ନୂଆଦିଲ୍ଲୀ: ଦିଲ୍ଲୀ ପାଇଲା ମହିଳା ମୁଖ୍ୟମନ୍ତ୍ରୀ । ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି ସରକାର ଗଢିଥିବା ବେଳେ ଜଣେ ମହିଳାଙ୍କୁ ତାର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରିଛି । ଯେତେବେଳେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ କଳ୍ପନା ଜଳ୍ପନା ଚାଲିଥିଲା ସେତେବେଳେ ହିଁ ରେଖା ଗୁପ୍ତାଙ୍କ ନାଁ ଘୋଷଣା କରିଛି ବିଜେପି । ରେଖା ଗୁପ୍ତା ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ସେ ଦିଲ୍ଲୀର ଦାୟିତ୍ବ ନେବାକୁ ଶପଥ ଗ୍ରହଣ କରିବେ ।

Advertisment

ତେବେ ପୂର୍ବରୁ ସୁଷମା ସ୍ବରାଜ ମାତ୍ର ୫୨ ଦିନ ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିଥିଲେ । ୧୨ ଅକ୍ଟୋବର ୧୯୯୮ରୁ ୩ ଡିସେମ୍ବର ୧୯୯୮ ମାତ୍ର ୫୨ ଦିନ ଯାଏଁ ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ସୁଷମା । ଆଉ ଦୀର୍ଘ ୨୭ ବର୍ଷ ପରେ ଅର୍ଥାତ ୨୦୨୫ରେ ହିଁ ପୁଣି ଥରେ ବିଜେପି ଦିଲ୍ଲୀରେ ସରକାର ଗଢିବା ପରେ ଫେବୃୟାରୀ ୨୦ରେ ହିଁ ରେଖା ଗୁପ୍ତା ଦିଲ୍ଲୀ ଆଉ ଜଣେ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।

ତେବେ ଦିଲ୍ଲୀର ୪ର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତା ଶପଥ ନେବେ । ଏହା ପୂର୍ବରୁ ଆମ୍ ଆଦମୀ ପାର୍ଟିର ଆତିଶୀ ମାର୍ଲେନା, ୧୫୨ ଦିନ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଥିବା ବେଳେ ଶୀଲା ଦୀକ୍ଷିତ ସବୁଠୁ ଦୀର୍ଘତମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଦିଲ୍ଲୀର ଶାସନ ଭାର ସମ୍ଭାଳିଥିଲେ । ଶୀଲା କଂଗ୍ରେସ ସରକାରରେ ୧୫ ବର୍ଷ ୨୫ ଦିନ ଦିଲ୍ଲୀର ଦାୟିତ୍ବ ନେଇଥିଲେ । ପ୍ରଥମେ ସୁଷମା, ପରେ ଶୀଲା, ତାପରେ ଆତିଶୀ ଏବଂ ଏବେ ଦିଲ୍ଲୀ ଗାଦିରେ ବସିଛନ୍ତି ଆଉ ଜଣେ ମହିଳା ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ।