ମୁମ୍ବାଇ : ଓ୍ଵାଲ୍ଟ ଡିଜନି କମ୍ପାନି ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି । ଉଭୟ କମ୍ପାନି ଭାରତରେ  ସେମାନଙ୍କର କ୍ରୀଡା ଓ ମନୋରଞ୍ଜନ ପ୍ରସାରଣ ବ୍ୟବସାୟକୁ ମିଶାଇ ୭୦,୦୦୦ କୋଟି ଟଙ୍କାର ଏକ କମ୍ପାନି ଗଠନ କରିବାକୁ ଘୋଷଣା କରିଛନ୍ତି।

Advertisment

ରିଲାଏନ୍ସ ଏବଂ ଏହାର ସହାୟକ ସଂସ୍ଥାଗୁଡ଼ିକର ଏହି ଯୁଗ୍ମ ଉଦ୍ୟୋଗରେ ୬୩.୧୬ ପ୍ରତିଶତ ଅଂଶଧନ ରହିବ ବୋଲି କଂପାନିଗୁଡ଼ିକ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଡିଜନିର ଅବଶିଷ୍ଟ ୩୬.୮୪ ପ୍ରତିଶତ ଅଂଶଧନ ରହିବ। ଅର୍ଥାତ ରିଲାଏନ୍ସ ପାଖରେ ଏହି ଯୁଗ୍ମ ଉଦ୍ୟୋଗର ନିୟନ୍ତ୍ରଣ ରହିବ ।

ରିଲାଏନ୍ସ ଓଟିଟି ବ୍ୟବସାୟବୃଦ୍ଧି ପାଇଁ ମିଳିତ ଉଦ୍ୟୋଗରେ ପ୍ରାୟ ୧୧,୫୦୦ କୋଟି ଟଙ୍କା ନିବେଶ କରିବାକୁ ରାଜି ହୋଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ଏହି ଯୁଗ୍ମ କମ୍ପାନୀର ଅଧ୍ୟକ୍ଷ ହେବେ  ସେହିପରି ଉଦୟ ଶଙ୍କର ଉପାଧ୍ୟକ୍ଷ ରହିବେ।

ଏହି ମିଶ୍ରଣ ଫଳରେ ଉଭୟ କମ୍ପାନିର କେତେକ ପ୍ରମୁଖ ଟିଭି ଚ୍ୟାନେଲ ଯେପରିକି କଲର୍ସ,ଷ୍ଟାରଗୋଲ୍ଡ,,ଷ୍ଟାରପ୍ଲସ ଓ କ୍ରୀଡା ଚ୍ୟାନେଲ ଯେପରିକି ଷ୍ଟାର ସ୍ପୋର୍ଟ୍ସ, ସ୍ପୋର୍ଟସ୧୮ ଗୋଟିଏ କମ୍ପାନି ଅଧିନକୁ ପଳାଇଆସିବ । ସେହିପରି ଓଟିଟି କ୍ଷେତ୍ରରେ ଜିଓ ସିନେମା ଓ ହଟଷ୍ଟାର ମଧ୍ୟ ଏକାଠି ହୋଇଯିବେ ।