ସ୍ୱାମୀଙ୍କ ସ୍ୱପ୍ନ ପୂରଣ କରିବାକୁ ଲେଫ୍ଟନାଣ୍ଟ ଭାବେ ସେନାରେ ସାମିଲ ହେବେ ଯବାନଙ୍କ ପତ୍ନୀ

ଭୋପାଳ: ସ୍ୱାମୀଙ୍କ ସ୍ୱପ୍ନ ପୂରଣ କରିବାକୁ ସେନାରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି ଯବାନଙ୍କ ପତ୍ନୀ | ମଧ୍ୟପ୍ରଦେଶର ରେୱା ଜିଲ୍ଲାର ଫାରେଡା ଗ୍ରାମରେ ରହୁଥିବା ବୀର ଚକ୍ର ପୁରସ୍କାର ପ୍ରାପ୍ତ ସହିଦ ଦୀପକ ସିଂଙ୍କ ପତ୍ନୀ ରେଖା ସିଂ ସ୍ୱାମୀଙ୍କ ସ୍ୱପ୍ନକୁ ସାକାର କରି ସେନାରେ ଲେଫ୍ଟନାଣ୍ଟ ହେବାର ଯୋଗ୍ୟତା ହାସଲ କରିଛନ୍ତି। ତାଙ୍କର ପ୍ରଶିକ୍ଷଣ ମେ ୨୮ ରୁ ଚେନ୍ନାଇରେ ଆରମ୍ଭ ହେବ | ସେ କହିଛନ୍ତି ଯେ ସ୍ୱାମୀଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ସେନାକୁ ଆସିଛନ୍ତି। ପ୍ରଥମ ପ୍ରୟାସରେ ରେଖା ସଫଳ ହୋଇନଥିଲେ, କିନ୍ତୁ ସେ ନିରାଶ ହୋଇନଥିଲେ ଏବଂ ଦ୍ୱିତୀୟ ପ୍ରୟାସରେ ସେ ଭାରତୀୟ ସେନାରେ ଲେଫ୍ଟନାଣ୍ଟ ପଦରେ ମନୋନୀତ ହୋଇଥିଲେ। ବିବାହ ପୂର୍ବରୁ ରେଖା ସିଂ ଜବାହର ନବୋଦୟ ବିଦ୍ୟାଳୟ ସିରମୋରରେ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ।

ଉଚ୍ଚଶିକ୍ଷିତ ରେଖା ଜଣେ ଶିକ୍ଷକ ହୋଇ ସମାଜର ସେବା କରିବାର ସ୍ୱପ୍ନ ଦେଖିଥିଲେ। ବିବାହ ପରେ ତାଙ୍କ ସ୍ୱାମୀ ଦୀପକ ସିଂ ତାଙ୍କୁ ସେନାରେ ଜଣେ ଅଧିକାରୀ ହେବାକୁ ପ୍ରେରଣା ଦେଇଥିଲେ। ସ୍ୱାମୀଙ୍କ ସହିଦ ହେବା ପରେ ରେଖା ତାଙ୍କ ସ୍ୱପ୍ନକୁ ପୂରଣ କରିବାକୁ ସ୍ଥିର କଲେ ଏବଂ ଏଥିରେ ଶ୍ୱଶୁରଘର ଲୋକ ମଧ୍ୟ ତାଙ୍କୁ ସମର୍ଥନ କଲେ | ସ୍ୱାମୀ ସହିଦ ହେବା ପରେ ରେଖା ସିଂ ଜିଲ୍ଲା ସୈନିକ କଲ୍ୟାଣ ସଂଘର କାର୍ଯ୍ୟାଳୟକୁ ଯାଇ ଆଲୋଚନା କରିଥିଲେ। ଏହା ପରେ ସେ ଜିଲ୍ଲା ପ୍ରଶାସନ ଏବଂ ସୈନିକ ୱେଲଫେୟାର ଆସୋସିଏସନରୁ ଉପଯୁକ୍ତ ମାର୍ଗଦର୍ଶନ ପାଇଲେ |

ଏହା ପରେ ସେ ତାଙ୍କର ପ୍ରସ୍ତୁତି ଆରମ୍ଭ କରି ନୋଏଡା ଯାଇ ସେନାରେ ଯୋଗଦେବା ପାଇଁ ପ୍ରବେଶିକା ପରୀକ୍ଷା ପାଇଁ ତାଲିମ ନେଇଥିଲେ | ସେ ପ୍ରଥମ ପ୍ରୟାସରେ ସଫଳତା ପାଇନଥିଲେ କିନ୍ତୁ ଦ୍ୱିତୀୟ ପ୍ରୟାସରେ ସେ ଲେଫ୍ଟନାଣ୍ଟ ହୋଇପାରିଛନ୍ତି | ସୂଚନା ଥାଉ କି ଲଦାଖର ଗାଲୱାନ ଉପତ୍ୟକାରେ ଚୀନ୍ ଆକ୍ରମଣର ମୁକାବିଲା କରୁଥିବାବେଳେ ଦୀପକ ସିଂ ୧୫ ଜୁନ୍ ୨୦୨୦ ରେ ସହିଦ ହୋଇଥିଲେ। ଦେଶ ପାଇଁ ବଳିଦାନ ଦେଇଥିବାରୁ ଦୀପକ ସିଂଙ୍କୁ ମରଣୋତ୍ତର ବୀର ଚକ୍ର ସମ୍ମାନରେ ପୁରସ୍କୃତ କରାଯାଇଥିଲା। ରାଷ୍ଟ୍ରୀୟ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସହିଦଙ୍କ ପତ୍ନୀ ରେଖା ସିଂଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର