ପୂର୍ବ ବୟାନ କାଏମ୍‌ ରଖିଲେ, ନୂଆ ଫର୍ମୁଲାରେ ରିଲାଏନ୍ସର ଚୟନ

ନୂଆଦିଲ୍ଲୀ: ରାଫେଲ୍‌ ଚୁକ୍ତି ବାବଦରେ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନ୍‌ସୁଆ ଓଲାନ୍ଦ ଆଜି ପୁଣି ନିଜ ପୂର୍ବ ବୟାନକୁ କାଏମ୍‌ ରଖିଛନ୍ତି। ଏକ ଘରୋଇ ଟେଲିଭିଜନ୍‌କୁ ସାକ୍ଷାତ୍‌କାର ଦେବା ପରିପ୍ରେକ୍ଷୀରେ ସେ କହିଛନ୍ତି, ମୋଦୀ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ହୋଇଥିବା ଏକ ନୂଆ ଫର୍ମୁଲା ଦ୍ୱାରା ରାଫେଲ୍‌ ଚୁକ୍ତି ନିମନ୍ତେ ଅନୀଲ ଅମ୍ବାନିଙ୍କ ରିଲାଏନ୍ସ ଡିଫେନ୍ସକୁ ଚୟନ କରାଯାଇଥିଲା। ସରକାରଙ୍କ ସୁପାରିସକ୍ରମେ ହିଁ ଏହି ନିଷ୍ପତ୍ତି ନିଆଯାଇଥିଲା। ଓଲାନ୍ଦଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଫ୍ରାନ୍ସର ଡାସଲ୍ଟ ଏଭିଏସନ୍‌ ପାଇଁ ଏକ ଅଫ୍‌ସେଟ୍‌ ସହଯୋଗୀ ଚୂଡ଼ାନ୍ତ ଲାଗି ଭାରତ ରିଲାଏନ୍ସର ନାମ ଦେଇଥିଲା। ଏହାପରେ ରାଫେଲ୍‌ ଯୁଦ୍ଧ ବିମାନ ନିର୍ମାଣକାରୀ ଡାସଲ୍ଟ ଏଭିଏସନ୍‌ ସରକାରଙ୍କ ସହିତ କୌଣସି ବିଚାରବିମର୍ଶ ନକରି ରିଲାଏନ୍ସକୁ ନିଜ ସହଯୋଗୀ ଭାବେ ବାଛିଥିଲା। ଏଥିରେ ସରକାରଙ୍କର କୌଣସି ହାତ ନଥିଲା। ଉଲ୍ଲେଖଯୋଗ୍ୟ, ଚଳିତମାସ ୨୧ ତାରିଖରେ ଓଲାନ୍ଦ ଏକ ସାକ୍ଷାତକାରରେ କହିଥିଲେ ଯେ ରାଫେଲ ଚୁକ୍ତି ପାଇଁ ରିଲାଏନ୍ସର ନାମ ପ୍ରସ୍ତାବ ଦିଆଯାଇଥିଲା। ଭାରତର ସୁପାରିସ ପରେ ଡାସଲ୍ଟ ଏଭିଏସନ୍‌ ରିଲାଏନ୍ସକୁ ଚୟନ କରିଥିଲା। କିନ୍ତୁ ଏହାର ଦିନକ ପରେ ଫ୍ରାନ୍ସ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ପ୍ରକାଶ ପାଇବା ପରେ ଓଲାନ୍ଦ ପୁଣି ନିଜ ମନ୍ତବ୍ୟ ବଦଳାଇଥିଲେ। ମୋଦୀ ସରକାରଙ୍କ ଚାପର ବଶବର୍ତ୍ତୀ ହୋଇ ରିଲାଏନ୍ସ ଓ ଡାସଲ୍ଟ ମଧ୍ୟରେ ଚୁକ୍ତି ହୋଇଥିବା ନେଇ ସେ ଜାଣନ୍ତି ନାହିଁ ବୋଲି କହିଥିଲେ। କିନ୍ତୁ ଆଜି ଓଲାନ୍ଦ ପୁଣି ନିଜ ପୂର୍ବ ମନ୍ତବ୍ୟକୁ ଫେରିଯିବା ପରେ ସେ ଫ୍ରାନ୍‌୍‌ ସରକାରଙ୍କୁ ଘେରିବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର