ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଆଜି ବିରୋଧୀ ଦଳ ନେତାମାନେ ପେଗାସସ୍‌ ଗୁଇନ୍ଦାଗିରି ମାମଲା, କୃଷି ଆଇନ ଏବଂ ଅନ୍ୟ ପ୍ରସଙ୍ଗରେ ଜୋର୍‌ଦାର ବିରୋଧ ପ୍ରଦର୍ଶନ କରିଥିଲେ। କଂଗ୍ରେସ ସାଂସଦ ମାଣିକମ ଟାଗୋର୍‌ ପେଗାସସ୍‌ ମାମଲାରେ ଲୋକସଭାରେ ସ୍ଥଗନ ପ୍ରସ୍ତାବ ନୋଟିସ୍‌ ଦେଇଥିଲେ। ଲୋକସଭାରେ ଆଜି ମଧ୍ୟ ସ୍ଥିତିରେ କୌଣସି ପରିବର୍ତ୍ତନ ନହେବାରୁ ବାଚସ୍ପତି ଓମ୍‌ ବିର୍ଲା ଉଦ୍‌ବେଗ ପ୍ରକାଶ କରିଥିଲେ ଏବଂ ସଂସଦର ମର୍ଯ୍ୟଦା ବଜାୟ ରଖିବାକୁ ଆବଶ୍ୟକସ୍ଥଳେ ବିଶୃଙ୍ଖଳିତ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଥିଲେ।

କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ସଦସ୍ୟମାନେ ଆଜି ଲୋକସଭାରେ ପୋଗସସ୍‌ ଗୁଇନ୍ଦିାଗରି ପ୍ରସଙ୍ଗରେ ତତ୍କାଳ ଚର୍ଚ୍ଚା କରିବାକୁ ଦାବି କରିଥିଲେ। ତେବେ ସରକାର ଏହି ଦାବିକୁ ପ୍ରତ୍ୟାହଖାନ କରି ଏହା କୌଣସି ପ୍ରସଙ୍ଗ ନୁହେଁ ବୋଲି କହିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଥିଲେ ଯେ ଚର୍ଚ୍ଚା ପାଇଁ ପେଗାସସ୍‌ କଦାପି ଏକ ପ୍ରସଙ୍ଗ ନୁହେଁ। ସଂସଦକୁ ଚଳାଇ ନଦେବା ପାଇଁ ବିରୋଧୀଙ୍କ ଏଭଳି ରଣନୀତି ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସେ କହିଥିଲେ। ‘ସରକାର ସବୁ ପ୍ରସଙ୍ଗରେ ଚର୍ଚ୍ଚା ପାଇଁ ପ୍ରସ୍ତୁତ ଥିଲେ ମଧ୍ୟ କେବଳ ଗୃହକୁ ଅଚଳ କରି ରଖିବାକୁ ବିରୋଧୀ ଦଳ ଚାହୁଛନ୍ତି। ପେଗାସସ୍‌ ମାମଲାରେ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବିସ୍ତୃତ ବୟାନ ରଖି ସାରିଛନ୍ତି ଏବଂ ବିରୋଧୀ ଦଳ କେବଳ ବାହାନା ବନାଇ ୮ ଦିନ ହେଲା ସଂସଦ ଚଳାଇବାକୁ ଦେଉନାହାନ୍ତି’ ବୋଲି ସେ କହିଥିଲେ। ଆଜି ଶିରୋମଣି ଅକାଳି ଦଳ, ବହୁଜନ ସମାଜ ପାର୍ଟି ଏବଂ କଂଗ୍ରେସ ସାଂସଦମାନେ ୩ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବି ନେଇ ସଂସଦ ବାହାରେ ମଧ୍ୟ ଧାରଣା ଦେଇଥିଲେ। ଅକାଳି ଦଳ ସାଂସଦ ହରସିମରତ କୌର କହିଛନ୍ତି, ଆସନ୍ତାକାଲି ଏହି ପ୍ରସଙ୍ଗରେ ସାଂସଦମାନେ ରାଷ୍ଟ୍ରପତିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବେ।

ସମ୍ବନ୍ଧିତ ଖବର