ନୂପୁର ଶର୍ମାଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ସୁପ୍ରିମକୋର୍ଟ, ଅଗଷ୍ଟ ୧୦ ପର୍ଯ୍ୟନ୍ତ ଗିରଫ କରାଯାଇପାରିବ ନାହିଁ

ନୂଆଦିଲ୍ଲୀ : ବିବାଦୀୟ ବୟାନ ମାମଲାରେ ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ଅଗଷ୍ଟ ୧୦ ପର୍ଯ୍ୟନ୍ତ ତାଙ୍କୁ ଗିରଫ କିମ୍ବା ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ଉପରେ ସ୍ଥଗିତାଦେଶ ଲଗାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଗିରଫଦାରିରୁ ସୁରକ୍ଷା ଓ ସବୁ ଏଫଆଇଆରକୁ ଦିଲ୍ଲୀକୁ ଆଣିବାକୁ ସେ ଆବେଦନ କରିଥିଲେ ।

ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜେବି ପାର୍ଦିଓ୍ବାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ନୂପୁରଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଥିବା ରାଜ୍ୟଗୁଡ଼ିକୁ ମଧ୍ୟ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି । ଅଗଷ୍ଟ ୧୦ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଗତମାସରେ ନୂପୁର କରିଥିବା ଏକ ସମାନ ପ୍ରକାରର ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ ।

ସୂଚନାଯୋଗ୍ୟ ଯେ ଗତ ମେ ମାସରେ ଏକ ଟିଭି ବିତର୍କରେ ଯୋଗ ଦେବାବେଳେ ନୂପୁର କେତେକ ବିବାଦୀୟ ଇସଲାମ ବିରୋଧୀ ମନ୍ତବ୍ୟ ଦେଇଥିଲେ ।  ଏହାକୁ ନେଇ ମୁସଲିମ ଜଗତରେ ତୀବ୍ର ବିରୋଧ ହେବା ପରେ ବିଜେପି ପକ୍ଷରୁ ନୂପୁର ଓ ଦିଲ୍ଲୀ ୟୁନିଟ ମିଡିଆ ସେଲ ମୁଖ୍ୟ ନବୀନ ଜିନ୍ଦଲଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ନୂପୁରଙ୍କୁ ନିଲମ୍ବିତ କରାଯିବା ସହ ନବୀନଙ୍କୁ ବହିଷ୍କାର କରାଯାଇଥିଲା । ଏହା ସତ୍ତ୍ବେ ବିଶ୍ବର ମୁସଲିମ ଦେଶମାନେ ଏହାକୁ ନିନ୍ଦା କରିଥିଲେ  ଓ ଏହାକୁ ନେଇ ଭାରତ ସରକାରଙ୍କ ନିକଟରେ ପ୍ରତିବାଦ କରିଥିଲେ । ଏହା ପରେ ଭାରତରେ ମୁସଲିମମାନେ ବି ଆନ୍ଦୋଳନ କରିଥିଲେ ।

 

ସମ୍ବନ୍ଧିତ ଖବର