ରିଲାଏନ୍ସ ନିର୍ମାଣ କଲା ନୂଆ ଆରଟି-ପିସିଆର କିଟ୍, ମାତ୍ର ୨ ଘଣ୍ଟାରେ କରୋନା ଭୁତାଣୁ ଚିହ୍ନଟ କରିବ

ନୂଆଦିଲ୍ଲୀ : ରିଲାଏନ୍ସ ଲାଇଫ ସାଇନ୍ସେସ ପକ୍ଷରୁ ଏକ ନୂଆ ପ୍ରକାରର ଆରଟି-ପିସିଆର କିଟ୍ ପ୍ରସ୍ତୁତ କରାଯାଇଛି । ଏହି କିଟ୍ ମାଧ୍ୟମରେ ମାତ୍ର ୨ ଘଣ୍ଟାରେ କରୋନା ପରୀକ୍ଷାର ଫଳାଫଳ ମିଳିଯିବ ।

ଏବେ ପ୍ରଚଳିତ ଆରଟି-ପିସିଆର (ରିଅଲ ଟାଇମ ରିଭର୍ସ ଟ୍ରାନ୍ସକ୍ରିପସନ-ପଲିମରେଜ ଚେନ ରିଆକ୍ସନ) ପରୀକ୍ଷା କଲେ ତାହାର ଫଳାଫଳ ଆସିବାକୁ ପ୍ରାୟ ୨୪ ଘଣ୍ଟା ସମୟ ଲାଗୁଛି । ଅର୍ଥାତ ଏବେ ଜଣେ କରୋନା ସଂଦିଗ୍ଧଙ୍କ  ଆରଟି-ପିସିଆର ରିପୋର୍ଟ ଆସିବାକୁ ୨୪ ଘଣ୍ଟା ଲାଗୁଛି । କିନ୍ତୁ ରିଲାଏନ୍ସ ଲାଇଫ ସାଇନ୍ସେସ ପକ୍ଷରୁ କରୋନା ଚିହ୍ନଟ ପାଇଁ ଏପରି ଏକ ଆରଟି-ପିସିଆର କିଟ୍ ପ୍ରସ୍ତୁତ କରାଯାଇଛି ଯାହାକି ୨ ଘଣ୍ଟାରେ ଫଳାଫଳ ପ୍ରଦାନ କରିବ । ଏହାର ନାମ ରଖାଯାଇଛି ଆର-ଗ୍ରୀନ କିଟ । ଏହି କିଟ୍ ନିର୍ଭୁଲ ଭାବେ କରୋନା ଭାଇରସ ଜିନକୁ ଚିହ୍ନଟ କରିପାରୁଛି ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି । ଏହି କିଟ୍ ର ପ୍ରଦର୍ଶନକୁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ ସ୍ୱୀକୃତି ଦିଆଯାଇଛି । ଏହି କିଟକୁ ବ୍ୟବହାର କରିବା ସହଜ ଓ ଏହା ଅଳ୍ପ ସମୟରେ ଫଳାଫଳ ଦେଉଥିବାରୁ ଭାରତରେ କରୋନା ଚିହ୍ନଟ ଦିଗରେ ଏହା ବିଶେଷଭାବରେ ସହାୟକ ହେବା ଆଶା କରାଯାଉଛି ।

ରିଲାଏନ୍ସ ଲାଇଫ ସାଇନ୍ସେସ ପକ୍ଷରୁ କରାଯାଇଥିବା ଆଉ ଏକ ଗବେଷଣାରୁ ଜଣାପଡ଼ିଛି ଯେ ୨୦୨୦ ଶେଷ ବେଳକୁ ଭାରତରେ କରୋନା ମୃତ୍ୟୁହାର ହ୍ରାସ ପାଇବ ।

ସମ୍ବନ୍ଧିତ ଖବର