ମୁମ୍ବାଇ: ମହାରାଷ୍ଟ୍ରର ବରିଷ୍ଠ ରାଜନେତା ଶରଦ ପାୱାର ଗତକାଲି ଏନସିପି ସଭାପତି ପଦରୁ ଇସ୍ତଫା ଘୋଷଣା କରିଥିଲେ | ନିଜର ଆତ୍ମଜୀବନୀ ‘ଲୋକ ମାଜେ ସଙ୍ଗତି’ର ଦ୍ବିତୀୟ ସଂସ୍କରଣ ଉନ୍ମୋଚନ ଅବସରରେ ସେ ଏହି ଘୋଷଣା କରିଥିଲେ | ଏହାରି ଭିତରେ ଏବେ ଚର୍ଚ୍ଚା ଜୋର ଧରିଛି ଯେ ଶରଦଙ୍କ ଉତ୍ତରାଧିକାରୀ ପାଇଁ ତାଙ୍କ ଝିଅ ସୁପ୍ରିୟା ସୁଲେ ଏବଂ ପୁତୁରା ଅଜିତ ପାୱାରଙ୍କ ମଧ୍ୟରେ ଏବେ କ୍ଷମତା ଲଢ଼େଇ ଆରମ୍ଭ ହୋଇପାରେ। ଏନ୍ସିପି ସଭାପତି ପଦକୁ ନେଇ ସୁଲେ ଏବଂ ପାୱାରଙ୍କ ମଧ୍ୟରେ ଏହି ଲଢ଼େଇ ହେଲେ ଦଳରେ ବିଭାଜନ ମଧ୍ୟ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଆଜି ଆମେ ଆପଣଙ୍କୁ ଶରଦଙ୍କ ପରିବାର ବାବଦରେ ବିସ୍ତୃତ ତଥ୍ୟ ଦେବୁ | ଅଜିତ କିଭଳି ସମ୍ପର୍କରେ ତାଙ୍କର ପୁତୁରା ହେବେ ସେ ବାବଦରେ ବି ଜଣାଇବୁ | ବାସ୍ତବରେ, ପାୱାରଙ୍କର ୧୧ଜଣ ଭାଇଭଉଣୀ ଅଛନ୍ତି | ଏମାନଙ୍କ ମଧ୍ୟରେ ସାତ ଭାଇ ଥିବାବେଳେ ଚାରି ଭଉଣୀ ଅଛନ୍ତି |
ତେବେ କେବଳ ପାଞ୍ଚ ଭାଇଭଉଣୀଙ୍କ ବାବଦରେ ସର୍ବସାଧାରଣରେ ତଥ୍ୟ ରହିଛି | ଶରଦ ୧୧ ଭାଇଭଉଣୀଙ୍କ ମଧ୍ୟରେ ନବମ ସ୍ଥାନରେ ଥିବାବେଳେ ଶରଦଙ୍କ ବଡ ଭାଇ ଆପା ସାହେବଙ୍କ ଦେହାନ୍ତ ହୋଇସାରିଛି | ଆପା ସାହେବଙ୍କର ଦୁଇ ଜଣ ସନ୍ତାନ ଥିବାବେଳେ ତାଙ୍କର ରାଜେନ୍ଦ୍ର ଏବଂ ରଞ୍ଜିତ ନାମରେ ଦୁଇ ପୁଅ ଅଛନ୍ତି | ରାଜେନ୍ଦ୍ର କୃଷି କ୍ଷେତ୍ରରେ ବ୍ୟବସାୟ କରୁଥିବାବେଳେ ତାଙ୍କ ପୁଅ ରୋହିତ ମଧ୍ୟ ରାଜନୀତିରେ ଅଛନ୍ତି। ସେ ପୁଣେ ଜିଲ୍ଲା ପରିଷଦର ଜଣେ ସଦସ୍ୟ ଅଛନ୍ତି। ଶରଦ ପାୱାରଙ୍କ ଦ୍ୱିତୀୟ ବଡ଼ ଭାଇ ଅନନ୍ତରାଓଙ୍କର ମଧ୍ୟ ଦେହାନ୍ତ ହୋଇଛି | ଅନନ୍ତରାଓଙ୍କର ତିନି ସନ୍ତାନ ହେଉଛନ୍ତି ଶ୍ରୀନିବାସ, ଅଜିତ ପାୱାର ଏବଂ ବିଜୟା ପାଟିଲ ଅଛନ୍ତି। ଅଜିତ ବର୍ତ୍ତମାନ ମହାରାଷ୍ଟ୍ର ବିଧାନସଭାରେ ଏନସିପିର ନେତା ଥିବାବେଳେ ଦୁଇଥର ଉପ-ମୁଖ୍ୟମନ୍ତ୍ରୀ ରହିଛନ୍ତି। ଅଜିତଙ୍କର ପାର୍ଥ ଏବଂ ଜୟ ନାମରେ ଦୁଇ ସନ୍ତାନ ଅଛନ୍ତି। ପାର୍ଥ ରାଜନୀତିରେ ଥିବାବେଳେ ଜୟ ବ୍ୟବସାୟ କରୁଛନ୍ତି। ଅଜିତଙ୍କ ବଡ ଭାଇ ଶ୍ରୀନିବାସ କୃଷି ଏବଂ ଅଟୋମୋବାଇଲ କ୍ଷେତ୍ରରେ ବ୍ୟବସାୟ କରୁଛନ୍ତି। ଭଉଣୀ ବିଜୟା ପାଟିଲ ମିଡିଆରେ କାମ କରୁଛନ୍ତି। ସେହିପରି ଶରଦ ପାୱାରଙ୍କ ଝିଅ ହେଉଛନ୍ତି ସୁପ୍ରିୟା ସୁଲେ | ସୁପ୍ରିୟା ଜଣେ ସାଂସଦ ଥିବାବେଳେ ଏନସିପି ଅଧ୍ୟକ୍ଷ ପାଇଁ ଦ୍ୱିତୀୟ ବଡ ଦାବିଦାର |