ୱାସିଂଟନ: ୧୯୭୦ ଦଶକରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଏବଂ ଭାରତୀୟଙ୍କ ସଂପର୍କରେ ଖରାପ ଶବ୍ଦ ପ୍ରୟୋଗ କରିଥିବା ଆମେରିକାର ପୂର୍ବତନ ବିଦେଶ ସଚିବ ହେନରି କିସିଞ୍ଜରଙ୍କର ଆଜି ତାଙ୍କ କନେକ୍ଟିକଟ୍ ସ୍ଥିତ ବାସଭବନରେ ପରଲୋକ ହୋଇଛି। ଆମେରିକାର ଏହି ବରିଷ୍ଠ କୂଟନୀତିଜ୍ଞ ତଥା ପୂର୍ବତନ ବିଦେଶ ସଚିବ ଗତ ଦଶନ୍ଧିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ସହିତ ଉତ୍ତମ ସଂପର୍କ ରଖିବାକୁ ଦୃଢ଼ ମତ ପୋଷଣ କରିଥିଲେ। ଆମେରିକା-ଚୀନ ସଂପର୍କ ସ୍ଥାପନର ବିନ୍ଧାଣି ଭାବେ ପରିଚିତ କିସିଞ୍ଜରଙ୍କ ମୃତ୍ୟୁର କାରଣ ସଂପର୍କରେ ରତାଙ୍କ କନସଲଟିଂ ଫାର୍ମ କିସିଞ୍ଜର ଆସୋସିଏଟ୍ସ ପକ୍ଷରୁ କିଛି କୁହାଯାଇନାହିଁ।
୨୦୧୪ରେ ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ହେବା ପରେ କିସିଞ୍ଜର ଭାରତ ସହିତ ଦୃଢ଼ ସଂପର୍କ ସ୍ଥାପନ ପାଇଁ ମତ ପୋଷଣ କରି ଆସୁଥିଲେ। ବସ୍ତୁତଃ ଗତ କିଛିବର୍ଷ ହେଲା ସେ ମୋଦୀଙ୍କର ଜଣେ ଦୃଢ଼ ପ୍ରଶଂସକ ପାଲଟି ଯାଇଥିଲେ। ଚଳିତବର୍ଷ ଜୁନରେ ପ୍ରଧାନମନ୍ତ୍ରୀ ମୋଦୀ ଯେତେବେଳେ ଆମେରିକାକୁ ଷ୍ଟେଟ୍ ଭିଜିଟ୍ରେ ଥିଲେ ସେତେବେଳେ ସ୍ବାସ୍ଥ୍ୟ ଖରାପ ଥିବା ସତ୍ତ୍ବେ ମୋଦୀଙ୍କ ଭାଷଣ ଶୁଣିବା ପାଇଁ ସେ ୱାସିଂଟନ ଆସିଥିଲେ। ଆମେରିକାର ବିଦେଶ ବିଭାଗର ସପ୍ତମ ମହଲାକୁ ତାଙ୍କୁ ହ୍ବିଲଚେୟାରରେ ଅଣାଯାଇଥିଲା। ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ଏରିକ୍ ଗାରସେଟି ତାଙ୍କୁ ଲିଫ୍ଟ ନିକଟରେ ସ୍ବାଗତ କରିଥିଲେ। ଆମେରିକାର ଜାତୀୟ ସୁରକ୍ଷା ଏବଂ ବିଦେଶ ନୀତି ଉପରେ ଅଖଣ୍ଡ ପ୍ରଭାବ ରଖିଥିବା କିସିଞ୍ଜର ମୋଦୀଙ୍କ ଭାଷଣକୁ ଧୈର୍ଯ୍ୟର ସହିତ ଶୁଣିଥିଲେ। ଏଥିସହିତ ମୋଦୀଙ୍କ ସହିତ ମଧ୍ୟ ତାଙ୍କର ଆଲୋଚନା ହୋଇଥିଲା। ଆମେରିକା ଭାରତ ରଣନୈତିକ ଓ ସହଯୋଗିତା ଫୋରମ (ୟୁଏସଆଇଏସ୍ପିଏଫ୍)ର ପ୍ରଥମ ବାର୍ଷିକୀ ଅବସରରେ ୨୦୧୮ ଜୁନରେ ଭାରତର ରଣନୀତିକୁ ସେ ଖୋଲାଖୋଲି ପ୍ରଶଂସା କରିଥିଲେ।