ନୂଆଦିଲ୍ଲୀ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ବିଜେପି ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିଛି। ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ରେଖା ଗୁପ୍ତା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବେ। ଆଜି ସନ୍ଧ୍ୟାରେ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ହୋଇଥିବା ବିଧାୟକ ଦଳ ବୈଠକରେ ଦଳର ବରିଷ୍ଠ ନେତା ତଥା ବିଧାୟକ ପରବେଶ ବର୍ମା ମୁଖ୍ୟମନ୍ତ୍ରୀ ପଦ ପାଇଁ ରେଖା ଗୁପ୍ତାଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଦଳର ପର୍ଯ୍ୟବେକ୍ଷକ ରବିଶଙ୍କର ପ୍ରସାଦ ଏବଂ ଓପି ଧନଖଡ଼ଙ୍କ ଉପସ୍ଥିତିରେ ସମସ୍ତ ବିଧାୟକ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। ଏହାପରେ ରେଖା ଗୁପ୍ତା ବରିଷ୍ଠ ନେତାଙ୍କ ଗହଣରେ ରାଜଭବନରେ ପହଞ୍ଚି ଉପରାଜ୍ୟପାଳ ଭି କେ ସକ୍ସେନାଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି। ସେହିପରି ନୂଆଦିଲ୍ଲୀ ଆସନର ବିଧାୟକ ପରବେଶ ବର୍ମାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଛି। ଶ୍ରୀ ବର୍ମା ୩୦ ବର୍ଷ ଧରି ବିଜେପିରେ ଅଛନ୍ତି। ତାଙ୍କ ପିତା ସାହିବ ସିଂହ ବର୍ମା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ। ୫୦ ବର୍ଷୀୟା ରେଖା ଗୁପ୍ତା ନିକଟରେ ଶେଷ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ଶାଲିମାର ବାଗ୍‌ ଆସନରୁ ଜିତିଥିଲେ। ଆସନ୍ତାକାଲି ଐତିହାସିକ ରାମଲୀଳା ମଇଦାନରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଗୁପ୍ତା ବିଜେପିରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦବିରେ ରହିଛନ୍ତି। ପୂର୍ବରୁ ସେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର ସଂଗଠନ (ଡିୟୁଏସ୍‌ୟୁ)ର ସଭାପତି ଥିଲେ। 

Advertisment

ସେ ୨ ଥର କାଉନ୍‌ସିଲର ହୋଇଛନ୍ତି। ରେଖା‌ ଗୁପ୍ତା ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ି ଶାଲିମାରବାଗ୍‌ ଆସନରୁ ଆପ୍‌ର ବନ୍ଦନା କୁମାରୀ ଏବଂ କଂଗ୍ରେସର ପ୍ରବୀଣ କୁମାର ଜୈନଙ୍କୁ ହରାଇଛନ୍ତି। ସେ ୨୯,୫୯୫ ଭୋଟ  ବ୍ୟବଧାନରେ ଏହି ଆସନରେ ଜିତିଥିଲେ। ଏବେ ରେଖା ଗୁପ୍ତା ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୮ ତାରିଖରୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳ ବାହାରିଥିଲେ ମଧ୍ୟ ବିଜେପି ଏହାର ରାଜନୈତିକ ରଣନୀତିର ଏକ ଅଂଶ ଭାବେ ଶେଷ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି। ପରବେଶ ବର୍ମା, ବିଜେନ୍ଦ୍ର ଗୁପ୍ତାଙ୍କ ସମେତ ଅନେକ ନାଁକୁ ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ବିଜେପି ରେଖା ଗୁପ୍ତାଙ୍କ ନାମ ଘୋ‌ଷଣା କରି ସମସ୍ତଙ୍କୁ ଚମକାଇ ଦେଇଛି। 

ଆସନ୍ତାକାଲି ଶପଥ ସମାରୋହ ପୂର୍ବାହ୍‌ଣ ୧୧ଟାରେ ଆରମ୍ଭ ହେବ। ୧୨.୩୫ରେ ରେଖା ଗୁପ୍ତା ଏବଂ ସମସ୍ତ କ୍ୟାବିନେଟ୍‌ ସଦସ୍ୟ ଶପଥ ନେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଏନ୍‌ଡିଏ ମେଣ୍ଟର ୫୦ରୁ ଅଧିକ ନେତା ସମାରୋହରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ଶପଥ ଉତ୍ସବ ପାଇଁ ୫୦ ହଜାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଆରଏସ୍‌ଏସ୍‌ ‌ନେତା, ଧର୍ମଗୁରୁ, ଶିଳ୍ପପତିଙ୍କ ସମେତ ବହୁ ସଂଖ୍ୟାରେ ସେଲିବ୍ରିଟି ମଧ୍ୟ ଏହି ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ। ସମାରୋହରେ ଲାଡ୍‌ଲି ବେହନା ହିତାଧିକାରୀ, ଅଟୋ ଚାଳକ, ଦିଲ୍ଲୀ ଚାଷୀଙ୍କ ସମେତ ବିଭିନ୍ନ ରାଜ୍ୟର ବିଜେପି କର୍ମୀ ସାମିଲ ହେବେ ବୋଲି ଜଣାପଡ଼ିଛି।