ରାୟବରେଲିକୁ ରେଖା ଦେଲେ ୨.୫କୋଟି

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା ରାଜ୍ୟସଭା ସାଂସଦ ରେଖା ଗଣେଶନ୍‌ ନିଜର ସଂସଦୀୟ କ୍ଷେତ୍ର ବିକାଶ ପାଣ୍ଠିରୁ ୨.୫ କୋଟି ରାୟବରେଲିକୁ ଦେଇଛନ୍ତି। ରାୟବରେଲି ହେଉଛି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସଂସଦୀୟ କ୍ଷେତ୍ର । ସଂସଦୀୟ କ୍ଷେତ୍ରର ବିକାଶ ପାଣ୍ଠିରୁ ରେଖା ଦେଇଥିବା ୨.୫ କୋଟି ଟଙ୍କା ରାୟବରେଲିରେ ସଡକ ନିର୍ମାଣ, ଜଳ ସଙ୍କଟ ଦୂର, ଉତ୍ତମ ବିଜୁଳି ବିତରଣ ପାଇଁ ନୂତନ ଟ୍ରାନ୍ସଫର୍ମର ସ୍ଥାପନ ପାଇଁ ବିନିଯୋଗ କରାଯିବ।

ଜଣେ ଅଧିକାରୀଙ୍କ କହିବାନୁସାରେ, ରେଖାଙ୍କ ପାଣ୍ଠିରୁ ଏ ବାବଦକୁ ୧.୦୬କୋଟି ଟଙ୍କା ମିଳି ସାରିଛି। ବାକି ରାଶି ପ୍ରକଳ୍ପର ୟୁଟିଲାଇଜେସନ୍‌ ସାର୍ଟିଫିକେଟ ଜମା କରିବା ପରେ ମିଳିବ।

କଂଗ୍ରେସ ଅଧ୍ୟକ୍ଷାଙ୍କ ନିକଟତମ ସୂତ୍ରରୁ ପ୍ରକାଶ, ଅଭିନେତ୍ରୀ ରେଖା ସୋନିଆ ଗାନ୍ଧିଙ୍କୁ ଭେଟି ନିଜର ଇଚ୍ଛା ସମ୍ପର୍କରେ ଜଣାଇଥିଲେ। ରେଖାଙ୍କ ଇଚ୍ଛା ଥିଲା କି, ସେ ରାୟବରେଲିରେ ନିଜର ସଂସଦ ପାଣ୍ଠିରୁ କିଛି ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁଛନ୍ତି। ତାଙ୍କର ଏହି ପାଣ୍ଠିରୁ ସୋଲାର ଲାଇଟ ଓ ସଡକ ନିର୍ମାଣ ପାଇଁ ବ୍ୟବହାର କରାଯାଇଛି। ରେଖାଙ୍କୁ ୨୦୧୨ରେ କଂଗ୍ରେସ ନେତୃତ୍ୱରେ ଥିବା ୟୁପିଏ ସରକାର-୨ର କାର୍ଯ୍ୟକାଳରେ ରାଜ୍ୟସଭାକୁ ମନୋନୀତ କରାଯାଇଥିଲା। ତାଙ୍କର କାର୍ଯ୍ୟକାଳ ୨୦୧୮ ଏପ୍ରିଲ ୨୬ ତାରିଖରେ ଶେଷ ହେବ।

ସମ୍ବନ୍ଧିତ ଖବର