ଦେଶର ୧୦୦୦ ସହରରେ ୫ଜି ସେବାର ଶୁଭାରମ୍ଭ କରିବ ରିଲାଏନ୍ସ ଜିଓ

ଭୁବନେଶ୍ୱର: ରିଲାଏନ୍ସ ଜିଓ ଦେଶର ୧୦୦୦ଟି ସହରରେ ୫ଜି ସେବାର ଶୁଭାରମ୍ଭ ଲାଗି ପ୍ରସ୍ତୁତି କରୁଛି । କଂପାନି ନିଜର ୫ଜି ନେଟ୍‌ୱର୍କରେ ସ୍ୱାସ୍ଥ୍ୟ ସେବା ଓ ଶିଳ୍ପ ଅଟୋମେସନର ପରୀକ୍ଷଣ କରୁଛି । ୫ଜି ନେଟ୍‌ୱର୍କରେ ଅଧିକ ଡାଟା ଖର୍ଚ୍ଚ ହୁଏ, ତେଣୁ କଂପାନି ଅଧିକ ଡାଟା ବ୍ୟବହାର ହେଉଥିବା ଅଂଚଳ ଓ ଗ୍ରାହକମାନଙ୍କୁ ଚିହ୍ନଟ କରିବା ଲାଗି ହିଟ୍ ମ୍ୟାପ୍‌ସ, ୩ଡି ମ୍ୟାପ୍‌ସ ଓ ରେ-ଟ୍ରେସିଂ ପ୍ରଯୁକ୍ତି ବ୍ୟବହାର କରୁଛି । ଏହା ଦ୍ୱାରା ଗ୍ରାହକମାନଙ୍କ ଆବଶ୍ୟକତା ଅନୁସାରେ ଏକ ଦୃଢ଼ ନେଟ୍‌ୱର୍କ ପ୍ରସ୍ତୁତ କରାଯାଇପାରିବ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ତ୍ରୈମାସିକ ଆର୍ଥିକ ଫଳାଫଳ ଘେଷଣାରୁ ଏହି ତଥ୍ୟ ଜଣାପଡିିଛି ।

ଗ୍ରାହକ ଆଧାରିତ ୫ଜି ସମାଧାନ ବିକଶିତ କରିବା ଲାଗି ଜିଓ ପକ୍ଷରୁ ବିଭିନ୍ନ ପ୍ରକାର ଟିମ୍ ଗଠନ କରାଯାଇଛି । ସେମାନେ ଯେଭଳି ବିଭିନ୍ନ ପ୍ରକାରର ୫ଜି ସମାଧାନ ବିକଶିତ କରିପାରିବେ ସେଥିପାଇଁ ସେମାନଙ୍କୁ ଭାରତ ସହିତ ଆମେରିକାରେ ମଧ୍ୟ ମୁତୟନ କରାଯାଇଛି । କଂପାନିର ଏହି ବିଶ୍ୱାସ ରହିଛି ଯେ ଏହି ଟିମଗୁଡିକ ଏଭଳି ୫ଜି ସମାଧାନ ପ୍ରସ୍ତୁତ କରିବ ଯାହା ବୈଷୟିକ ଦୃଷ୍ଟିକୋଣରୁ ବିଶ୍ୱସ୍ତରର ସମକକ୍ଷ ରହିବ କିମ୍ବା ତା’ଠାରୁ ଅଧିକ ଉନ୍ନତ ହେବ । ଏହା ବ୍ୟତୀତ କଂପାନି ୟୁରୋପରେ ଏକ ପ୍ରଯୁକ୍ତି ଟିମ୍ ଗଠନ କରିଛି ଯାହା ୫ଜି ପରବର୍ତୀ ବ୍ୟବସ୍ଥା ପ୍ରସ୍ତୁତ କରିବା କାର୍ଯ୍ୟ କରିବ ।

Business India

୫ଜିକୁ ଶୀଘ୍ର କାର୍ଯ୍ୟକାରୀ କରିବା ଲାଗି କଂପାନି ପକ୍ଷରୁ ଭିତ୍ତିଭୂମିକୁ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି କରାଯାଉଛି । ସାଇଟ୍‌ଗୁଡ଼ିକରେ ଫାଇବର୍ ଓ ବିଦ୍ୟୁତ ଉପଲବ୍ଧତାକୁ ବୃଦ୍ଧି କରାଯାଉଛି । ଏହା ଦ୍ୱାରା ଯେତେବେଳେ ୫ଜି ପ୍ରଚଳନ କରିବାର ସମୟ ଆସିବ ସେଥିରେ କୌଣସି ବିଳମ୍ବ ବା ସମସ୍ୟା ହେବ ନାହିଁ ।

କମ୍ପାନୀ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ ପାଇଁ ଘୋଷଣା କରାଯାଇଥିବା ଫଳାଫଳ ଅନୁଯାୟୀ ରିଲାଏନ୍ସ ଜିଓର ହାରାହାରି ଗ୍ରାହକ ପିଛା ରାଜସ୍ୱ (ଆର୍‌ପୁ) ବୃଦ୍ଧି ପାଇ ପ୍ରତି ଗ୍ରାହକ ପିଛା ପ୍ରତି ମାସିକ ହାରାହାରି ୧୫୧.୬ ଟଙ୍କା ହୋଇଛି । ପ୍ରତି ଗ୍ରାହକ ପିଛା ମାସିକ ଭଏସ୍ ଓ ଡାଟା ବ୍ୟବହାରରେ ମଧ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି । ଜିଓ ନେଟ୍‌ୱର୍କରେ ପ୍ରତି ଗ୍ରାହକ ମାସକୁ ହାରାହାରି ୧୮.୪ ଜିବି ଡାଟା ବ୍ୟବହାର କରୁଛନ୍ତି ଓ ୯୦୧ ମିନିଟ୍ ଭଏସ୍ କଲ୍‌ରେ କଥାବାର୍ତା ହେଉଛନ୍ତି ।

ଜିଓର ମୋଟ ଗ୍ରାହକ ସଂଖ୍ୟା ଏବେ ପ୍ରାୟ ୪୨ କୋଟି ୧୦ ଲକ୍ଷ ପାଖାପାଖି ରହିଥିବା ବେଳେ ଜିଓ ଫାଇବର୍ ଗ୍ରାହକ ସଂଖ୍ୟା ୫୦ ଲକ୍ଷ ଅତିକ୍ରମ କରିବା ସହ ଦୃତ ଗତିରେ ବୃଦ୍ଧିପାଉଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି ।

ସମ୍ବନ୍ଧିତ ଖବର