ଅହମ୍ମଦାବାଦ୍: ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ ହୋଇଛି । ଆଉ ନିଜ ପ୍ରିୟଜନଙ୍କ ମୃତଦେହ ନେବାପାଇଁ ଅହମ୍ମଦାବାଦ ମେଡିକାଲରେ ସମ୍ପର୍କୀୟଙ୍କ ଗହଳି ଲାଗିଲାଣି । ଦୁର୍ଘଟଣା ପରେ ବିସ୍ଫୋରଣ ପାଇଁ ଅଧିକାଂଶ ମୃତଦେହ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଆଉ ପରିଚୟ ପାଇଁ ଡିଏନ୍ଏ ପରୀକ୍ଷା କରାଯାଉଛି । ସେପଟେ ଯେଉଁ ମୃତକଙ୍କ ପରିଚୟ ମିଳିଛି, ସେମାନଙ୍କ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଉଛି । ଏପଟେ ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଆହତଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସକାଳ ପ୍ରାୟ ୮ଟା ୩୦ରେ ଅହମ୍ମଦାବାଦ ବିମାନ ବନ୍ଦରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ।
ଏହାପରେ ସେଠାରୁ ସିଧା ସିଭିଲ ହସ୍ପିଟାଲ ଯାଇ ଆହତଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି। ପରେ ବିମାନ ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପ୍ରଧାନମନ୍ତ୍ରୀ । ବିମାନ ଦୁର୍ଘଟଣାର କାରଣ ଜାଣିବାକୁ ତଦନ୍ତ ଆରମ୍ଭ ହୋଇଯାଇଛି। ଦୁର୍ଘଟଣାସ୍ଥଳରେ ଏନଏସଜି ଟିମ୍ ଓ ଫରେନସିକ୍ ଟିମ୍ ମଧ୍ୟ ପହଞ୍ଚି କାରଣ ଖୋଜିବାକୁ ତଦନ୍ତ କରୁଛନ୍ତି । ବ୍ଲାକ ବକ୍ସରୁ ଦୁର୍ଘଟଣାର କାରଣ ଜଣାପଡ଼ିବ ବୋଲି ଆଶା କରାଯାଉଛି ।