ନୂଆଦିଲ୍ଲୀ : ରିଲାଏନ୍ସ ବାୟୋସାଇନ୍ସେସ୍ ଦ୍ବାରା ନିଜସ୍ବ ଜ୍ଞାନକୌଶଳରେ ଏପରି ଏକ ସ୍ବତନ୍ତ୍ର ଧରଣର ଆର୍ସି-ପିସିଆର୍ କିଟ୍ ବିକଶିତ କରାଯାଇଛି ଯାହା ମାତ୍ର ଦୁଇ ଘଣ୍ଟା ଭିତରେ କୋଭିଡ୍ ସଂକ୍ରମଣ ଜାଣିବା ପାଇଁ ନମୁନା ପରୀକ୍ଷା ଫଳ ଦେଇପାରିବ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି। ବର୍ତ୍ତମାନ ବହୁଳ ଭାବେ ବ୍ୟବହୃତ ହେଉଥିବା ଆର୍ସି-ପିସିଆର୍ କିଟ୍ଗୁଡ଼ିକ ଅଭିନବ କରୋନାଭୂତାଣୁ ସାର୍ସ-କୋଭ୍-୨ ସଂକ୍ରମଣ ଜାଣିବା ପାଇଁ ପୂରା ୨୪ ଘଣ୍ଟା ସମୟ ନେଉଥିବା ବେଳେ ରିଲାଏନ୍ସର ଏହି କିଟ୍ ଯଥେଷ୍ଟ ଉପଯୋଗୀ ହୋଇପାରିବ ବୋଲି ଆଶା କରାଯାଉଛି। ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ସହଯୋଗୀ ସଂସ୍ଥା ରିଲାଏନ୍ସ ବାୟୋସାଇନ୍ସେସ ଦ୍ବାରା ଭାରତରେ ଉପଲବ୍ଧ ସାର୍ସ-କୋଭ୍-୨ର ୧୦୦ରୁ ଅଧିକ ଅନୁବଂଶୀୟ ଉପାଦାନର ଅନୁକ୍ରମ କରାଯାଇ 'ଆର୍-ଗ୍ରିନ୍' ନାମକ ଏହି ନିର୍ଦ୍ଦିଷ୍ଟ ଧରଣର କୋଭିଡ୍ ପରୀକ୍ଷଣ ସରଞ୍ଜାମ ପ୍ରସ୍ତୁତ କରାଯାଇଛି। ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍ଆର୍) ଦ୍ବାରା ଏହାର ଗୁଣବତ୍ତା ପରୀକ୍ଷା କରାଯାଇ ଏହାର ସମ୍ବେଦନଶୀଳତା ୯୮.୮ ପ୍ରତିଶତ ଏବଂ ବିଶେଷତା ୯୮.୭ ପ୍ରତିଶତ ଥିବା କୁହାଯାଇଛି। କୋଭିଡ୍ ପରୀକ୍ଷଣ ସରଞ୍ଜାମ ଶ୍ରେଣୀର ସ୍ବର୍ଣ୍ଣ ମାନ୍ୟତା ମିଳିଥିବା 'ଆର୍-ଗ୍ରିନ୍'ର ସହଜ ବ୍ୟବହାର ଏବଂ ଭାରତରେ ଉପଲବ୍ଧ ଉପାଦାନ ଏଥିରେ ବ୍ୟବହୃତ ହେବା ହିଁ ଏହାର ବିଶେଷ ଗୁଣ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।
ରିଲାଏନ୍ସର ନୂଆ ଆର୍ଟି-ପିସିଆର୍ କିଟ୍ ‘ଆର୍-ଗ୍ରିନ୍’
/sambad/media/post_attachments/wp-content/uploads/2020/10/relance-kit.jpg)