ଗହମ ରପ୍ତାନି କଟକଣାକୁ ସାମାନ୍ୟ କୋହଳ କଲା ଭାରତ

ନୂଆଦିଲ୍ଲୀ :  ଗହମ ରପ୍ତାନି କଟକଣାକୁ କିଛିଟା କୋହଳ କରିଛନ୍ତି ଭାରତ ସରକାର । ମେ ୧୩ କିମ୍ବା ତା ପୂର୍ବରୁ ସୀମା ଶୁଳ୍କ (କଷ୍ଟମ୍ସ) ଯ଼ାଞ୍ଚ ପାଇଁ ପହଞ୍ଚିସାରିଥିବା ଗହମ କନସାଇନମେଣ୍ଟ ଗୁଡ଼ିକୁ ରପ୍ତାନି ଅନୁମତି ଦିଆଯିବ ।

ଏ ସମ୍ପର୍କରେ ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଯେଉଁ ଗହମ କନସାଇଣ୍ଟମେଣ୍ଟଗୁଡ଼ିକ ମେ ୧୩ କିମ୍ବା ତା ପୂର୍ବରୁ ସୀମା ଶୁଳ୍କ (କଷ୍ଟମ୍ସ) ଯ଼ାଞ୍ଚ ପାଇଁ ଯାଇଛି କିମ୍ବା ସେମାନଙ୍କ ସିଷ୍ଟମରେ ପଂଜୀକରଣ ହୋଇସାରିଛି, ସେଗୁଡିକୁ ଅନୁମତି ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି ।

କେତେକ ବିଦେଶୀ ରାଷ୍ଟ୍ରଙ୍କ ଅନୁରୋଧକ୍ରମେ ଭାରତ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଗୁଜୁରାଟର କାଣ୍ଡଲା ବନ୍ଦରଠାରେ ଅଟକି ରହିଥିବା ଇଜିପ୍ଟ ଅଭିମୁଖୀ ଏକ ଜାହାଜକୁ ଅନୁମତି ଦିଆଯାଇଛି । ଏଥିପାଇଁ ଇଜିପ୍ଟ ସରକାର ଭାରତ ସରକାରଙ୍କୁ ଅନୁରୋଧ କରିଥିଲେ ।

ଭାରତ ସରକାର  ଗତ ମେ ୧୩ରେ ଗହମ ରପ୍ତାନି ଉପରେ କଟକଣା ଲଗାଇଥିଲେ । ଦେଶରେ ଗହମର ଦରବୃଦ୍ଧିକୁ ରୋକିବାକୁ ଓ ଉପଲବ୍ଧତା ନିଶ୍ଚିତ କରିବାକୁ ସରକାର ଏହି ପଦକ୍ଷେପ ନେଇଥିଲେ । ତେବେ ପୂର୍ବରୁ ପ୍ରତିଶ୍ରୁତିବଦ୍ଧ ଓ ଲେଟର ଅଫ କ୍ରେଡିଟ ମିଳିଥିବା ରପ୍ତାନିକୁ ଏହି କଟକଣାରୁ ମୁକ୍ତ ରଖାଯାଇଛି ।

ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ବିଶ୍ବ ବଜାରକୁ ଗହମର ଯୋଗାଣ ବାଧାପ୍ରାପ୍ତ ହୋଇଛି । ଏହା ଫଳରେ ବିଶ୍ବରେ ଗହମର ମୂଲ୍ୟ ବୃଦ୍ଧି ପାଇଛି । ଏ ପରିପ୍ରେକ୍ଷୀରେ ଭାରତର ରପ୍ତାନି କଟକଣାକୁ ଅନ୍ତର୍ଜାତୀୟ ସ୍ତରରେ ସମାଲୋଚନା କରାଯାଉଛି ।

ସମ୍ବନ୍ଧିତ ଖବର