କଳାଧନ ମାମଲା : ଅନୀଲ ଅମ୍ବାନିଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ : କଳାଧନ ମାମଲାରେ ଶିଳ୍ପପତି ଅନୀଲ ଅମ୍ବାନିଙ୍କୁ ବମ୍ବେ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି । ହାଇକୋର୍ଟ ସୋମବାରଦିନ ଆୟକର ବିଭାଗ ଦ୍ବାରା ରୁଜ୍ଜୁ ମାମଲା ଉପରେ ରୋକ ଲଗାଇବା ସହ ଆସନ୍ତା ନଭେମ୍ବର ୧୭ ପର୍ଯ୍ୟନ୍ତ ଅନୀଲଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ ବୋଲି ଆୟକର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ଅଗଷ୍ଟ ମାସରେ ଆୟକର ବିଭାଗ ଅନୀଲଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଥିଲା । ଭାରତରେ ପ୍ରାୟ ୪୨୦ କୋଟି ଟଙ୍କାର ଟିକସ ଠକେଇ କରିବା ଓ ବିଦେଶରେ ଥିବା ବ୍ୟାଙ୍କ ଖାତା ସଂପର୍କରେ ଜାଣିଶୁଣି ତଥ୍ୟ ଲୁଚାଇବା ଅଭିଯୋଗରେ ତାଙ୍କ ବିରୋଧରେ ଏହି ମାମଲା ରୁଜ୍ଜୁ କରିଥିଲା ଆୟକର ବିଭାଗ । ସ୍ବିସ୍ ବ୍ୟାଙ୍କରେ ଥିବା ତାଙ୍କ ଖାତାରେ ୮୧୪ କୋଟି ଟଙ୍କାରୁ ଅଧିକ ଜମା ଥିବାର ଅଭିଯୋଗ ହୋଇଛି । ଏ ସଂପର୍କରେ ସେ ଆୟକର ବିଭାଗକୁ ଜଣାଇନଥିଲେ ।

ଅଗଷ୍ଟ ଆରମ୍ଭରେ ଏହି ମାମଲାରେ ଅନୀଲଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ତେବେ ଧାର୍ଯ୍ୟ ସମୟ ମଧ୍ୟରେ ଅନୀଲଙ୍କ ଅଫିସ ପକ୍ଷରୁ ଏ ନେଇ କୌଣସି ଜବାବ ନ ଆସିବାରୁ ଆୟକର ବିଭାଗ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ କରି କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିଥିଲା । କଳାଧନ ଆଇନ ଅନୁସାରେ ତାଙ୍କର ଦୋଷ ସାବ୍ୟସ୍ତ ହେଲେ ତାଙ୍କୁ ୧୦ ବର୍ଷ ପର୍ୟ୍ୟନ୍ତ ଜେଲ ଦଣ୍ଡ ହୋଇପାରେ ।

ସମ୍ବନ୍ଧିତ ଖବର