ରିଲାଏନ୍ସ-ବିପି ପେଟ୍ରୋଲ ପମ୍ପକୁ ମିଳୁଛି କମ୍ ତେଲ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଗତ କିଛିଦିନ ହେଲା ଅଶୋଧିତ ତେଲ ଦର ତଳକୁ ଖସୁଛି। ଏହି କାରଣରୁ ସରକାରୀ ତେଲ କମ୍ପାନିଗୁଡ଼ିକ ଦୈନିକ ପେଟ୍ରୋଲ ଓ ଡିଜେଲ ଦର ସଂ‌ଶୋଧନକୁ ସ୍ଥଗିତ ରଖିଛନ୍ତି। ଏଭଳି ସ୍ଥିତିରେ କିନ୍ତୁ ରିଲାଏନ୍ସ-ବିପି ଓ ନାୟରା ଭଳି ଘରୋଇ କମ୍ପାନି ଅସୁବିଧାରେ ପଡ଼ିଛନ୍ତି। ବିଶେଷକରି ରିଲାଏନ୍ସ-ବିପିର ପେଟ୍ରୋଲ ପମ୍ପଗୁଡ଼ିକୁ କମ୍ପାନି ଗତମାସରୁ ସେମାନଙ୍କ ଆବଶ୍ୟକତା ଅନୁସାରେ ପେଟ୍ରୋଲ ଏବଂ ଡିଜେଲ ଯୋଗାଇ ଦେଉନାହାନ୍ତି। ମାର୍ଚ୍ଚ ୧୮ ତାରିଖରୁ ସେମାନଙ୍କୁ ପୂର୍ବରୁ ଯୋଗାଇ ଦିଆଯାଉଥିବା ପେଟ୍ରୋଲ ଓ ଡିଜେଲ ଉପରେ ଅଙ୍କୁଶ ଲଗାଯାଇଛି। ମେ ମାସ ବେଳକୁ ତେଲ ଯୋଗାଣ ସ୍ବାଭାବିକ ହେବା ନେଇ ଆଶା ଡିଲରମାନେ ରଖିଛନ୍ତି। ବର୍ତ୍ତମାନ ଅଧିକାଂଶ ସମୟ ପେଟ୍ରୋଲ ପମ୍ପରେ ତେଲ ରହୁନାହିଁ। ଏଭଳି ସ୍ଥିତିରେ ଆମେ କ’ଣ କରିବୁ ତାହା ଜାଣିପାରୁନୁ ବୋଲି ଜଣେ ଡିଲର କହିଛନ୍ତି।

ତେବେ ପୂର୍ବରୁ ତେଲ ଯୋଗାଣକୁ କମ୍ କରିଥିବା ଅନ୍ୟତମ ଘରୋଇ କମ୍ପାନି ନାୟରା ଏବେ ଏହାର ଯୋଗାଣକୁ ସ୍ବାଭାବିକ କରିଛି। ତେବେ ଏଠାରେ ସରକାରୀ କମ୍ପାନିଙ୍କ ପୂର୍ବ ଦର ତୁଳନାରେ ୨ ଟଙ୍କା ଅଧିକ ଦରରେ ତେଲ ବିକ୍ରି କରାଯାଉଛି। ଧୀରେ ଧୀରେ ସରକାରୀ ତେଲ କମ୍ପାନିଙ୍କ ‌ଖୁଚୁରା ଦର ସହିତ ନାୟାରା ଏହାର ଦରକୁ ସମାନ କରିବ ବୋଲି କୁହାଯାଉଛି। ସବୁଠାରୁ ବଡ଼ କଥା ହେଉଛି ଟାଙ୍କିକୁ ତେଲ ଯୋଗାଣ ସ୍ବାଭାବିକ କରାଯାଇଥିବାରୁ ପୂର୍ବ ବ୍ୟବସାୟ ଫେରିଆସିଛି। ସରକାରୀ ତେଲ କମ୍ପାନି ଗୁଡ଼ିକ ଚଳିତ ମାସ ୭ ତାରିଖରୁ ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇନାହାନ୍ତି। ତେବେ ମାର୍ଚ୍ଚ ୧୨ରୁ ଏପ୍ରିଲ ୬ ତାରିଖ ମଧ୍ୟରେ ୧୪ ଥରରେ ପେଟ୍ରୋଲ ଦର ଲିଟର ପିଛା ୧୦ ଟଙ୍କାରୁ ଅଧିକ ବଢ଼ାଇଛନ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସ ପାଇଥିବାରୁ ତେଲ କମ୍ପାନି ଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ସଂଶୋଧନକୁ ସ୍ଥଗିତ ରଖିଛନ୍ତି।

ସମ୍ବନ୍ଧିତ ଖବର