ରାଜୀବ ଗାନ୍ଧି ହତ୍ୟାକାରୀଙ୍କ ମୁକ୍ତି: ସୁପ୍ରିମ୍‌କୋର୍ଟ ଆଦେଶକୁ ଚ୍ୟାଲେଞ୍ଜ କରିବ କଂଗ୍ରେସ

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟଙ୍କ ଆଦେଶ ଅନୁସାରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଛଅଜଣ ହତ୍ୟାକାରୀଙ୍କୁ ଜେଲରୁ ଖଲାସ କରିଦିଆଯିବାର ୧୦ ଦିନ ପରେ କଂଗ୍ରେସ ଏହା ବିରୋଧରେ ଏକ ରିଭ୍ୟୁ ପିଟିସନ ଦାଖଲ କରିବ ବୋଲି କହିଛି। ପୂର୍ବରୁ କଂଗ୍ରେସ ହତ୍ୟାକାରୀଙ୍କୁ ଖଲାସ କରାଯିବା ଘଟଣାକୁ ‘ଦୁର୍ଭାଗ୍ୟଜନକ’ ଓ ‘ଅଗ୍ରହଣୀୟ’ ବୋଲି କହିଥିଲା। କେନ୍ଦ୍ର ସରକାର ମଧ୍ୟ ଗତ ଶୁକ୍ରବାର ଉକ୍ତ ଆଦେଶର ପୁନର୍ବିଚାର କରିବା ପାଇଁ ସୁପ୍ରିମ୍‌କୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଉକ୍ତ ସମ୍ବେଦନଶୀଳ ରାଜନୈତିକ ପ୍ରସଙ୍ଗରେ କେନ୍ଦ୍ରର ଶାସକ ବିଜେପି ଏବଂ ବିରୋଧୀ କଂଗ୍ରେସ ଗୋଟିଏ ପଟରେ ରହିଛନ୍ତି।

କେନ୍ଦ୍ର ସରକାର କହିଛନ୍ତି, ହତ୍ୟାକାରୀମାନଙ୍କୁ ମୁକ୍ତି ଦେବା ବିଷୟରେ ବିଶେଷ କିଛି ଶୁଣାଣି କରା ନ ଯାଇ ସେମାନଙ୍କୁ ମୁକ୍ତ କରିଦିଆଗଲା। ଏହାଦ୍ବାରା ପ୍ରାକୃତିକ ନ୍ୟାୟ ଓ ନୀତିର ଭଙ୍ଗ ହେଲା। ନ୍ୟାୟର ଭୁଲ ପ୍ରୟୋଗ କରାଗଲା। ଏହି ହତ୍ୟାକାରୀମାନଙ୍କୁ ପ୍ରଥମେ ମୃତ୍ୟୁଦଣ୍ଡାଦେଶ ଦିଆଯାଇଥିଲା ଓ ପରେ ତାକୁ ଆଜୀବନ କରାଦଣ୍ଡକୁ ପରିବର୍ତ୍ତନ କରାଯାଇଥିଲା। ଏହି ପରିବର୍ତ୍ତନକୁ ରାଜୀବଙ୍କ ବିଧବା ପତ୍ନୀ ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ସମର୍ଥନ କରିଥିଲେ। ତାଙ୍କ ଝିଅ ପ୍ରିୟଙ୍କା ମଧ୍ୟ ଜଣେ କଏଦି ନଳିନୀକୁ ଜେଲରେ ଭେଟି ତାକୁ କ୍ଷମା କରିଦେଇଥିଲେ। ତେବେ ବରିଷ୍ଠ କଂଗ୍ରେସ ନେତାମାନେ ସୋନିଆ ଓ ପ୍ରିୟଙ୍କାଙ୍କ ଏହି କାର୍ଯ୍ୟକୁ ନାପସନ୍ଦ କରିଥିଲେ। ବର୍ତ୍ତମାନ ଦଳ କହୁଛି ସୁପ୍ରିମ୍‌କୋର୍ଟ ହତ୍ୟାକାରୀଙ୍କୁ ଜେଲରୁ ଖଲାସ କରିଦେବାଟା ଆଦୌ ଗ୍ରହଣୀୟ ନୁହେଁ।

ସମ୍ବନ୍ଧିତ ଖବର