ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଖା ଗୁପ୍ତା । ୪ର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆଦି ଦିଲ୍ଲୀର ଦାୟିତ୍ବ ନେବେ । ୨୭ ବର୍ଷ ପରେ ବିଜେପି ଦିଲ୍ଲୀ ଦଖଲ କରିଥିବାରୁ ଏହି ଗୌରବମୟ ମୁହୂର୍ତ୍ତକୁ ଅଧିକ ସ୍ମରଣୀୟ ଏବଂ ଇତିହାସରେ ଲିପିବଦ୍ଧ କରିବାକୁ ଜଣେ ମହିଳାଙ୍କ ହାତରେ ଶାସନ ଭାର ଦେଇଛନ୍ତି ବିଜେପିର ଶୀର୍ଷ ନେତୃତ୍ବ । ତେବେ ଆଜିଠୁ ରାଜଧାନୀ ଦିଲ୍ଲୀରେ ଚାଲିବ ରେଖା ରାଜ୍ ।
ସେପଟେ ରେଖା ଗୁପ୍ତା ମହିଳା ମୁଖ୍ୟମନ୍ତ୍ରୀ ହୋଇଥିବାରୁ ତାଙ୍କ ଠାରୁ ଅନେକ କିଛି ଆଶା ରଖିଛନ୍ତି ଦିଲ୍ଲୀବାସୀ । ନରେନ୍ଦ୍ର ମୋଦୀଙ୍କୁ ଭରସା କରି ଏଥର ଦିଲ୍ଲୀ ଜନତା ରାଜଧାନୀରେ ଫୁଲ ଫୁଟାଇଛନ୍ତି ଆଉ ବିଜେପିକୁ ବନବାସରୁ ଫେରାଇଛନ୍ତି । ଦିଲ୍ଲୀ ବିଜେପିରେ ଆସିବା ଏବଂ ଜଣେ ମହିଳାଙ୍କ ହାତରେ କ୍ଷମତା ଦିଆଯିବା ଦିଲ୍ଲୀ ଜନତାଙ୍କ ପାଇଁ ଏକ ସୁବର୍ଣ୍ଣ ଯୁଗ କୁହାଯାଉଥିବା ବେଳେ ରେଖା ହିଁ ଦିଲ୍ଲୀର ଭାଗ୍ୟ ରେଖା ବୋଲି ଅନେକ ଚର୍ଚ୍ଚା କରୁଛନ୍ତି ।
ଯେଉଁ କାରଣରୁ ଏବଂ ଯେଉଁ ସମସ୍ୟା ପାଇଁ ଦିଲ୍ଲୀରେ ଆପ୍ ହାରିଲା ସେହି ସବୁ ସମସ୍ୟା ରେଖାଙ୍କ ହାତରେ ଦୂର ହେବ ବୋଲି ଜନତା ଆଶା ରଖିଛନ୍ତି । ଶିକ୍ଷା, ସ୍ବାସ୍ଥ୍ୟ, ରାସ୍ତାଘାଟ, ପାଣି ସମସ୍ୟା ଦିଲ୍ଲୀରେ ରେଖା ସରକାର ଦୂରେଇବ ବୋଲି ଅନେକ ଆଶାବାଦୀ ଥିବା ବେଳେ ଶପଥ ନେବା ପୂର୍ବରୁ ସବୁ ପ୍ରତିଶ୍ରୁତି ପୂରଣ କରିବାର କଥା ଦେଇଛନ୍ତି ରେଖା ଗୁପ୍ତା । ମହିଳାଙ୍କ ପାଇଁ ବଡ ଯୋଜନା ଆଣିବାର ଆଶା ଦେଖାଇଛନ୍ତି ରେଖା । ମାଆ ଭଉଣୀଙ୍କ ଜୀବନରେ ବଡ ପରିବର୍ତ୍ତନ ଆସିପାରେ ବୋଲି ରେଖା ଇସାରା ଦେଇଛନ୍ତି ।
ସେପଟେ ରେଖା ସରକାରକୁ ନେଇ ଶୀର୍ଷ ନେତୃତ୍ବ ମଧ୍ୟ ଆଶାବାଦୀ । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି ଅମିତ ଶାହା । କହିଛନ୍ତି ରାଜଧାନୀ ଦିଲ୍ଲୀକୁ ଦୁନିଆର ସବୁଠୁ ଶୀର୍ଷ ରାଜଧାନୀ କରିବାକୁ ପ୍ରଧାନମନ୍ତ୍ରୀ ଯେଉଁ ପରିକଳ୍ପନା କରିଛନ୍ତି ଆଶା କରୁଛି ଆପଣ ସେହି ଦିଗରେ ସମର୍ପଣର ସହ କାମ କରିବେ ।
ସେହିପରି ରାଜନାଥ ସିଂହ ଶୁଭେଚ୍ଛା ଜଣାଇ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ବିକଶିତ ଭାରତର ବିକଶିତ ରାଜଧାନୀ ହେବ । ଏହା ମୋର ବିଶ୍ବାସ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରେଖାଙ୍କୁ ଅଭିନନ୍ଦନ ଜଣାଇ ଲେଖିଛନ୍ତି ଆପଣଙ୍କ ନେତୃତ୍ବରେ ଦିଲ୍ଲୀ ବିକାଶ ଏବଂ ଶୁସାନର ନୂଆ ଉଚ୍ଚତାକୁ ଅଗ୍ରସର ହେବ ।